ସଙ୍କଟ ଭିତରେ ଯୁଦ୍ଧର ପୂର୍ବାଭାସ ଦେଲା ସାଟେଲାଇଟ ଫଟୋ । ଗୋଳାବାରୁଦ, ଅସ୍ତ୍ରଶସ୍ତ୍ର ଠୁଳ କରିବା ପାଇଁ ୟୁକ୍ରେନ ମୁହାଁ ଋଷ ସେନା ।

ଦେଶରେ ଜରୁରୀକାଳୀନ ପରିସ୍ଥିିତି ଲାଗୁ କଲେ ୟୁକ୍ରେନ ସରକାର

348

କନକ ବ୍ୟୁରୋ: ଦିନ ଗଡିବା ସହ ଅଧିକ ଘନୀଭୂତ ହେଉଛି ଯୁଦ୍ଧ ଆଶଙ୍କା । ୠଷ ଉପରେ ଆମେରିକା ସହ ଅନ୍ୟାନ୍ୟ ପାଶ୍ଚାତ୍ୟଦେଶ ବିଭିନ୍ନ କଟକଣା ଜାରି କରିବା ସତ୍ତେ୍ୱ ପଛକୁ ହଟୁନି କ୍ରେମଲିନା ୟୁକ୍ରେନ ସୀମାନ୍ତରେ ସମରସଜ୍ଜାକୁ ଅଧିକ ଜୋରଦାର କଲାଣି ଋଷ । ଯାହାର ସ୍ପଷ୍ଟ ପ୍ରମାଣ ଦେଉଛି ନୂଆ ସାଟେଲାଇଟ ଫଟୋ । ଏହି ବିବାଦ ଭିତରେ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହେବନାହିଁ ବୋଲି ସ୍ପଷ୍ଟ କରିଛି ଋଷ । ଏନେଇ ଭାରତରରେ ଅବସ୍ଥାପିତ ଋଷ ଦୂତାବାସର ଉପମୁଖ୍ୟ ରୋମାନ ବାବୁସ୍କିନ କହିଛନ୍ତି ।

ୟୁକ୍ରେନ ଉପରେ ଋଷ କୌଣସି ମୁହୁର୍ତ୍ତରେ ଆକ୍ରମଣ କରିବା ନେଇ ଆଶଙ୍କା ବଢିବାରେ ଲାଗିଛି । ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ଭିନ୍ନ ଭିନ୍ନ ଚାଲ ଖେଳୁଛି ଋଷିଆ । ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ୟୁକ୍ରେନର ଦୁଇଟି ଅଞ୍ଚଳ ଡୋନେସ୍କ ଓ ଲୁହାନସ୍କକୁ ସ୍ୱାଧୀନ ମାନ୍ୟତା ଦେବା ପରେ ତିକ୍ତତା ବଢିଛି । ତେବେ ଏହି ତିକ୍ତତାକୁ ଅଧିକ ଉତ୍ତେଜନାପୂର୍ଣ୍ଣ କରିଛି ଋଷ ସଂସଦର ସବୁଜ ସଙ୍କେତ । ମଙ୍ଗଳବାର ଋଷ ସଂସଦରେ ପୁଟିନ ଡୋନେସ୍କ ଓ ଲୁହାନସ୍କକୁ ସାମରିକ ଶକ୍ତି ପଠାଇବାକୁ ଅନୁମତି ଦେଇଛନ୍ତି ।

ଋଷର ୧୦୦ରୁ ଅଧିକ ସାମରିକ ଟ୍ରକ ଓ ସୈନ୍ୟ ୟୁକ୍ରେନ ମୁହାଁ ଯାଉଥିବା ସୂଚନା ମିଳିଛି । ସୀମାରେ ଋଷ ପୂର୍ବ ଅପେକ୍ଷା ଅଧିକ ଅସ୍ତ୍ରଶସ୍ତ୍ର ଗୋଳାବାରୁଦ,ସୈନ୍ୟ ମୃତୟନ କରାଯାଉଥିବା ମଧ୍ୟ କୁହାଯାଉଛି । ମାସ୍କର ଜାରି କରିଥିବା ସାଟେଲାଇଟ ଫଟୋରେ ଋଷ ଅଧିକ ସଂଖ୍ୟକ ସେନା ଓ ଅନ୍ୟାନ୍ୟ ସାମରିକ ଶକ୍ତି ସୀମାନ୍ତରେ ମୁତୟନ କରୁଥିବା ଦେଖିବାକୁ ମିଳିଛି । ବିଶେଷ କରି ବେଲାରୁସ ଦକ୍ଷିଣ ପ୍ରାନ୍ତରେ ଋଷ ନିଜର ଦବଦବା ଜାହିର କରିଛି । ୟୁକ୍ରେନ ପୂର୍ବ ସୀମାନ୍ତରୁ ୪୦ କିଲୋମିଟର ଦୂରରେ ହେଭି ଇକ୍ୟୁପମେଣ୍ଟ ଟ୍ରାନ୍ସପୋର୍ଟ ଦେଖିବାକୁ ମିଳିଛି । ଏହାଦ୍ୱାରା ଟ୍ୟାଙ୍କ, ତୋପ, ଯୁଦ୍ଧରେ ବ୍ୟବହାର ହେବାକୁ ଥିବା ବଡ ବଡ ଅସ୍ତ୍ର ପରିବହନ କରାଯାଇପାରିବ ।

ଋଷର ଚାଲ କେବଳ ଏତିକିେରେ ଅଟକିନି । ୟୁକ୍ରେନ ସୀମାନ୍ତରେ ଅସ୍ଥାୟୀ ହସପିଟାଲ ନିର୍ମାଣ କରୁଥିବା ଜଣାପଡିଛି । ଯଦି ଯୁଦ୍ଧ ହୁଏ ତେବେ ଆହତ ଯବାନଙ୍କୁ ତୁରନ୍ତ ଚିକିତ୍ସା କରିବା ପାଇଁ ମଧ୍ୟ ଋଷ ଯୋଜନା କରିସାରିଛି । ସ୍ଥିତିକୁ ଦେଖି ଜର୍ମାନୀ, ବ୍ରିଟେନ ଓ ଆମେରିକା ପରି ଆଉ କିଛି ପାଶ୍ଚାତ୍ୟଦେଶ ଋଷ ଉପରେ କଟକଣା ଲଗାଇବା ଆରମ୍ଭ କଲେଣି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଋଷ ବିରୋଧରେ ଆର୍ଥିକ କଟକଣା ଜାରି କରିଛନ୍ତି । ପଶ୍ଚିମ ଦେଶ ସହ ଋଷ ଆଉ ବ୍ୟବସାୟ କରିପାରିବ ନାହିଁ ବୋଲି କହିଛନ୍ତି ବାଇଡେନ୍ । ଏହାସହ ଋଷକୁ ପଶ୍ଚିମ ଦେଶରୁ ମିଳୁଥିବା ସହାୟତା ଉପରେ ମଧ୍ୟ ରୋକ୍ ଲଗାଯିବ । ଋଷ ପକ୍ଷରୁ ଅର୍ନ୍ତରାଷ୍ଟ୍ରୀୟ ଆଇନର ଲଗାତର ଉଲ୍ଲଂଘନ କରାଯାଉଥିବା କହିଛନ୍ତି ବାଇଡେନ୍ ।

ବିଶ୍ୱବ୍ୟାପୀ ବିଭିନ୍ନ ରାଷ୍ଟ୍ରର ନେତାମାନେ ଋଷ ବିରୋଧରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଜରୁରୀ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ପାଇଁ ଦାବି କରିଛନ୍ତି । ଆମେରିକା ପୂର୍ବରୁ ବ୍ରିଟେନ ବିଭିନ୍ନ ଋଷୀୟ ବ୍ୟାଙ୍କ ଗୁଡିକ ଉପରେ କଟକଣା ଲଗାଇଛି । ସେପଟେ ଜର୍ମାନୀ ଋଷର ଏକ ଗୁରୁତ୍ୱପୂର୍ଣ୍ଣ ଗ୍ୟାସଲାଇନ ପାଇପଲାଇନ ପ୍ରକଳ୍ପ ‘ନୋର୍ଡ ଷ୍ଟ୍ରିମ ଟୁ’ କାମକୁ ଅଧାରୁ ବନ୍ଦ କରିଛି । ବ୍ରିଟେନ ଋଷ ରାଷ୍ଟଦୂତଙ୍କୁ ସମନ କରି ୟୁକ୍ରେନ ମାମଲାରେ ବର୍ଷିଛି । ୟୁରୋପୀୟ ସଘ ମଧ୍ୟ ସମସ୍ତ ବ୍ୟାଙ୍କ କାରବାରକୁ ଠପ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏହି ବିବାଦ ଭିତରେ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଭାରତରରେ ଅବସ୍ଥାପିତ ଋଷ ଦୂତାବାସର ଉପମୁଖ୍ୟ ରୋମାନ ବାବୁସ୍କିନ । ସେ କହିଛନ୍ତି ଗତବର୍ଷ ଭାରତ ଓ ଋଷ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତି ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଭାରତ ସହ ଆମେ ଆଗାମୀ ୧୦ବର୍ଷ ପାଇଁ ପ୍ରତିରକ୍ଷା ଚୁକ୍ତି ସହ ମିଳିତ ଭାବେ ଅନେକ ପ୍ରକଳ୍ପ କରିବାକୁ ଯୋଜନା କରିଛୁ । ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ସମସ୍ତ ସର୍ମ୍ପକ ସୁରୁଖୁରରେ ଚାଲିବା ନେଇ ଆଶ ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ, ୟୁରୋପୀୟ ସଂଘ ଓ ଆମେରିକାର କଟକଣାକୁ ପ୍ରତିହିତ କରିବା ପାଇଁ ପୁଟିନ ଏକ ବିଶାଳ ଯୋଜନା କରୁଥିବା କୁଟନୀତି ବିଶେଷଜ୍ଞ ମତ ରଖିଛନ୍ତି । ବର୍ତମାନ ଋଷର ଆଭିମୁଖ୍ୟ ଦେଖି ଆମେରିକା, ଜର୍ମାନ, ବ୍ରିଟେନ କଟକଣା ଲଗାଇବା ଆରମ୍ଭ କଲେଣି । ତଥାପି ପଛକୁ ଫେରିବା ନାଁ ନେଉନାହାନ୍ତି ପୁଟିନ ସରକାର ।