ଯାଜପୁରର ‘ରାମ-ସୀତା’ କଳି । ସ୍ତ୍ରୀଙ୍କ ସହ ଝଗଡାକୁ ନେଇ ଆଜିକୁ ୪୨ ବର୍ଷ ଧରି ଭାତ ଖାଉନାହାଁନ୍ତି ରାମ

1,511

କନକ ବ୍ୟୁରୋ: ଯାଜପୁରର ରାମ-ସୀତା କାହାଣୀ । ଅଭିମାନ କରି ୪୨ ବର୍ଷ ହେଲା ଭାତ ଖାଉନାହାଁନ୍ତି ରାମ । ପତ୍ନୀଙ୍କ ସହ ଖାଇବାକୁ ନେଇ ଝଗଡା ହେବାରୁ ଏତେ ବର୍ଷ ହେବ ଭାତ ଖାଇବା ଛାଡିଦେଇଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ଭିକିପୁର ଗାଁର ରାମଚନ୍ଦ୍ର ମାଝି ।

ପତ୍ନୀ ଏବଂ ୫ ଝିଅ, ଦୁଇ ପୁଅଙ୍କୁ ନେଇ ରାମଚନ୍ଦ୍ରଙ୍କ ପରିବାର । ୪୨ ବର୍ଷ ତଳର ସେଦିନର ଘଟଣା । ରାମ ବଜାରରୁ ପରିବା ଆଣି ପତ୍ନୀ ସିତାଙ୍କୁ ଦେଇ ରୋଷେଇ କରିବାକୁ କହିଥିଲେ । ହେଲେ ଘରର ଅନ୍ୟାନ୍ୟ କାମ ଥିବାରୁ ପତ୍ନୀ ରୋଷେଇ କରିପାରିନଥିଲେ । ରାମ କାମରୁ ଫେରି ଦେଖିବାରୁ ରୋଷେଇ ହୋଇନଥିଲା । ଆଉ ସେ ରାଗିଯାଇ ସୀତାଙ୍କ ସହ ଝଗଡା କରିଥିଲେ । ଏହି କଥାକୁ ନେଇ ସ୍ତ୍ରୀ ଓ ପରିବାରକୁ ଛାଡି ପାଖରେ ଏକ କୁଡିଆ ବନାଇ ସେଠାରେ ରହିଥିଲେ । ଆଉ ସେହିଦିନ ଠାରୁ ରାମ ପତ୍ନୀଙ୍କ ଉପରେ ଅଭିମାନ କରି ଭାତ ଖାଇବା ଛାଡିଦେଇଛନ୍ତି । ଚା, ଜଳଖିଆ, ବିସ୍କୁଟ, ମୁଢିକୁ ସେ ଏବେ ପ୍ରଧାନ ଖାଦ୍ୟ ଭାବେ ମାନିନେଇଛନ୍ତି ।

ପରିବାରଠୁ ଅଲଗା ରହୁଥିଲେ ବି ପତ୍ନୀ ଏବଂ ପରିବାର ଲୋକେ ସେମାନଙ୍କୁ ପାଖକୁ ଆସୁଛନ୍ତି । ସବୁ ପୁଅ, ଝିଅଙ୍କ ବିବାହ ସରିଲାଣି ହେଲେ ଏବେବି ରାମ ଘରକୁ ଯାଉନାହାଁନ୍ତି କି ଭାତ ଖାଉନାହାଁନ୍ତି । ହେଲେ ପ୍ରତିଦିନ କାମ କରି ଯାହା କିଛି ଆୟ କରୁଛି ସଂନ୍ଧ୍ୟାରେ ପତ୍ନୀଙ୍କ ହାତକୁ ଧରାଇ ଦେଉଛି । ତେବେ କାହିଁକି ରାମ ଏଭଳି ନିଷ୍ପତ୍ତିି ନେଲେ, କଣ ହୋଇଥିଲା ସେଦିନ, କାହିଁକି ଏତେଦିନ ସେହି ପ୍ରତିଜ୍ଞାରୁ ହଟିପାରୁନାହାଁନ୍ତି ରାମ । ଏନେଇ ରାମଙ୍କ ସହ ଆଲୋଚନା କରିଥିଲେ ଆମ ଗଣମାଧ୍ୟମ ପ୍ରତିନିଧି ।