ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’ : ବାତ୍ୟାର ରୂପ ନେଇ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଉଛି; ଖୁବଶୀଘ୍ର ଉତ୍ତର,ଉତ୍ତର-ପୂର୍ବ ଦିଗରେ କରିବ ରି-କର୍ଭ

343

କନକ ବ୍ୟୁରୋ : ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି । ବାତ୍ୟାର ରୂପ ନେଇ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଉଛି ଅସାନି । ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ୫୫୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି । ସେହିପରି ପୁରୀଠାରୁ ୬୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ମଛଲିପଟ୍ଟନମ୍ଠାରୁ ୬୦ କିଲୋମିଟର ଓ କାକିନାଡାଠାରୁ ୧୮୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟା ହେବ ୧୨ କିଲୋମିଟର ବେଗରେ ଆଗକୁ ବଢୁଛି ।

ଖୁବଶୀଘ୍ର ଏହା କାକିନାଡା ପାଖରେ ସାମାନ୍ୟ ସ୍ଥଳଭାଗକୁ ଯାଇ ପୁଣି ଦିଗ ପରିବର୍ତ୍ତନ କରିବ । ଓଡ଼ିଶା ଉପକୂଳ ସହ ସମାନ୍ତରାଳ ଭାବେ ନୁହେଁ, ବରଂ ବହୁ ଦୂରରେ ଅତି ଦୁର୍ବଳ ଭାବେ ବାତ୍ୟା ଆଗକୁ ବଢିବ । କାକିନାଡାଠାରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିବ । ଏହା ପ୍ରଭାବରେ ଆଜି ଆନ୍ଧ୍ର ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଓଡ଼ିଶା ଉପକୂଳଠାରୁ ବାତ୍ୟା ସମୁଦ୍ର ମଧ୍ୟରେ ବହୁ ଦୂରରେ ଅତିକ୍ରମ କରିବ । ସେତେବେଳକୁ ଏହା ଏହା ଅବପାତର ରୂପ ନେଇସାରିଥିବ ।

ଦିଗ ବଦଳାଇ କିଛି ବାଟ ଆନ୍ଧ୍ର ମୁହାଁ ହେବା ସହିତ ଏହି ଭୀଷଣ ବାତ୍ୟା କାକିନାଡା ପାଖରେ ସାମାନ୍ୟ ସ୍ଥଳଭାଗ ପାଖକୁ ଯାଇ ପୁଣି ଦିଗ ପରିବର୍ତ୍ତନ କରିବ । ଫଳରେ ଓଡ଼ିଶା ପ୍ରତି ବିପଦ ଆପାତତଃ ଟଳିଯାଇଛି ଓ ଓଡ଼ିଶା ଉପକୂଳ ସହିତ ସମାନ୍ତରାଳ ଭାବେ ନୁହେଁ, ବରଂ ବହୁ ଦୂରରେ ଅତି ଦୁର୍ବଳ ଚେହେରା ନେଇ ବାତ୍ୟା ଆଗକୁ ବଢ଼ିବ । କାକିନାଡ଼ାଠାରେ ପବନର ବେଗ ୭୦ରୁ ୮୦ କିମି ରହିବ‌ । ଏହା ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ପରେ ସେଠାରୁ ‘ଅସାନି’ ଦିଗ ବଦଳାଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାମୁହାଁ ହେବ । କିନ୍ତୁ ଓଡ଼ିଶା ଉପକୂଳଠାରୁ ବାତ୍ୟା ସମୁଦ୍ର ମଧ୍ୟରେ ବହୁ ଦୂରରେ ଅତିକ୍ରମ କରିବ ଓ ସେତେବେଳକୁ ଏହା ଅବପାତର ରୂପ ନେଇସାରିଥିବ।

ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହ କୋରାପୁଟ, ରାୟଗଡ଼ା, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଆଦି ଜିଲ୍ଲାରେ ମଧ୍ୟମଧରଣର ବର୍ଷା ହେବ । ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ଆଇଏମ୍‌ଡି ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଅପରପକ୍ଷେ ଗଜପତି, ଗଞ୍ଜାମ, ପୁରୀରେ ଆସନ୍ତାକାଲି ୭୦ରୁ ୨୦୦ ମିମି ବର୍ଷା ହେବ ବୋଲି ଆକଳନ କରାଯାଇଛି। ୧୨ ତାରିଖ ଦିନ ମଧ୍ୟ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏଣୁ ଆସନ୍ତା ୧୨ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ଆଇଏମ୍‌ଡି ପକ୍ଷରୁ ସତର୍କ କରାଯାଇଛି ।