ନିର୍ବାଚନ ପୂର୍ବରୁ ରାଜସ୍ଥାନ କଂଗ୍ରେସର ବିଦ୍ରୋହ । ଗେହଲଟଙ୍କ ବିରୋଧରେ ଅନଶନ କରିବାକୁ ପାଇଲଟଙ୍କ ଚେତାବନୀ

701

କନକ ବ୍ୟୁରୋ : ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଯୁବନେତା ସଚ୍ଚିନ ପାଇଲଟ ପୁଣିଥରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ପାଇଲଟ ଏବେ ଗେହଲଟଙ୍କ ଉପରେ ଅଭିଯୋଗ ଆଣିଛନ୍ତି କି ଗେହଲଟ ବିଜେପି ନେତାଙ୍କୁ ରକ୍ଷା କରିବା କାମରେ ଲାଗିପଡିଛନ୍ତି । ପାଇଲଟ ଅଶୋକ ଗେହଲଟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଦରାରାଜେ ସିନ୍ଧିଆଙ୍କ ଭିତିରି ମେଣ୍ଟ ରହିଥିବା କଥା ଅଭିଯୋଗ କରିଛନ୍ତି । ପାଇଲଟ କହିଛନ୍ତି କି ବିଜେପି ରାଜ୍ୟରେ ଯେତେ ଦୁର୍ନୀତି କରିଥିଲା ସେସବୁ ମାମଲାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଚପାଇ ଦେଇଛନ୍ତି ।

ପାଇଲଟ କହିଛନ୍ତି କି ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲା କି ସରକାରକୁ ଆସିଲେ ସମସ୍ତ ଦୁର୍ନୀତି ମାମଲାର ଯାଂଚ ହେବ । ହେଲେ ସରକାରକୁ ଆସିବା ପରେ ଗେହଲଟ ଏସବୁ କଥା ଭୁଲି ଯାଇଛନ୍ତି । ଏନେଇ ସେ ଏପ୍ରିଲ ୧୧ ତାରିଖରେ ସହିଦ ସ୍ମାରକୀ ଠାରେ ଗେହଲଟଙ୍କ ବିରୋଧରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

ପାଇଲଟ କହିଛନ୍ତି କି, କେନ୍ଦ୍ର ସରକାର ବିରୋଧୀଦଳ ନେତାଙ୍କୁ ଟାର୍ଗେଟ କରିବାକୁ ଯାଇ ମିଥ୍ୟା ମାମଲାରେ ଯାଂଚ ଏଜେନ୍ସି ମାନଙ୍କୁ ବ୍ୟବହାର କରୁଥିବା ବେଳେ ରାଜସ୍ଥାନରେ ପ୍ରକୃତରେ ହୋଇଥିବା ଦୁର୍ନୀତି ମାମଲାରେ ଯାଂଚ କରାଯାଉ ନାହିଁ । ଏହାର କାରଣ ହେଉଛି ଅଶୋକ ଗେହଲଟ ଓ ବସୁନ୍ଧରା ରାଜେ ସିନ୍ଧିଆଙ୍କ ମେଣ୍ଟ ବୋଲି ପାଇଲଟ ଅଭିଯୋଗ କରିଛନ୍ତି ।