ୟୁକ୍ରେନକୁ ଅଧିକ ବଳ ଯୋଗାଇବ ଆମେରିକା: ୩୩ ବିଲିୟନ ଡଲାର ସାହାଯ୍ୟ ଦେବ ବାଇଡେନ ସରକାର

199

କନକ ବ୍ୟୁରୋ: ୟୁକ୍ରେନକୁ ଅଧିକ ପରିମାଣର ଯୁଦ୍ଧାସ୍ତ୍ର ଓ ସେନା ଶକ୍ତି ପଠାଇବା ପାଇଁ ଏବେ ଅଂଟା ଭିଡିଛି ଆମେରିକା । ।ହ୍ୱାଇଟ ହାଉସ ଓଭାଲ ଅଫିସରେ ଲେଣ୍ଡ-ଲିଜ-ଆକ୍ଟ ଉପରେ ସ୍ୱାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏହି ସ୍ୱାକ୍ଷର ପରେ ଆମେରିକ ୟୁକ୍ରେନକୁ ଖୋଲାହାତରେ ସାହାଯ୍ୟ କରି ପାରିବ ବୋଲି କୁହାଯାଉଛି । ଏହା ସହ ୟକ୍ରେନକୁ ଆଉ ଅତିରିକ୍ତ ୩୩ ବିଲିୟନ ଡଲାରର ସହାୟତା ପ୍ରଦାନ କରିବା ନେଇ ବାଇଡେନ ପ୍ରଶାସନ ଘୋଷଣା କରିଛି । ୨ୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ବିରୋଧରେ ଲଢିବା ଲାଗି ମିତ୍ରଶକ୍ତିଙ୍କୁ ଅସ୍ତ୍ରଯୋଗାଣ ପାଇଁ କରାଯାଇଥିବା ଏହି ଆଇନକୁ ପୁଣି କାର୍ଯ୍ୟକାରୀ କରିଛନ୍ତି ବାଇଡେନ ସରକାର । ୨ୟ ବିଶ୍ୱଯୁଦ୍ଧ ସମୟରେ ଜମାନୀକୁ ପରାସ୍ତ କରିବା ଲାଗି ତକ୍ରାଳୀନ ରାଷ୍ଟ୍ରପତି ଫ୍ରାଙ୍କଲିନ ରୁଜଭେଲ୍ଟ ଏହି ଆଇନ ବଳରେ ସହଯୋଗୀ ରାଷ୍ଟ୍ରଙ୍କୁ ବିପୁଳ ଅସ୍ତ୍ରଶସ୍ତ୍ର ପ୍ରଦାନ କରିଥିଲେ ।

ଦୀର୍ଘ ୬ଦଶନ୍ଧି ପରେ ପୁଣି ଥରେ ଏହି ଆଇନକୁ କାର୍ଯ୍ୟକାରି କରିଛି ଆମେରିକା । ଏହି ଆଇନ ବଳରେ ୟୁକ୍ରେନକୁ ଆମେରିକା ଏଣିକି ହାତଖୋଲା ସାହାଯ୍ୟ ଭାବେ ଗୋଳା,ଟ୍ୟାଙ୍କ, ବିମାନ ଧ୍ୱଂସୀ କ୍ଷେପଣାସ୍ତ୍ର ଓ ସେନା ଯୋଗାଇପାରିବ । ଆମେରିକା ଏହି ନିଷ୍ପତିକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲଡମୀର ଜେଲେନସ୍କି ବାଇଡେନ ସରକାରଙ୍କୁ ପ୍ରଂଶସା ତଥା ଧନ୍ୟବାଦ ଜଣାଇଛନ୍ତି । ସେପଟେ ୟୁକ୍ରେନକୁ ସମର୍ଥନ କରୁଥିବା ଫ୍ରାନ୍ସ ଓ ଜର୍ମାନ ମଧ୍ୟ ଯୁଦ୍ଧରେ ୟୁକ୍ରେନକୁ ସମସ୍ତ ପ୍ରକାର ସାହାଯ୍ୟ ଦେବା ପାଇଁ ଘୋଷଣା କରିଛନ୍ତି ।

ୟୁକ୍ରେନ ପାଇଁ ଆମେରିକାର ଏହା ନିଶ୍ଚିତଭାବେ ଏକ ବଡ ପଦକ୍ଷେପ । ଯୁଦ୍ଧରେ ୟୁକ୍ରେନକୁ ଆମେରିକା ନିଜ ପୂର୍ଣ୍ଣ ସମର୍ଥନ ଓ ସହଯୋଗ ଯୋଗାଇ ଆସୁଛି । ଏବେ ଲେଣ୍ଡ-ଲିଜ-ଆକ୍ଟ ଉପରେ ସ୍ୱାକ୍ଷର କରି ଆମେରିକା ରାଷ୍ଟ୍ରପତି ବାଇଡେନ ସ୍ପଷ୍ଟ କରିଛନ୍ତି କି ରୁଷ ପ୍ରତି ତାଙ୍କ ଆଭିମୁଖ୍ୟ ଆଗକୁ ଅଧିକ କଡ଼ାକଡ଼ି ହେବ ।

ସେପଟେ ହଠାତ ୟୁକ୍ରେନ ଗସ୍ତ କରି ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ୟୁକ୍ରେନ ରାଜଧାନୀ କିଭରେ ଉଭୟ ନେତାଙ୍କ ମଧ୍ୟରେ ଯୁଦ୍ଧ ସ୍ଥିତି ଉପରେ ବୈଠକ ହୋଇଛି । ଯୁଦ୍ଧକୁ ନିନ୍ଦା କରିବା ସହ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଯୁଦ୍ଧ ଅପରାଧୀ ବୋଲି କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ । ଏଥିସହ ୟୁକ୍ରେନ ସହ କାନାଡା ସମର୍ଥନ ଓ ସହଯୋଗ ରହିଥିବା ପୁଣି ଥରେ ସ୍ପଷ୍ଟ କରିଛନ୍ତି ଟୁଡୋ । ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଭିନ୍ନ ରାଷ୍ଟ୍ରର ମୁଖ୍ୟ ଓ ନେତା ୟୁକ୍ରେନରେ ପହଁଚି ସ୍ଥିତି ପରଖୁଛନ୍ତି । ରବିବାର ଆମେରିକା ଫାଷ୍ଟ ଲେଡି ଜିଲ ବାଇଡେନ ୟୁକ୍ରେନରେ ପହଁଚି ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଥିଲେ ।