ଟେନସନରେ ଟାଟା ମ୍ୟାନେଜମେଣ୍ଟ ! ୩ ବର୍ଷ ପରେ ପୁଣି ଟାଟା ସମ୍ଭାଳିବେ ସାଇରସ, ଚେୟାରମ୍ୟାନ୍ ଭାବେ ନିଯୁକ୍ତି ଦେବାକୁ ଏନସିଏଲଏଟିର ନିର୍ଦ୍ଦେଶ ।

459

କନକ ବ୍ୟୁରୋ: ଟାଟା କମ୍ପାନୀ ମ୍ୟାନେଜମେଂଟକୁ ବଡ ଝଟକା । ସାଇସର ମିସ୍ତ୍ରୀଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନସିଏଲଏଟି ବା ନ୍ୟାସନାଲ କମ୍ପାନୀ ଲ’ଆପିଲେଟ ଟ୍ରିବ୍ୟୁନାଲ । ସାଇରସ ମିସ୍ତ୍ରୀଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ହଟାଇବା ସହ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଏନ ଚନ୍ଦ୍ରଶେଖରଙ୍କ ନିଯୁକ୍ତିଙ୍କୁ ମଧ୍ୟ ବେଆଇନ ବୋଲି ଦର୍ଶାଇଛନ୍ତି ଏନସିଏଲଏଟି । ତେବେ ୪ସପ୍ତାହ ପରେ ସାଇସର ମିସ୍ତ୍ରୀଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ପୁନଃ ନିଯୁକ୍ତି ଦେବା ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟ ମଧ୍ୟରେ ଟାଟା କମ୍ପାନୀ ଚାହିଁଲେ ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ ।

ଏନସିଏଲଏଟିର ଏହି ନିଷ୍ପତିକୁ ସାଇରସ ମିସ୍ତ୍ରୀଙ୍କ ବଡ ବିଜୟୀ ବୋଲି କୁହାଯାଉଛି । କାରଣ ୩ବର୍ଷ ପରେ ପୁଣି ଥରେ ଟାଟା ସନ୍ସର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦଭାର ସମ୍ଭାଳିବେ ସାଇରସ ମିସ୍ତ୍ରୀ । ପ୍ରଥମେ ଏନସିଏଲଟି ବା ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲର ମୁମ୍ବାଇ ଶାଖାରେ ସାଇରସ ମିସ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବା ନେଇ ହୋଇଥିବା ଆବେଦନ ଖାରଜ ହୋଇଯାଇଥିଲା । ସାଇରସ ଇନଭେଷ୍ଟରର୍ସ ପ୍ରାଇଭେଟ ଲିମିଟେଡ ଓ ଷ୍ଟର୍ଲିଙ୍ଗ ଇନଭେଷ୍ଟମେଂଟ କର୍ପୋରେସନ ପକ୍ଷରୁ ଏହି ଆବେଦନ ହୋଇଥିଲା । ଏହାପରେ ସାଇରସ ମିସ୍ତ୍ରୀ ନିଜେ ଏନସିଏଲଏଟିରେ ଆବେଦନ କରିଥିଲେ ।

ରତନ ଟାଟାଙ୍କ ଘୋଷଣା ପରେ ୨୦୧୨ରେ ଟାଟାର ଷଷ୍ଠ ଅଧ୍ୟକ୍ଷ ଭାବେ ପଦଭାର ସମ୍ଭାଳି ଥିଲେ ସାଇରସ ମିସ୍ତ୍ରୀ । ଏହାପରେ ୨୦୧୬ରେ ତାଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା । ତେବେ ଟାଟା ସନ୍ସ ବିରୋଧରେ ଅନିୟମିତତା ଓ ସାଇରସଙ୍କୁ ପଦରୁ ହଟାଇବା ପାଇଁ କିଛି ପ୍ରମୋଟର୍ସ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ ଆଣିଥିଲେ ସାଇରସ ଇନଭେଷ୍ଟରର୍ସ ପ୍ରାଇଭେଟ ଲିମିଟେଡ ଓ ଷ୍ଟର୍ଲିଙ୍ଗ ଇନଭେଷ୍ଟମେଂଟ କର୍ପୋରେସନ । ଏହାକୁ ଖଣ୍ଡନ କରିଥିଲା ଟାଟା ସନ୍ସ । ଅପରପକ୍ଷରେ ସାଇରସ ମିସ୍ତ୍ରୀ ବୋର୍ଡ ସଦସ୍ୟଙ୍କ ଭରସା ହରାଇଥିବା ଏବଂ କମ୍ପାନୀଙ୍କୁ କ୍ଷତି ପହଂଚାଇବା ପାଇଁ ଗୁପ୍ତତଥ୍ୟ ଲିକ୍ କରିଥିବା ପାଲଟା ଅଭିଯୋଗ କରିଥିଲା ଟାଟ ସନ୍ସ । ତେବେ ଏହି ମାମଲାରେ ସାଇରସଙ୍କ ପକ୍ଷରେ ନିଷ୍ପତି ଶୁଣାଇଛନ୍ତି ନ୍ୟାସନାଲ କମ୍ପାନୀ ଲ’ଆପିଲେଟ ଟ୍ରିବ୍ୟୁନାଲ ।

ରତନ ଟାଟା ଓ କମ୍ପାନୀର ବୋର୍ଡ ସଦସ୍ୟ ସାଇରସ ମିସ୍ତ୍ରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ । ଏବଂ ୨୪ ଅକ୍ଟୋବର, ୨୦୧୬ରେ ତାଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା । ଏହାସହ ଟାଟା ଗ୍ରୁପର ଅନ୍ୟ କମ୍ପାନୀ ଗୁଡିକରୁ ମଧ୍ୟ ତାଙ୍କୁ ବାହାରି ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେଣୁ ୬କମ୍ପାନୀର ବୋର୍ଡ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ ।