ମୂଳା ୪୯୦, ଆଳୁ କିଲୋକୁ ୨୨୦ । ଶ୍ରୀଲଙ୍କାରେ ସଙ୍କଟ, ଜନତା ହନ୍ତସନ୍ତ । ପନିପରିବା ଦର ଦେଖି ଡରିଲେଣି ଶ୍ରୀଲଙ୍କାବାସୀ ।

590

କନକ ବ୍ୟୁରୋ : ଶ୍ରୀଲଙ୍କା ଏବେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଆଉ ଏହି ଆର୍ଥିକ ସଙ୍କଟ ଏବେ ପଡୋଶୀ ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି । ଶ୍ରୀଲଙ୍କାର ଏହି ଭୟଙ୍କର ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ନିଜର ପଦ ଛାଡିଛନ୍ତି । ସେହିଭଳି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ଭବନ ଛାଡି କୌଣସି ଏକ ଗୁପ୍ତ ସ୍ଥାନରେ ଡେରା ପକାଇଛନ୍ତି । ଖୁବଶୀଘ୍ର ସେ ମଧ୍ୟ ନିଜର ପଦରୁ ଇସ୍ତଫା ଦେବେ । ତେବେ ଏସବୁ ଭିତରେ ସାଧାରଣ ଜନତା ଏବେ ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇଛନ୍ତି । କିନ୍ତୁ ଏଭଳି ସଙ୍କଟ ଭିତରେ ସାଧାରଣ ଜନତାଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି ଜରୁରୀକାଳୀନ ସାମଗ୍ରୀର ଆକାଶଛୁଆଁ ଦର ।

ଶ୍ରୀଲଙ୍କାରେ ଏବେ ଟମାଟୋ କିଲୋ ୧୫୦ ଟଙ୍କାରେ ପହଞ୍ଚିଥିବା ବେଳେ ମୂଳାର ଦର ୪୯୦ ଟଙ୍କା ଛୁଇଁଛି । ପିଆଜ ୨୦୦, ଆଳୁ ୨୨୦ ଟଙ୍କାରେ ବିକ୍ରି ହେଉଛି । ଆଉ ଏହି ସବୁ ପନିପରିବା ଦରବୃଦ୍ଧି ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ସୃଷ୍ଟି କରିଛି । କେବଳ ପନିପରିବା ନୁହେଁ ପୂର୍ବରୁ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ସାଧାରଣ ଲୋକଙ୍କର ଚିନ୍ତା ବଢାଇଥିବା ବେଳେ ବିଦ୍ୟୁତ୍ ସେବା ଭୟଙ୍କର ଭାବେ ବାଧାପ୍ରାପ୍ତ ହୋଇଛି । ଋଣଭାରରେ ବୁଡିରହିଥିବା ଶ୍ରୀଲଙ୍କାରେ ଏବେ ବିଦେଶୀ ମୁଦ୍ରାର ଘୋର ଅଭାବ । ସ୍ଥିତି ଏମିତି ହୋଇଛି ଯେ, ପେଟ୍ରୋଲ ପମ୍ପରେ ସେନାକୁ ମୁତୟନ କରାଯାଇଛି । ଆଉ ସ୍ୱାଧୀନତା ପରେ ଏହା ଶ୍ରୀଲଙ୍କା ପାଇଁ ସବୁଠୁ ବଡ ସଙ୍କଟ ଭାବେ ଉଭା ହୋଇଛି ।

ମାତ୍ର ୨୨ କୋଟି ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କାରେ ଏବେ ଔଷଧ ପାଇଁ ବି ହାହାକାର ପଡିଛି । ଲୋକଙ୍କୁ ରୋଷେଇ ପାଇଁ କିରୋସିନି ତେଲ କିମ୍ବା ଏଲପିଜି ସିଲିଣ୍ଡର ମିଳୁନାହିଁ । ଏପରିକି ଶ୍ରୀଲଙ୍କାରେ ଏବେ ସ୍କୁଲ ଗୁଡିକୁ ବନ୍ଦ କରାଯାଇଛି । କେବଳ ଜରୁରୀ ସେବା ପାଇଁ ଇନ୍ଧନ ମହଜୁଦ ରଖାଯାଇଛି । ପେଟ୍ରୋଲ ଓ ଡିଜେଲର ଭୟଙ୍କର ସଙ୍କଟ କାରଣରୁ ରୋଗୀ ହସ୍ପିଟାଲ ପହଞ୍ଚି ପାରୁନାହାନ୍ତି । ଟ୍ରେନ ଚଳାଚଳର ସଂଖ୍ୟା ମଧ୍ୟ କମ କରାଯାଇଛି । ଲୋକେ ଟ୍ରେନର ବଗି ଉପରେ ବସି ଯାତ୍ରା କରୁଛନ୍ତିି ।