ଗାଁକୁ ନାହିଁ ପକ୍କା ରାସ୍ତା, ଖଟିଆରେ ବୁହାହେଲେ ମୃତକ : ଅଧାବାଟରେ ମର ଶରୀରକୁ ଛାଡି ଚାଲିଗଲା ଆମ୍ବୁଲାନ୍ସ

100

କନକ ବ୍ୟୁରୋ : ଗାଁକୁ ନାହିଁ ପକ୍କା ରାସ୍ତା । ଖଟିଆରେ ବୁହା ହେଲା ଶବ । କନ୍ଧମାଳ ଜିଲ୍ଲାରୁ ଏପରି ଏକ ଖବର ଆସିଛି । ଖଜୁରୀପଡ଼ା ବ୍ଲକ ବିଲାବାଡ଼ି ପଞ୍ଚାୟତ ଅନ୍ତର୍ଗତ ସମାପାଜୁ ଗ୍ରାମର ରୋହିତ କହଁର ଶୁକ୍ରବାର ସଦର ଥାନା ଅନ୍ତର୍ଗତ ତୁଡ଼ିପାଜୁ ଘାଟିରେ ବାଇକ ଦୁର୍ଘଟଣାର ଶିକାର ହୋଇ ଫୁଲବାଣୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ତାଙ୍କର ମୃତ୍ୟୁ ଘଟିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପରିବାର ଲୋକେ ଏକ ଘରୋଇ ଆମ୍ବୁଲାନ୍ସ ଭଡ଼ା କରି ଗାଁକୁ ଶବ ଆଣିଥିଲେ ।

ହେଲେ ଗାଁକୁ ପକ୍କା ରାସ୍ତା ନଥିବାରୁ ବଡ଼ନାଳ ପାଖରେ ଆମ୍ବୁଲାନ୍ସଟି ମୃତଦେହକୁ ଛାଡିଥିଲା । କାରଣ ବଡ଼ନାଳରେ କୌଣସି ପୋଲ ନଥିବାରୁ ଘର ପର୍ଯ୍ୟନ୍ତ ଆମ୍ବୁଲାନ୍ସଟି ଯାଇପାରିନଥିଲା । ତେଣୁ ବଡ଼ନାଳ ପାଖରୁ ଶବକୁ ସମ୍ପର୍କୀୟମାନେ କାନ୍ଧରେ ବୋହି ଘର ପର୍ଯ୍ୟନ୍ତ ନେଇଥିଲେ । ଆଶ୍ଚର୍ଯ୍ୟର କଥା ହେଲା ଗତ ୨୦୧୮ ମସିହାରେ ତତ୍କାଳୀନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଏହି ବିଲାବାଡ଼ି ପଞ୍ଚାୟତକୁ ପୋଷ୍ୟ ପଞ୍ଚାୟତ ଭାବେ ଗ୍ରହଣ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ବଦଳିନାହିଁ ଏହି ଦୁର୍ଗମ ପଞ୍ଚାୟତର ଭାଗ୍ୟ ।