ଜେଲରେ ବନ୍ଦ ଥିବା ଆପ୍ ନେତା ସଂଜୟ ସିଂଙ୍କୁ ବଡ ଆଶ୍ୱସ୍ତି । ଏହି କାର୍ଯ୍ୟ ପାଇଁ କୋର୍ଟ ଦେଲେ ଅନୁମତି

125

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କୁ କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଆମ୍ ଆଦମୀ ପାର୍ଟି ତରଫରୁ ସଂଜୟ ସିଂ ପୁଣିଥରେ ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇପାରିବେ । କାରଣ ରାଜ୍ୟସଭା ନିର୍ବାଚନ ଲଢିବା ପାଇଁ ରାୱଜ ଏଭିନ୍ୟୁ କୋର୍ଟ ଫର୍ମରେ ହସ୍ତାକ୍ଷର କରିବାକୁ ସଂଜୟଙ୍କୁ ଅନୁମତି ଦେଇଛନ୍ତି । ଜାନୁଆରୀ ୧୯ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ କୋର୍ଟ ତରଫରୁ ସଂଜୟଙ୍କୁ ନାମାଙ୍କନ ପତ୍ର ଭରିବାକୁ ଅନୁମତି ଦେଇଛନ୍ତି ।

ବିଚାରପତି ଜଷ୍ଟିସ ଏମ.କେ ନାଗପାଲ ସଂଜୟ ସିଂଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏଥିରେ ସଂଜୟ ସିଂ ଆବେଦନ କରିଥିଲେ କି, ରାଜ୍ୟସଭା ସାଂସଦ ଭାବେ ତାଙ୍କର କାର୍ଯ୍ୟକାଳ ଜାନୁଆରୀ ୨୭ ତାରିଖରେ ଶେଷ ହେବାକୁ ଯାଉଛି । ଏନେଇ ନିର୍ବାଚନ ଅଧିକାରୀ ନିର୍ବାଚନ କରିବାକୁ ଜାନୁଆରୀ ୨ ତାରିଖରେ ନୋଟିସ ଜାରି କରିଛନ୍ତି । ଏନେଇ ଜାନୁଆରୀ ୯ ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିବାକୁ ପଡିବ ।

ସଂଜୟ ସିଂଙ୍କୁ ଦସ୍ତାବିଜରେ ଦସ୍ତଖତ କରିବାକୁ ଅନୁମତି ଦେବାକୁ ତିହାର ଜେଲ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଅନୁରୋଧ କରାଯ୍ଧବଥିଲା । ଯଦି ୨୦୨୪ ଜାନୁଆରୀ ୬ ତାରିଖରେ ଅଭିଯୁକ୍ତଙ୍କ ଓକିଲଙ୍କ ଦ୍ୱାରା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଦସ୍ତାବିଜ୍ ଉପସ୍ଥାପନ କରାଯାଏ ତେବେ ଜେଲ ଅଧିକ୍ଷକ ନିଶ୍ଚିତ କରିବେ ଯେ ଉକ୍ତ ଦସ୍ତାବିଜରେ ଦସ୍ତଖତ କରିବାକୁ ଅଭିଯୁକ୍ତଙ୍କୁ ଅନୁମତି ଦିଆଯିବ ଏବଂ ସେମାନଙ୍କୁ ମଧ୍ୟ ଦେଖା କରିବାକୁ ଅନୁମତି ଦିଆଯିବ ।