ଥମୁନି ଋଷର ରାଗ । ୟୁକ୍ରେନର ବଡ ମଲରେ ରକେଟ୍ ମାଡ । ୧୬ମୃତ, ୫୦ରୁ ଅଧିକ ଗୁରୁତର

161

କନକ ବ୍ୟୁରୋ: ଯୁଦ୍ଧକୁ ୪ ମାସ ହେଲାଣି । ଛାରଖାର ହୋଇଯାଇଛି ୟୁକ୍ରେନ । ତଥାପି ଥମୁନି ୟୁକ୍ରେନ ଉପରେ ଋଷର ରାଗ । ୟୁକ୍ରେନର ଏକ ଜନବହୁଳ ସ୍ଥାନରେ ଥିବା ମଲ ଉପରେ ମିସାଇଲ ମାଡ କରିଛି ଋଷ । ଫଳରେ ଘଟଣାସ୍ଥଳରେ ୧୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ହୋଇଛି ।

ୟୁକ୍ରେନ ବାୟୁସେନାର କହିବା ମୁତାବକ, କ୍ରେମେନଚୁକ୍ ସହରରେ ଥିବା ସପିଙ୍ଗ ମଲ୍ ଉପରେ ଋଷ ଆକ୍ରମଣ କରିଛି । କେଏଚ୍-୨୨ ଆଣ୍ଟି ସିପ୍ ମିଶାଇଲରେ ଏହାକୁ ଟାର୍ଗେଟ କରାଯାଇଛି ।  ଏହି ଘଟଣା ପରେ ସ୍ଥାନୀୟ ଇଲାକାରେ ହଇଚଇ ସୃଷ୍ଟି ହୋଇଛି । ଏହି ଘଟଣାକୁ ନିନ୍ଦା କରିବା ସହ ଏହାକୁ ଋଷର କ୍ରୁରତା ଓ ବର୍ବରତା ବୋଲି କହିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ।

ମଲ୍ ଜଳୁଥିବାର ଦୃଶ୍ୟର ଭିଡିଓ ଜାରି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି । ଏହି ମଲରେ ୧ହଜାରରୁ ଅଧିକ ଲୋକ ଥିଲେ । ତେବେ ଏଯାଏଁ ମୃତକଙ୍କ ସଂଖ୍ୟା ସଠିକ ଭାବେ ଆକଳନ କରାଯାଇପାରିନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଜେଲେନସ୍କି କହିଛନ୍ତି ।

କହିରଖୁଁ ଯେ, କ୍ରେମନଚୁକ୍ ୟୁକ୍ରେନର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ପେଣ୍ଠସ୍ଥଳୀ, ଯାହା ନିପ୍ରୋ ନଦୀ ତଟରେ ଅବସ୍ଥିତ । ଏଠିକାର ଜନସଂଖ୍ୟା ପାଖାପାଖି ୨ ଲକ୍ଷ ହେବ । ହେଲେ ଋଷର ମିଶାଇଲ ଆଟକ ପରେ ଏଠିକାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି ।

ଯୁଦ୍ଧ ପ୍ରଭାବିତ ୟୁ୍େରକନ ପ୍ରତି ସମର୍ଥନ ଗାରି ରଖିବାକୁ ଜି-୭ ରାଷ୍ଟ୍ରଗୋଷ୍ଠୀ ସୋମବାର ଘୋଷଣା କରିଛନ୍ତି । ଜର୍ମାନୀରେ ଚାଲିଥିବା ଶିଖର ସମ୍ମିଳନୀ ଅବସରରେ ଜି-୭ ରାଷ୍ଟ୍ର ସମୂହ କହିଛନ୍ତି ଯେ, ଯେତେଦିନ ଯାଏଁ ଋଷର ଆକ୍ରମଣ ଜାରି ରହିଥିବା ସେତେଦିନ ଯାଏଁ ୟୁକ୍ରେନକୁ ସାହାଯ୍ୟ ଯୋଗାଇଦିଆଯିବ ବୋଲି ସମ୍ମିଳନୀରେ ନିଷ୍ପତ୍ତି ହୋଇଛି ।