ବୁଥ୍ ବାହୁଡା ମତ : ଦିଲ୍ଲୀରେ କଂଗ୍ରେସ-ଆପକୁ ଲାଗିପାରେ ଜୋରଦାର ଝଟକା, ପୁଣିଥରେ କ୍ଲିନ୍ ସୁଇପ କରିପାରେ ବିଜେପି!

531

କନକ ବ୍ୟୁରୋ : ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆର ବୁଥ ବାହୁଡା ମତରେ ଦିଲ୍ଲୀରେ ବିଜେପି ପୁଣିଥରେ ନିଜର ଜଲୱା ଦେଖାଇପାରେ । ସେହିଭଳି କଂଗ୍ରେସ-ଆପ୍ ଆଶାନୁରୂପକ ପ୍ରଦର୍ଶନ କରିବାରେ ବିଫଳ ହୋଇପାରେ ବୋଲି ମିଳିଛି ସଂକେତ । ଯଦି ବୁଥ୍ ବାହୁଡା ମତ ସତ ହୁଏ ତେବେ ବିଜେପି ପୁଣିଥରେ ଦିଲ୍ଲୀରେ କ୍ଲିନ୍ ସୁଇପ୍ । ମୋଟ ୭ ଆସନ ମଧ୍ୟରୁ ୬ରୁ ୭ଟି ଆସନ ହାତେଇପାରେ ବିଜେପି । ସେହିଭଳି ଇଣ୍ଡିଆ ମେଣ୍ଟକୁ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି ।

ଗତ ନିର୍ବାଚନରେ ବିଜେପି ୭ରୁ ୭ ଆସନ ଅକ୍ତିଆର କରିବାରେ ସଫଳ ହୋଇଥିଲା । କିନ୍ତୁ ଚଳିତ ନିର୍ବାଚନରେ ୬ ସାଂସଦଙ୍କ ଟିକେଟ କାଟିବା ସହ ନୂଆ ଚେହେରାଙ୍କୁ ମୈଦାନକୁ ଓହ୍ଲାଇଥିଲା ଦଳ । ଅନ୍ୟପଟେ କଂଗ୍ରେସ ଓ ଆପ୍ ମିଳିତ ଭାବେ ୭ ଆସନରେ ପ୍ରାର୍ଥୀ ଦେଇଥିଲେ । ଆପ୍ ୪ ଆସନ ଓ କଂଗ୍ରେସ ୩ ଆସନରେ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିଲେ । ଦିଲ୍ଲୀରେ ବିଜେପିକୁ ୫୪ ପ୍ରତିଶତ ଭୋଟ ମିଳିବାକୁ ଥିବା ବେଳେ ଇଣ୍ଡିଆ ମେଣ୍ଟକୁ ୪୪ ପ୍ରତିଶତ ଏବଂ ଅନ୍ୟ ଦଳକୁ ୨% ଭୋଟ ମିଳିବାର ସମ୍ଭାବନା ରହିଛି ।