ଆସିଲା ବୁଥ୍ ବାହୁଡା ମତ : ମଧ୍ୟପ୍ରଦେଶରେ ବିଜେପି କରିପାରେ କ୍ଲିନ୍ ସୁଇପ୍, ଛତିଶଗଡରେ କମାଲ କରିପାରେ ଏନଡିଏ!

421

କନକ ବ୍ୟୁରୋ : ଆସିଛି ବୁଥ୍ ବାହୁଡା ମତ । ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆର ଆକଳନ ଅନୁଯାୟୀ, ଛତିଶଗଡରେ ବିଜେପିକୁ ବମ୍ପର ବିଜୟ ମିଳିପାରେ । ଛତିଶଗଡରେ ଏନଡିଏକୁ କେବଳ ଅଧିକ ଆସନ ମିଳିବନି ବରଂ ଭୋଟ ପ୍ରତିଶତ ମଧ୍ୟ ବୃଦ୍ଧି ପାଇବ । ୨୦୧୯ରେ ଏନଡିଏକୁ ୫୧ ପ୍ରତିଶତ ଭୋଟ ମିଳିଥିବା ବେଳେ ଚଳିତଥର ଏହା ବୃଦ୍ଧି ପାଇ ୫୭ ପ୍ରତିଶତରେ ପହଞ୍ଚିବାର ସମ୍ଭାବନା ରହିଛି । ଏନଡିଏର ଆସନ ସଂଖ୍ୟା ୧୦ରୁ ୧୧କୁ ବୃଦ୍ଧି ପାଇପାରେ । ଅନ୍ୟପଟେ ଇଣ୍ଡିଆ ମେଣ୍ଟକୁ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡିପାରେ ।

ଗତ ନିର୍ବାଚନରେ ଛତିଶଗଡରେ ବିଜେପି ୧୧ ଆସନରୁ ୯ଟି ଆସନରେ ବିଜୟ ହାସଲ କରିଥିଲା । ଅନ୍ୟପଟେ କଂଗ୍ରେସ ଖାତାକୁ ଆସିଥିଲା ୨ ଆସନ । ତେବେ ଚଳିତଥର ଇଣ୍ଡିଆ ଟୁଡେର ଏଗଜିଟ୍ ପୋଲ ଯଦି ସତ ହୁଏ ତେବେ ଏନଡିଏ ବାଜିମାତ କରିବ ।

କେବଳ ଛତିଶଗଡ ନୁହେଁ ମଧ୍ୟପ୍ରଦେଶରେ ମଧ୍ୟ କ୍ଲିନ୍ ସୁଇପ କରିପାରେ ଏନଡିଏ । କଂଗ୍ରେସକୁ ଅତି ବେଶିରେ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡିପାରେ । ବୁଥ ବାହୁଡା ମତରେ ଏନଡିଏକୁ ୬୧ ପ୍ରତିଶତ ଏବଂ ଇଣ୍ଡିଆ ମେଣ୍ଟକୁ ୩୩% ଭୋଟ ମିଳିପାରେ ।

ସେହିଭଳି ଏବିପି ସି ଭୋଟର ସର୍ଭେ ରିପୋର୍ଟରେ ମଧ୍ୟପ୍ରଦେଶରେ ବିଜେପିକୁ ୨୬ରୁ ୨୮ ଆସନ ମିଳିବାର ସମ୍ଭାବନା ଥିବା ବେଳେ ଇଣ୍ଡିଆ ମେଣ୍ଟକୁ ୧ରୁ ୩ ଆସନ ମିଳିପାରେ ।ଛତିଶଗଡରେ ବିଜେପି ୧୦ରୁ ୧୧ଟି ଆସନ ପାଇପାରେ, ଅନ୍ୟପଟେ କଂଗ୍ରେସକୁ ମିଳିପାରେ ମାତ୍ର ୧ଟି ଆସନ ।