ରିଲିଜର ପ୍ରଥମ ଦିନର ହିଁ କମାଲ କଲା ପ୍ରଭାସଙ୍କ ସାଲାର । ସବୁ ବର୍ଗର ଦର୍ଶକଙ୍କୁ ପସନ୍ଦ ଆସୁଛି ସିନେମା

984

କନକ ବ୍ୟୁରୋ : ପରଦାକୁ ଆସିଲା ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ବହୁପ୍ରତିକ୍ଷିତ ସିନେମା ‘ସାଲାର’ । ଆଦିପୁରୁଷ ପରେ ଦମଦାର୍ ଆକ୍ସନ ସହ ପରଦାକୁ ଫେରିଛନ୍ତି ବାହୁବଳୀ ଷ୍ଟାର ପ୍ରଭାସ । ପ୍ରଥମ ଦିନରେ ଦେଶର ବିଭିନ୍ନ ସହରରେ ସାଲାରା ଦେଖିବାକୁ ସିନେମାହଲ ଆଗରେ ଲାଗିଛି ଦର୍ଶକଙ୍କ ପ୍ରବଳ ଗହଳି । ଟ୍ରେଲରକୁ ଯେଉଁପରି ଦର୍ଶକଙ୍କ ପ୍ରତିକ୍ରିୟା ମିଳିଥିଲା, ଏଥି ସହ ଯେଭଳି ଆଗୁଆ ବୁକିଂ ହୋଇଥିଲା, ସିନେମାଟି ବକ୍ସଅଫିସରେ ଧୁମ୍ ମଚାଇବ ବୋଲି ଆକଳନ କରାଯାଉଥିଲା, ଏହି ଅନୁମାନ ଏବେ ସତ ହୋଇଛି । ପ୍ରଥମ ଦିନରେ ଫିଲ୍ମ ପ୍ରତି ଦର୍ଶକଙ୍କ ସକରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ରିଲିଜ ପୂର୍ବରୁ ଆଡଭାନ୍ସ ଟିକେଟ୍ ବିକ୍ରିରେ ବି ୩୦ କୋଟିରୁ ଅଧିକ ଆୟ କରି ରେକର୍ଡ କରିଛି ଏହି ସିନେମା । ସବୁଠାରୁ ବଡ଼ କଥା ହେଉଛି, ଫିଲ୍ମରେ ଦେଖିବାକୁ ମିଳିଛି ପ୍ରଭାସଙ୍କ ଜବରଦସ୍ତ ଆକ୍ସନ । ମାଫିଆରାଜକୁ ନେଇ ଗତିଶୀଳ ହୋଇଛି ଚଳଚ୍ଚିତ୍ର ‘ସାଲାର’ର କାହାଣୀ । ଛୋଟ ବେଳର ଦୁଇ ସାଙ୍ଗ ପରବର୍ତୀ ସମୟରେ କିଭଳି ନିଜ ନିଜର ଶତ୍ରୁ ପାଲଟି ଯାଇଛନ୍ତି ତାହା ହିଁ ଦେଖିବାକୁ ମିଳିଛି ସିନେମାରେ । ଆକ୍ସନ ସାଙ୍ଗକୁ ଥ୍ରୀଲରରେ ଭରପୁର ‘ସାଲାର’ରେ ପ୍ରଭାସଙ୍କ ଜବରଦସ୍ତ ଡାଏଲଗ ସାଙ୍ଗକୁ ଦମଦାର ଫାଇଟିଂ ସିନ୍ ସ୍ଥାନ ପାଇଛି । ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶ୍ରୁତି ହାସନ, ପୃଥ୍ୱୀରାଜ ଜଗପତି ବାବୁ, ଇଶ୍ୱରୀ ରାଓ ଏବଂ ଶ୍ରୀୟା ରେଡ୍ଡି ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ୪୦୦କୋଟି ବ୍ୟୟରେ ନିର୍ମାଣ ହୋଇଥିବା ‘ସାଲାର’ ବାହୁବଳୀ, କେଜିଏଫ ଭଳି ବ୍ଲକବ୍ଲଷ୍ଟର ଫିଲ୍ମଟି ଟପିଯିବ ବୋଲି ଆକଳନ କରିଛନ୍ତି ସୀନେ ସମୀକ୍ଷକ । ଗୁରୁବାର କିଙ୍ଗଖାନଙ୍କ ଡଙ୍କି ପରଦାକୁ ଆସିଥିବା ବେଳେ ଶୁକ୍ରବାର ମୁକ୍ତିଲାଭ କରିଛି ‘ସାଲାର’ । ବର୍ଷର ଶେଷରେ ଦୁଇ ସୁପରଷ୍ଟାରଙ୍କ ସିନେମା ଭିତରେ ଜବରଦସ୍ତ ଟକ୍କର ହେବ ବୋଲି ଅନୁମାନ କରାଯାଇଛି । ତେବେ ଦେଖିବାକୁ ବାକି ରହିଲା ବକ୍ସଅଫିସରେ କିଏ ବାଜି ମାରୁଛି ।