ଅନୁଭବଙ୍କ ସ୍ଥାନ ନେବେ କି ବର୍ଷା ? ସୁଟିଂ ସେଟରେ ବ୍ୟସ୍ତ ସାଂସଦ, ସେପଟେ ବିଜେଡି ପାଇଁ ପ୍ରଚାର କଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।

320

କନକ ବ୍ୟୁରୋ : ବିଜେଡି ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କ ରାଜନୈତିକ ଭୂମିକାକୁ ନେଇ ଏବେ ଚର୍ଚ୍ଚା । ରାଜନୀତିରେ ଥିବା ଅନୁଭବ ଏବେ ‘ଦାଦାଗିରି’ କରୁଛନ୍ତି, ଆଉ ଅଭିନୟ କରୁଥିବା ପତ୍ନୀ ବର୍ଷା ଏବେ ନେତାଗିରି କରୁଛନ୍ତି । ପଞ୍ଚାୟତ ନିର୍ବାଚନରେ ବର୍ଷାଙ୍କୁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ଆଉ ଏପଟେ ଟିଭି ଶୋ ପାଇଁ ସୁଟିଂ ସେଟରେ ବ୍ୟସ୍ତ ଅଛନ୍ତି ସାଂସଦ ଅନୁଭବ ମହାନ୍ତି ।

‘ନେତାଗିରି’ ବନାମ ‘ଦାଦାଗିରି’ । ପତିଙ୍କ ସ୍ଥାନ ନେବେ କି ପତ୍ନୀ ? ପ୍ରଚାର ମୈଦାନରେ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବିଭିନ୍ନ ସ୍ଥାନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପଞ୍ଚାୟତ ନିର୍ବାଚନ ପ୍ରଚାର । ଅଭିନେତା ପତି ତଥା କେନ୍ଦ୍ରାପଡା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ସହ ବିବାଦ ସତ୍ୱେ ଦଳ ପାଇଁ ବର୍ଷା ପ୍ରଚାର କରିବାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୈତିକ ଅଙ୍କକଷା । ବିବାଦ ପରେ ଅନୁଭବ ଦଳୀୟ ଫୋରମରୁ ଏକ ପ୍ରକାର ବାହାରେ ରହିଥିବା ବେଳେ ବର୍ଷା ବିଜେଡିର ନିକଟତର ହେଉଥିବା ଚର୍ଚ୍ଚା ଜୋର ଧରିଛି । ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ବର୍ଷା ଶତମୁଖ ହେବା ଏହି ଆଲୋଚନାକୁ ଆହୁରି ଖୋରାକ ଯୋଗାଇଛି ।

ସେପଟେ ୨୦୧୭ ପଞ୍ଚାୟତ ନିର୍ବାଚନ ପ୍ରଚାରରେ ବିଜେଡିର ଟ୍ରମ୍ପ କାର୍ଡ ସାଜିଥିଲେ ଅନୁଭବ ମହାନ୍ତି । ଏପରିକି ୨୦୧୯ ସାଧାରଣ ନିର୍ବାଚନରେ ହେଭିୱେଟ ବୈଜୟନ୍ତ ପଣ୍ଡାଙ୍କ ସହ ଲଢେଇରେ ଓହ୍ଲାଇଥିଲେ ମଧ୍ୟ ସମଗ୍ର ରାଜ୍ୟରେ ଦଳ ତାଙ୍କୁ କ୍ରାଉଡ ପୁଲର ଭାବରେ ବ୍ୟବହାର କରିଥିଲା । କିନ୍ତୁ ଏବେ ପ୍ରଚାର ମୈଦାନ ଛାଡି ଏକ ମନୋରଞ୍ଜନ ଚ୍ୟାନେଲରେ ରିୟଲିଟି ଶୋ ଶୁଟିଂରେ ବ୍ୟସ୍ତ କେନ୍ଦ୍ରାପଡା ସାଂସଦ ଅନୁଭବ ।

ଆଲୋଚନା ହେଉଛି, ପାରିବାରିକ ବିବାଦ ପରେ ତାଙ୍କୁ ଆଉ ପାଖ ପୁରାଉ ନାହିଁ ଦଳ । ଏପରିକି, କୌଣସି ନେତା ମଧ୍ୟ ତାଙ୍କ ସାହାଯ୍ୟ ଲୋଡୁ ନଥିବା କୁହାଯାଉଛି । ଆଉ ଠିକ୍ ଏତିକି ବେଳେ ବିଜେଡି ପାଇଁ ବର୍ଷାଙ୍କ ପ୍ରଚାର, ଅନୁଭବଙ୍କ ରାଜନୈତିକ କ୍ୟାରିୟରକୁ ନେଇ ବଡ ପ୍ରଶ୍ନ ଛିଡା କରିଛି ।
ନବୀନ ସରକାର ନାରୀ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଉଥିବା ବେଳେ ବର୍ଷାଙ୍କ ଲୋକପ୍ରିୟତାକୁ ବ୍ୟବହାର କରିବା ପାଇଁ ଦଳର ଏକ ଗୋଷ୍ଠୀ ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ବିବାଦରେ ଛନ୍ଦି ହୋଇଯାଇଥିବା ଏହି ଦମ୍ପତିଙ୍କ ଭିତରୁ ଦଳ ବର୍ଷାଙ୍କ ଠାରୁ ଅଧିକ ଫାଇଦା ପାଇବ ବୋଲି କୁହାଯାଉଛି । ତେଣୁ ରାଜନୀତିରେ କିଏ ଇନ୍ ହେଉଛି ଆଉ କିଏ ଆଉଟ୍ ତାହା ଦେଖିବାକୁ ଅପେକ୍ଷା ।