ୟୁପି ରାମପୁରରେ ସପାର ଜୋରଦାର ବିକ୍ଷୋଭ ପ୍ରଦର୍ଶନ: ଆଜମ ଖାନ ଓ ପୁଅ ଅବଦୁଲ୍ଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ

ଆଇନ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨ଶହ ଜଣଙ୍କୁ ଉଠାଇ ନେଲା ପୋଲିସ

115

କନକ ବ୍ୟୁରୋ: ସାମଜବାଦୀ ସାଂସଦ ଆଜମ ଖାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ରାମପୁରରେ ହଙ୍ଗାମା । ହଜାର ହଜାର ଦଳୀୟ କର୍ମୀ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଆଜମଙ୍କ ପୁଅ, ବହୁ ବିଧାୟକ ଓ ଦଳୀୟ କର୍ମୀଙ୍କୁ ପୁଲିସ ଗିରଫ କରିନେବାରୁ ସପାର ଶକ୍ତି ପ୍ରଦର୍ଶନ ଯୋଜନା ବିଫଳ ହୋଇଛି ।

ରାମପୁରରେ ସମାଜାବାଦୀପାର୍ଟି କର୍ମକର୍ତ୍ତାଙ୍କ ହଙ୍ଗାମା । ପୁଲିସ ଓ ସପା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି । ଜୌହର ୟୁନିର୍ଭସିଟିକୁ ନେଇ ସପା ସାଂସଦ ଆଜମ ଖାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ରାସ୍ତାକୁ ଓହ୍ଲାଇଲେ ଦଳୀୟ କର୍ମୀ । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଆଜମ ଖାନଙ୍କ ପୁଅ ଅବଦୁଲା ଖାନ ଓ ୧୫୦ ଦଳୀୟ କର୍ମୀଙ୍କୁ ଗିରଫ କରିଛି ପୁଲିସ । ଫଳରେ ରାମପୁରରେ ସପାର ଶକ୍ତି ପ୍ରଦର୍ଶନ ଯୋଜନା ଫେଲ ମାରିଛି । ଅନ୍ୟପଟେ ଡିଜିପି ଓପି ସିଂହ କହିଛନ୍ତି କାହାରିକୁ ଆଇନକୁ ହାତକୁ ନେବା ପାଇଁ ଦିଆଯିବ ନାହିଁ ।

ସେପଟେ, ସପା କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନକୁ ଆଖିରେ ରଖି ପୁଲିସ ପ୍ରଶାସନ ତରଫରୁ ରାମପୁରରେ ୧୪୪ ଧାରା ଜାରି କରାଯାଇଥିଲା । ସହରରେ କଡା ସୁରକ୍ଷା ଓ ୧୪୪ ଧାରାକୁ ବେଖାତିର କରି ବହୁ ସପା କର୍ମୀ ରାମପୁର ଆସୁଥିବାରୁ ସହରର ସବୁ ପଥକୁ ସିଲ କରିଥିଲା ପୁଲିସ । ଯେଉଁଠାରେ କର୍ମୀଙ୍କୁ ପୁଲିସ ଅଟକାଇଲା ସେଠାରେ ଧାରଣାରେ ବସିଥିଲେ ବିକ୍ଷୋଭକାରୀ । ଯାହାକୁ ଦେଖି ରାମପୁରରେ ୧୪୪ ଧାରା ଜାରି ହୋଇଥିବା ବେଳେ ସପା କର୍ମୀଙ୍କ ହଙ୍ଗାମାକୁ ବିଜେପି ନେତା ତୀବ୍ର ସମାଲୋଚନା କରିଛନ୍ତି ।