ବୁଥ ବାହୁଡା ମତ: କେରଳ, ତାମିଲନାଡୁରେ ଖାତା ଖୋଲିପାରେ ବିଜେପି

410

କନକ ବ୍ୟୁରୋ: ଆସିଛି ବୁଥ ବାହୁଡା ମତ । ଏହାସହ କିଏ କେଉଁଠି ଅଧିକ ସିଟ ପାଉଛି । ଆଉ କିଏ ବହୁ ମତରେ ସରକାର ଗଢୁଛି ତାକୁ ନେଇ ବିଭିନ୍ନ ସଂସ୍ଥା ନିଜର ସର୍ଭେ ରିପୋର୍ଟ ପ୍ରଦାନ କରିଛନ୍ତି । ତେବେ ବୁଥ ବାହୁଡା ମତ ସହ ତାମିଲନାଡୁ ଓ କେରଳକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଏହି ସ୍ଥାନରେ ବିଜେପି ଗତ ନିର୍ବାଚନରେ ଗୋଟିଏ ବି ସିଟ୍ ଜିତି ପାରିନଥିଲା । ହେଲେ ବୁଥ ବାହୁଡା ମତ ଅନୁସାରେ ଏଥର ବିଜେପି ଉଭୟ କେରଳ ଓ ତାମିଲନାଡୁରେ ଖାତା ଖୋଲିପାରେ ବୋଲି କୁହାଯାଉଛି ।

ଏଥର ଦକ୍ଷିଣ ଭାରତର ଏନଡିଏକୁ ସାମାନ୍ୟ ଫାଇଦା ହୋଇପାରେ । ଦକ୍ଷିଣ ଭାରତର ସବୁଠାରୁ ବଡ ରାଜ୍ୟ ତାମିଲନାଡୁରେ ୩୯ଟି ଲୋକସଭା ସିଟ ରହିଛି । ଯେଉଁଠି ଡିଏମକେ ମୁଖ୍ୟ ଷ୍ଟାଲିନଙ୍କ ଦବଦବା ରହିଛି । ଇଣ୍ଡିଆ ଟୁଡେ ଏଅକ୍ସିସ ମାଇଁ ଇଣ୍ଡିଆର ଏଗଜିଟ ପୋଲ ଅନୁସାରେ ତାମିଲନାଡୁରେ ଡିଏମକେ-କଂଗ୍ରେସ ଗଠବନ୍ଧନ ସବୁଠାରୁ ବଡ ଦଳ ଭାବେ ଉଭା ହେବ । ବୁଥ ବାହୁଡା ମତ ଅନୁସାରେ ଇଣ୍ଡିଆ ମେଣ୍ଟକୁ ୩୩ରୁ ୩୭ ସିଟ୍ ଯାଉଥିବା ବେଳେ ବିଜେପିର ଏନଡିଏ ଗଠବନ୍ଧନକୁ ୨ରୁ ୪ ସିଟ ମିଳିପାରେ ।

ତାମିଲନାଡୁର ୩୯ ସିଟକୁ ଯଦି ରାଜନୈତିକ ଦଳଗୁଡିକର ପ୍ରଦର୍ଶନ ହିସାବରେ ଦେଖିବା ତେବେ ଡିଏମକେ ୨୦ରୁ ୨୨ ଜିତି ଗୋଟେ ବଡ ଦଳ ଭାବେ ସାମ୍ନାକୁ ଆସିବ । ସେହିପରି ବିଜେପି ୧ରୁ ୩ ସିଟ ମିଳିପାରେ ବୋଲି କୁହାଯାଉଛି । ଭୋଟିଂ ପ୍ରତିଶତକୁ ଦେଖିଲେ ଇଣ୍ଡିଆ ବ୍ଲକକୁ ୪୬ ପ୍ରତିଶତ ଭୋଟ ଯାଉଥିବା ବେଳେ ଏନଡିଏକୁ ୨୨ ପ୍ରତିଶତ ଭୋଟ ମିଳୁଥିବା କୁହାଯାଉଛି ।

ସେହିପରି ଦକ୍ଷିଣ ଭାରତର ଆଉ ଗୋଟିଏ ରାଜ୍ୟ କେରଳ ଯେଉଁଠି ବିଜେପି ଗୋଟିଏ ବି ସିଟ ଜିତି ପାରିନି । ହେଲେ ଏଥର ସର୍ଭେ ଅନୁସାରେ ବିଜେପି ଏଠାରେ ୨ରୁ ୩ଟି ସିଟ ଜିତିପାରେ ବୋଲି କୁହାଯାଉଛି । ତେବେ ଯଦି ସର୍ଭେ ରିପୋର୍ଟ ହିସାବରେ ଫଳ ଆସେ ତେବେ ବିଜେପି ଦକ୍ଷିଣ ଭାରତର ଏହି ଦୁଇ ବଡ ରାଜ୍ୟରେ ନିଜ ଖାତା ଖୋଲିବାରେ ସଫଳ ହୋଇପାରେ ।