କନକ ବ୍ୟୁରୋ : ଦୈତନଗରରୀର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସତ୍ୟଜିତ୍ ମହାନ୍ତି । ଏବେ କଟକ ଓ ଭୁବନେଶ୍ୱରର ସୁରକ୍ଷା ଦାୟିତ୍ୱ ତାଙ୍କ ହାତରେ । ଆଇନଶୃଙ୍ଖଳା ଦୃଷ୍ଟିରୁ ସତ୍ୟଜିତ ମହାନ୍ତିଙ୍କ ପାଇଁ ଆଗକୁ ରହିଛି ନୂଆ ଚ୍ୟାଲେଞ୍ଜ । ଷଷ୍ଠ କମିଶନର ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଭୁବନେଶ୍ୱରସ୍ଥିତ କମିଶନରେଟ୍ ପୁଲିସ୍ ମୁଖ୍ୟାଳୟଠାରେ ଦିନ ସାଢ଼େ ୧୧ଟା ବେଳେ ଶ୍ରୀ ମହାନ୍ତିଙ୍କୁ ପୁଲିସ କମିସନର ଓ୍ଵାଇ ବି ଖୁରାନିଆ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସତ୍ୟଜିତ ମହାନ୍ତିଙ୍କୁ କମିଶନରେଟ୍ ପୁଲିସର ନୂଆ କମିଶନର୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୮୮ ବ୍ୟାଚର ଆଇପିଏସ୍ ଅଫିସର୍ ହେଉଛନ୍ତି ସତ୍ୟଜିତ ମହାନ୍ତି । ୧୯୯୦ ମସିହାରେ ସେ ଜୟପୁର ଏଏସ୍ପି ଭାବେ ସେବା ଆରମ୍ଭ କରିଥିଲେ । ଏହାପରେ ପୁରୀ ଅତିରିକ୍ତ ଏସପି, କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱର ଏସପି ଭାବେ ତାଙ୍କର ପୋଷ୍ଟିଂ ହୋଇଥିଲା । ଏହାପରେ ଭିଜିଲାନ୍ସ ଏସପି, ଅତିରିକ୍ତ ପରିବହନ କମିଶନର୍ ଭାବେ ସତ୍ୟଜିତ ମହାନ୍ତି କାମ କରିଥିଲେ । ଉତରାଂଚଳ, କେନ୍ଦ୍ରାଂଚଳ ଓ ପଶ୍ଚିମାଂଚଳ ଡିଆଇଜି ଭାବେ ଏହାପରେ ତାଙ୍କର ପଦୋନ୍ନତି ହୋଇଥିଲା । ପଶ୍ଚିମାଂଚଳ ଓ ଅଗ୍ନିଶମ ତଥା ଗୃହରକ୍ଷୀ ବିଭାଗୀୟ ଆଇଜି ଭାବେ ମଧ୍ୟ ସେ କାମ କରିଛନ୍ତି । ୨୦୦୪ ମସିହାରେ ଉତ୍କୃଷ୍ଟ ସେବା ପାଇଁ ତାଙ୍କୁ ସମ୍ମାନଜନକ ପୁଲିସ ମେଡାଲ ପ୍ରଦାନ କରାଯାଇଥିଲା ।
ସ୍ନାତକୋତ୍ତର ଶିକ୍ଷା ବ୍ୟତୀତ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଓ ପୁଡୁଚେରୀ ବିଶ୍ୱବିଦ୍ୟାଳୟରୁ ମାନବାଧିକାର ଶିକ୍ଷାରେ ସ୍ନାତକୋତର ଡିଗ୍ରୀ ହାସଲ୍ କରିଛନ୍ତି । ପୁଲିସ ବିଭାଗରେ ସୁଧାରୀକରଣକୁ ଗୁରୁତ୍ୱ ଦେଉଥିବା ସତ୍ୟଜିତ ତିନୋଟି ପୁସ୍ତକ ମଧ୍ୟ ଲେଖିଛନ୍ତି । ସତ୍ୟଜିତ ଲିଖିତ ପୁସ୍ତକ ମଧ୍ୟରେ ରହିଛି ହ୍ୟୁମାନ୍ ରାଇଟ୍ସ, ପୋଲିସ୍ ଇନ୍ ଇଣ୍ଡିଆ ରୋଲ୍ ରେସପୋନ୍ସିବିଲିଟି ଆଣ୍ଡ ଆକାଉଁଟେବିଲିଟି ଓ ହ୍ୟୁମାନ୍ ବିହାଭିୟର୍ ଆଣ୍ଡ ପୋଲିସ୍ ଏଥିକ୍ସ । ନିକଟରେ ଜାତୀୟ ପୋଲିସ୍ ମିଶନର ଏଗଜିକ୍ୟୁଟିଭ୍ କମିଟିକୁ ସତ୍ୟଜିତ ମହାନ୍ତି ମନୋନୀତ ହୋଇଛନ୍ତି । ଟେନିସ୍ ଖେଳରେ ବିଶେଷ ରୁଚି ରଖନ୍ତି ସତ୍ୟଜିତ୍ ।