ମାଓ ଇଲାକାରେ ରୋବୋଟ୍ ଯୁଦ୍ଧ ! ଲ୍ୟାଣ୍ଡମାଇନ୍ ଠାବ ସହ ନଷ୍ଟ କରିବ ଯନ୍ତ୍ରଚାଳିତ ଯବାନ୍, ସାଜିବ ଅମୋଘ ଅସ୍ତ୍ର

58

କନକ ବ୍ୟୁରୋ : ଘଂଚ ଜଙ୍ଗଲରେ ନକ୍ସଲ ନିପାତର ନୂଆ ଫର୍ମୁଲା । ମାଓବାଦୀଙ୍କ ମୁକାବିଲା କରିବ ରୋବୋଟ୍ । ମାଟିତଳୁ ଲ୍ୟାଣ୍ଡମାଇନ୍ ଓ ଆଇଇଡି ଠାବ କରି ତାକୁ ଡିଫ୍ୟୁଜ୍ କରିବ ସ୍ୱତନ୍ତ୍ର ରୋବୋଟ୍ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମୋଦନ କ୍ରମେ ମୁମ୍ବାଇ ଆଇଆଇଟିର ଛାତ୍ରଛାତ୍ରୀ ମାନେ ଏହି ରୋବଟକୁ ଡିଜାଇନ୍ କରିଛନ୍ତି । ବର୍ତ୍ତମାନ ହାଇଦ୍ରାବାଦ ସ୍ଥିତ ପୁଲିସ୍ ତାଲିମ କେନ୍ଦ୍ରରେ ଏହାର ପରୀକ୍ଷଣ କରାଯାଉଛି ।

ଖୁବଶୀଘ୍ର ଏହି ଯନ୍ତ୍ର ଚାଳିତ ଯବାନଙ୍କୁ ଛତିଶଗଡର ବସ୍ତର, ଓଡିଶାର ମାଲକାନଗିରି ଓ ଆନ୍ଧ୍ରର ବିଭି୍ନ୍ନ ମାଓ ଉପଦ୍ରୁତ ଅଂଚଳରେ ମୁତୟନ କରାଯିବ । ଏହି ଯନ୍ତ୍ର ଚାଳିତ ଯବାନରେ ଲାଗିଛି, ଉଚ୍ଚକ୍ଷମତା ସମ୍ପନ୍ନ ସେନ୍ସର । ଯାହା ଭୂଗର୍ଭର ୧୦ ଫୁଟ ଯାଏଁ ଯେକୌଣସି ଧାତୁକୁ ଅତି ସହଜରେ ଚିହ୍ନଟ କରିପାରିବ । ଆଉ ତାର ଫଟୋ ଉଠାଇ ପୁଲିସ୍ କଂଟ୍ରୋଲ ରୁମକୁ ପଠାଇ ପାରିବ ।

ଖାଲି ଲ୍ୟାଣ୍ଡମାଇନ୍ ନୁହଁ, ଏହି ରୋବୋ କପକୁ ଯେ କୌଣସି ମାଓ ବିରୋଧୀ ଅପରେସନରେ ଫ୍ରଣ୍ଟଲାଇନ୍ ଫୋର୍ସ ଭାବେ ବ୍ୟବହାର କରାଯାଇପାରିବ । ଜଙ୍ଗଲ ଭିତରେ ମାଓବାଦୀଙ୍କ ଅବସ୍ଥିତି, ସେମାନଙ୍କ ସଂଖ୍ୟା ଓ ଆସ୍ତ୍ରଶସ୍ତ୍ରର ଟିକିନିକ ସୂଚନା ଦେବାର କ୍ଷମତା ରହିଛି ଏହି ଅତ୍ୟାଧୁନିକ ରୋବଟ୍ ପାଖରେ । ୨ଶହ ମିଟର ଦୂରରୁ ଏହାକୁ ଅପଡେଟ୍ କରାଯାଇପାରିବ । ପୂର୍ବରୁ ଚାଳକବୀହିନ ଯାନ ‘ଦକ୍ଷ’କୁ ଯୁଦ୍ଧ କ୍ଷେତ୍ରରେ ବ୍ୟବହାର କରିସାରିଛି ଭାରତୀୟ ପ୍ରତିରକ୍ଷା ବିଭାଗ । ଯାହା ତୁଳନାରେ ଏହି ରୋବୋଟର ଦକ୍ଷତା ଅଧିକ ।

ଗତ ଏପ୍ରିଲ ୨୯ ତାରିଖ, ସୁକମା ଜିଲ୍ଲା ବୁର୍କାପାଲ ମାଓହିଂସା ପରେ ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପୁଲିସ୍ ଡିଜିଙ୍କ ସହ ବୈଠକ କରିଥିଲେ ଗୃହମନ୍ତ୍ରୀ ରାଜନାଥ ସିଂ । ମାଓ ଦମନ ପାଇଁ ତିଆରି ହୋଇଥିଲା ୮ ସୁତ୍ରୀ ‘ସମାଧାନ’ ଯୋଜନା । ଆଗକୁ ବାୟୋମେଟ୍ରିକ ବନ୍ଧୁକ, ୟୁନିକ ଟ୍ରାକାର୍ ଯୁକ୍ତ ବୁଲେଟ୍ ପ୍ରୁଫ ଜ୍ୟାକେଟ ଏବଂ ଅତ୍ୟାଧୁନିକ ଜୋତା ମାଓ ଦମନ ଅଭିଯାନରେ ସାମିଲ୍ କରାଯିବ । ଯାହାକୁ ଲୁଟି ନେଲେ ମଧ୍ୟ ସେଗୁଡିକର ଲୋକେସନ ଜାଣି ପାରିବ ପୁଲିସ୍ ।

ଗତ ୨୦ ବର୍ଷ ମଧ୍ୟରେ ପ୍ରାୟ ୨୭୦୦ ପୁଲିସ୍ କର୍ମଚାରୀଙ୍କ ସମେତ ୧୨ ହଜାର ସାଧାରଣ ଲୋକ ମାଓ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମାଓବାଦୀଙ୍କ ଗଡକୁ ପ୍ରତିହତ କରିବାରେ ମାଇନ ପ୍ରୋଟେକ୍ସନ ଭେହିକିଲ ଫେଲ ମାରିଛି । ଏଥର ରୋବୋଟ୍ ଉପରେ ରହିଛି ସମସ୍ତଙ୍କ ନଜର ।