ଆଜି ମଣ୍ଡପରେ ସପ୍ତମୀ, ଶକ୍ତିପୀଠରେ ଅଷ୍ଟମୀ ପୂଜା । ଭକ୍ତିମୟ ପରିବେଶରେ ଚାଲିଛି ମାଆଙ୍କ ଆରାଧନା

125

କନକ ବ୍ୟୁରୋ : ସବୁଠି ପୂଜାର ଉତ୍ସାହ । ଗାଁରୁ ସହର ଚାରିଆଡେ ଚଳଚଂଚଳ । ପୀଠରେ ଯେମିତି ଭକ୍ତିର ପରିବେଶ, ମଣ୍ଡରେ ସେମିତି ଶ୍ରଦ୍ଧାଳୁଙ୍କ ଉତ୍ସାହ । ଶକ୍ତିପୀଠରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ସପ୍ତମୀ ପୂଜା କରାଯାଉଛି । ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କ ମହାସ୍ନାନ ପରେ ଚକ୍ଷୁଦାନ ପାଇଁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି ।

ମା’ ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ତୋରଣ । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱରର ପୂଜା ମଣ୍ଡପ । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୁରା ପରିବେଶ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି ।

ଭୁବନେଶ୍ୱରରେ ଢାକ୍ ବାଜା । ମଣ୍ଡପରେ କୋଲକାତାର ଢାକ ବାଜାର ଧୁମ୍ । ଢାକ୍ ବାଜା ବଜାଇ ଦେବୀ ଦୁର୍ଗାଙ୍କ ଆବାହନ କରାଯାଉଛି । ଭୁବନେନଶ୍ୱର ଅଟଳା ସ୍ଥିତ ପଂଚମୁଖୀ ଗ୍ରୀନ୍ସ ଆପାର୍ଟମେଟରେ ଦେବୀ ଦୁର୍ଗାଙ୍କ ସପ୍ତମୀ ପୂଜା ବେଳେ ଦେଖିବାକୁ ମିଳିଛି ଭକ୍ତିର ପରିବେଶ । ଢାକ ବାଜାର ତାଳେତାଳେ ଝୁମୁଛନ୍ତି ଶ୍ରଦ୍ଧାଳୁ ।

ପୂଜା ବୁଲିବା ପାଇଁ କଟକରେ ଲୋକଙ୍କ ଭିଡ ବି ଜମୁଛି । ଆଉ ଏତିକି ବେଳେ ମେଢ ବୁଲାଇ ଦେବା ପାଇଁ ଅଫର ଦେଉଛନ୍ତି ଅଟୋ ଓ ରିକ୍ସା ଚାଳକ । ୧୫ଶହରୁ ୧୬ ଟଙ୍କା ଦେଲେ ଐତିହାସିକ ସହରର ସବୁ ମେଢ ବୁଲାଇ ଦେବେ ବୋଲି କହୁଛନ୍ତି ଅଟୋ ଚାଳକ ।

ଜମୁଛି ପାର୍ବଣର ମାହୋଲ । ଘରେ ଘରେ ପୂଜାର ଧୂନ । ପୂଜା ମଣ୍ଡପରେ ମହାମାୟୀଙ୍କ ମହାସପ୍ତମୀ ପୂଜା ଚାଲିଥିବା ବେଳେ ଶକ୍ତିପୀଠରେ ମହାଷ୍ଟମୀ ପୂଜା କରାଯାଇଛି ।