ଜାତିସଂଘ ସୁରକ୍ଷା ପରିଷଦରେ ଅଧ୍ୟକ୍ଷତା କରିବ ରୁଷିଆ: ୟୁକ୍ରେନ କ୍ଷୁବ୍ଧ, ଯୁଦ୍ଧ ଅପରାଧୀ ଅଭିଯୁକ୍ତ କହି ଉଠାଇଲା ପ୍ରଶ୍ନ

283

କନକ ବ୍ୟୁରୋ: ୧୫ମାସ ପରେ ପୁଣି ଥରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଗ୍ରହଣ କରିଛି ରୁଷିଆ । ଯାହାକୁ ବିରୋଧ କରିବା ସହ ପ୍ରଶ୍ନ ଉଠାଇଛି ୟୁକ୍ରେନ । ୟୁକ୍ରେନ କହିଛ ଜଣେ ଯୁଦ୍ଧ ଅପରାଧୀ ଅଭିଯୁକ୍ତକୁ ଅଧ୍ୟକ୍ଷତା ପାଇଁ କାହିଁକି ମିଳିଲା ସୁଯୋଗ ? ୧୫ ସଦସ୍ୟ ବିଶିଷ୍ଟ ଜାତିସଂଘ ପରିଷଦରେ ପୂର୍ବରୁ ୨୦୨୨ ଫେବ୍ରୁଆରୀ ମାସ ପାଇଁ ରୁଷ ଅଧ୍ୟକ୍ଷତା କରିଥିଲା । ଆଉ ସେତିକି ବେଳେ ହିଁ ୟୁକ୍ରେନ ଉପରେ ପୂର୍ଣ୍ଣାଙ୍ଗଭାବେ ଆକ୍ରମଣ କରିଥିଲା ।

ୟୁକ୍ରେନର ବିରୋଧ ସତ୍ୱେ ଯୁଦ୍ଧ ଅପରାଧ ଅଭିଯୁକ୍ତ ରଷିଆ ଜାତିସଂଘ ସୁରକ୍ଷା ପରିଷଦ ଅଧ୍ୟକ୍ଷ ପଦ ଗ୍ରହଣ କରିଛି । ଘଟଣାକୁ ନେଇ ଆପତି ପ୍ରକାଶ କରିଛି ୟୁକ୍ରେନ ଓ କହିଛି ଏହା ଅସଙ୍ଗତ, ଅନୁଚିତ ଓ ବିଧ୍ୱଂସକାରୀ ଅଟେ । ୟୁକ୍ରେନ ରାଷ୍ଟ୍ରପତି ବୋଲଡମିର ଜେଲେନସ୍କି ଟୁଇଟ କରି ବିରୋଧ ଜାରି କରିଛନ୍ତି । ଜେଲେନସ୍କି କହିଛନ୍ତି ଯେଉଁ ଦେଶର ନେତା ଯୁଦ୍ଧ-ଅପରାଧରେ ଅଭିଯୁକ୍ତ ଓ ଯାହାଙ୍କ ବିରୋଧରେ ଅର୍ନ୍ତଜାତୀୟ ଗିରଫ ୱାରେଂଟ ରହିଛି,ଏବେ ତାଙ୍କ ଅଧିନରେ ମିଳିତ ଜାତିସଂଘ ପରିଷଧ ପରିଚାଳିତ ହେବ । ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଗ୍ରହଣଯୋଗ୍ୟ ନୁହେଁ ।

ଜାତିସଂଘ ସୁରକ୍ଷା ପରିଷଦର ୧୫ଜଣ ସଦସ୍ୟ ଗୋଟିଏ ଲେଖାଏଁ ପାଳି କରି ପରିଷଦର ଅଧ୍ୟକ୍ଷ ପଦ ଗ୍ରହଣ କରିଥାନ୍ତି । ୨୦୨୨ ଫେବ୍ର୍ରୁଆରୀ ମାସରେ ରୁଷ ଯେତେବେଳେ ପରିଷଦର ଅଧ୍ୟକ୍ଷ ଥିଲା ସେତେବେଳେ ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲା ।

ୟୁକ୍ରେନ ଉପରେ ବର୍ବରତା କରୁଛି ରୁଷିଆ । ଆଉ ଏବେ ଜାତିସଂଘ ସୁରକ୍ଷା ପରିଷଦ ଅଧ୍ୟକ୍ଷ ପଦ ଗ୍ରହଣ ଘଟଣାକୁ ସହଜରେ ଗ୍ରହଣ କରିପାରୁନି ୟୁକ୍ରେନ । ୟୁକ୍ରେନ ବିଦେଶମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି ରୁଷର ଅଧ୍ୟକ୍ଷତା ଏକ ବିଭତ୍ସ ଉପହାସ । ଅର୍ନ୍ତଜାତୀୟ ସୁରକ୍ଷା ଢାଂଚା ଭୁଲ ଦିଗରେ ଗତି କରୁଥିବା ଏଥିରୁ ପ୍ରମାଣିତ ହେଉଛି ।