ଏପଟେ ମତଦାନ, ସେପଟେ ଅଘଟଣ । ଭୋଟ ପାଇଁ କିଏ ହରେଇଲା ଶଂଖା ସିନ୍ଦୁର ତ କିଏ ହରାଇଲା ଗେହ୍ଲି ଝିଅକୁ, ଆଉ କିଏ ବାପକୁ ହରାଇ ଅନାଥ ।

452

କନକ ବ୍ୟୁରୋ: ଭୋଟ ବେଳେ ଘଟିଯାଇଛି ଅନେକ ଅଘଟଣ । ଲିଭିଯାଇଛି ଏକାଧିକ ଜୀବନ । ନିଜ ଅନ୍ତରର ଲୋକଙ୍କୁ ହରାଇ ଭାଙ୍ଗିପଡିଛି ପୁରା ପରିବାର । ଏକାଧିକ ସ୍ଥାନରୁ ଆସିଛି ଏଭଳି ଖବର । ନୀଳଗିରି ଈଶ୍ୱରପୁର ସରକାରୀ ନୋଡାଲ ସ୍କୁଲ… ବୁଥକୁ ଭୋଟ ଦେବାକୁ ଯାଇଥିଲେ ଈଶ୍ୱରପୁର ଗାଁର ସୁରେନ୍ଦ୍ର ମହାନ୍ତି । ନିଜ ପତ୍ନୀଙ୍କ ସହ ବୁଥ୍ ନମ୍ବର ୧୫୯କୁ ଯାଇଥିଲେ ମତଦାନ କରିବାକୁ । ବୁଥରେ ଅସହ୍ୟ ଗୁଳିଗୁଳି, ଗରମ । ହେଲେ ଭୋଟରଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ । ଭୋଟ ଦେବାକୁ ନାହିଁନଥିବା ଭିଡ । ବୟସାଧିକ୍ୟ ଯୋଗୁଁ ସୁରେନ୍ଦ୍ର ବାବୁ କହିଥିଲେ ତାଙ୍କ ଦୁହିଁଙ୍କୁ ଟିକେ ଆଗ ଭୋଟ ଦେବାକୁ ଛାଡିଦେବାକୁ ହେଲେ କେହି ତାଙ୍କ କଥା ଶୁଣିନଥିଲେ ବରଂ ଅପେକ୍ଷା କରିବାକୁ କହିଥିଲେ ।

କାଳେ ଆଉ ଟିକେ ପରେ ଭିଡ ଭାଙ୍ଗିଯିବ , ତେଣୁ ଘରକୁ ଫେରିଯାଇଥିଲେ ସୁରେନ୍ଦ୍ର ଓ ତାଙ୍କ ପତ୍ନୀ । ପୁଣି ଆସି ଦେଖନ୍ତି ବୁଥରେ ସେଇ ଭିଡ । ଏମିତି ୩ ଥର ଘରକୁ ଫେରି ପୁଣି ବୁଥକୁ ଭୋଟ ଦେବାକୁ ଫେରିଥିଲେ । ହେଲେ ତୃତୀୟ ଥର କିନ୍ତୁ ଆଉ ବୁଥରୁ ଘରକୁ ଫେରିନଥିଲେ । ଗରମ ଯୋଗୁଁ ସେ ଅସୁସ୍ଥ ହୋଇପଡି ସେହିଠାରେ ହିଁ ଅଚେତ ହୋଇପଡିଥିଲେ । ପାଖରେ ଥିବା ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ ବି ସେତେବେଳକୁ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବିଧାତାର ଏ କି ଖେଳ । ଗୋଟେ ପଟେ ଦାୟିତ୍ୱ ଆଉ ଗୋଟେ ପଟେ ମୃତ୍ୟୁ । ଶେଷରେ ମୃତ୍ୟୁ ଜିତିଗଲା । ବାକି ରହିଗଲା ଗଣତନ୍ତ୍ର ଦାୟିତ୍ୱ । ଏତେଦିନ ଧରି ଯୋଉ ସ୍ୱାମୀଙ୍କୁ ଗୋଡେ ଗୋଡେ ଜଗୁଥିଲେ, ତାଙ୍କ ଦେହ ପା କଥା ବୁଝୁଥିଲେ ଆଜି ଏ ଭୋଟ ତାଙ୍କୁ ଛଡାଇନେଲା । ଏ ବୁଢା ବୟସରେ ଶେଷ ଆସରାକୁ ଛଡାଇନେଲା । ଏକଥା କହି ବାହୁନି ବାହୁନି କାନ୍ଦୁଛନ୍ତି ସୁରେନ୍ଦ୍ରଙ୍କ ବୟସ୍କା ସ୍ତ୍ରୀ ।

ମତଦାନ କେନ୍ଦ୍ରରେ କାର୍ୟ୍ୟରତ ବିଏଲଓଙ୍କ ମୃତ୍ୟୁ । ସହକର୍ମୀ କହିଲେ , ସରକାରୀ କାମ ଅତ୍ୟଧିକ ଚାପ ସେଥିରେ ପୁଣି ଏତେ ଗରମ ଗୁଳୁଗୁଳି । ଲାଗୁଛି ଅଂଶୁଘାତ ହୋଇ ବିଏଲଓଙ୍କ ଜୀବନ ଚାଲିଯାଇଛି । ଗରମ ସାଙ୍ଗକୁ ଅତ୍ୟଧିକ କାମର ଚାପ ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ କରାିଛନ୍ତି ସହକର୍ମୀ ।

ରାଜନଗରରେ ପ୍ରହରାଜପୁରରେ ମା’ ଭୋଟ ଦେବାକୁ ଯାଇଥିବାବେଳେ ଚାଲିଗଲା ଝିଅର ଜୀବନ ।ସୂଚନା ମୁତାବକ, ପ୍ରହରାଜପୁର କାର୍ତ୍ତିକ ପ୍ରଧାନଙ୍କ ୫ ବର୍ଷର ଝିଅ ସରସ୍ୱତୀ ପ୍ରଧାନଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି । ଦିନ ୧୨ଟା ବେଳେ ମଞ୍ଜୁଲତା ପ୍ରଧାନ ଝିଅକୁ ଘରେ ଛାଡି ଭୋଟ ଦେବାକୁ ଯାଇଥିଲେ । ଭୋଟ ଦେଇ ଆସି ଘରେ ଖୋଜିଲା ବେଳକୁ ଝିଅକୁ ପାଇନଥିଲେ । ଦୀର୍ଘ ସମୟ ପରେ ଝିଅ ସରାସ୍ୱତୀ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ । ଉଦ୍ଧାର କରି ଝିଅକୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ବି ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ ।

ଏହାସହ ବିଭିନ୍ନ ବୁଥରେ ଭୋଟର ଅସୁସ୍ଥ ହୋଇପଡିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଅସ୍ତରଙ୍ଗରେ ଅଚେତ ହୋଇପଡିଲେ ମହିଳା ଭୋଟର । ୨୪୩ ନମ୍ବର ବୁଥକୁ ଭୋଟ ଦେବାକୁ ଆସିଥିବାବେଳେ ହଠାତ୍ ଚେତାଶୂନ୍ୟ ହୋଇପଡିଥିଲେ । ପ୍ରବଳ ଗୁଳୁଗୁଳି ଯୋଗୁଁ ସେ ଅସୁସ୍ଥ ହୋଇପଡିଥିଲେ । ତେବେ ଆଶୁ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହୋଇଥିଲା । କେବଳ ଅସ୍ତରଙ୍ଗରେ ନୁହେଁ ଅନ୍ୟ କିଛି ମତଦାନ କେନ୍ଦ୍ରରେ ମଧ୍ୟ ଏଭଳି ଅଘଟଣ ସାମ୍ନାକୁ ଆସିଛି । ପବଳ ଗରମ ସତ୍ତେ୍ୱ ବୁଥମାନଙ୍କରେ ଭୋଟରଙ୍କ ପାଇଁ ଆବଶ୍ୟକ ସୁବିଧାର ନଥିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।