ବାଲି ମାଫିଆଙ୍କ କବଜାରେ ମହାନଦୀ ପଠା । ବେଆଇନ୍ ଭାବେ ବାଲି ଉଠାଇ ହେଉଛନ୍ତି ମାଲାମାଲ୍

123

କନକ ବ୍ୟୁରୋ: ମହାନଦୀ ପଠା ପାଲଟିଛି ବାଲି ମାଫିଆଙ୍କ ଚରାଭୁଇଁ । ବେଆଇନ୍ ଭାବେ ଟ୍ରାକ୍ଟର, ହାଇୱା ଭଳି ବଡବଡ ଗାଡି ଲଗେଇ ପଡୋଶୀ ଜିଲ୍ଲାକୁ ହେଉଛି ବାଲି ଚୋରା ଚାଲାଣ । ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ସରକାରଙ୍କ କୋଟିକୋଟି ଟଙ୍କାର ରାଜସ୍ୱ ହାନୀ ହେଉଥିବା ବେଳେ ବାଲି ମାଫିଆମାନେ ହେଉଛନ୍ତି ମାଲେମାଲ୍ । ଆମେ ଏଠାରେ ଆଲୋଚନା କରୁଛୁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ତହସିଲ ଅଂଚଳ ସଂପର୍କରେ ।

 

ବାଲି ମାଫିଆମାନେ ସବୁ ନିତିନିୟମକୁ ଜଳାଞ୍ଜଳି ଦେଇ ଦିନରାତି ଖୁଲମଖୁଲା ମହାନଦୀ ପଠାରୁ ଶହଶହ ଟ୍ରିପ୍ ବାଲି ଚାଲାଣ କରୁଛନ୍ତି । କେଉଁଠି ଶ୍ରମିକ ଲୋଡିଂ କରୁଛନ୍ତି ତ ଆଉ କେଉଁଠି ହିଟାଜି ମେସିନ ସାହାଯ୍ୟରେ ଲୋଡିଂ ହେଉଛି ବାଲି । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ତହସିଲ ଅଂଚଳର ମହାନଦୀ ପଠାରୁ ଟ୍ରାକ୍ଟର, ହାଇଓା, ଟ୍ରକ ଭଳି ବଡ ବଡ ଗାଡିରେ ନଦୀ ପଠାରୁ ବାଲି ନେଇ ଅନ୍ୟ ରାଜ୍ୟକୁ ରପ୍ତାନୀ କରୁଛନ୍ତି ମାଫିଆ । ଗୋଟିଏ ଦୁଇଟି ବାଲିଘାଟ ନିଲାମ୍ ହୋଇଥିବା ବେଳେ ଅନ୍ୟସବୁ ବାଲିଘାଟ ବିନା ଟେଣ୍ଡରେ ଚାଲିଛି ।

କିଆକଟା, କୁମ୍ଭିଆ, ନୂଆପଡା, କହ୍ନେଇ ବେରୁଣୀ , ଛେପ୍ରା ଏବଂ ଡେବ୍ରାପାଲିର ମହାନଦୀ ପଠାରୁ ଚାଲିଛି ବାଲି ଚୋରାଚାଲାଣ । ମହାନଦୀ ସେତୁ ନିକଟରୁ ବି ବେଧଡକ ଭାବେ ଚାଲିଛି ବେଆଇନ୍ ବାଲି ଚୋରାଚାଳାଣ । ସରକାରୀ ନିୟମାନୁସାରେ…ସେତୁର ୫ଶହ ମିଟର ଦୂରତା ଭିତରେ ବାଲି ଖୋଳାଯାଇ ପାରିବ ନାହିଁ । କୌଣସି ନଦୀ ପଠାରୁ ବାଲି ଉଠାଇବାକୁ ହେଲେ ପରିବେଶ ମଞ୍ଜୁରୀ ଜରୁରୀ ।

ମାଇନ୍ସ ଏବଂ ମିନେରାଲ ଆକ୍ଟ ଅନୁଯାୟୀ ବାଲି ଉଠାଣ ସ୍ଥାନର ଏରିଆ ଓ ବାଲିର ଗଚ୍ଛିତ ପରିମାଣକୁ ଆକଳନ କରି ବାଲି ପରିବହନ କରାଯିବ । ଏଠାରେ ସବୁ ନିୟମକୁ ଫୁ କରି ଦେଇଛନ୍ତି ବାଲି ମାଫିଆ । ତୁରନ୍ତ ବାଲି ଚୋରା ଚାଲାଣ ରୋକିବା ସହ ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି । ତେବେ ବେଆଇନ ବାଲିଘାଟରୁ ଶହଶହ ଟ୍ରିପ୍ ବାଲି ଚୋରା ଚାଲାଣ କରି ମାଫିଆମାନେ ମାଲାମଲ୍ ହେଉଥିବା ବେଳେ କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର ।