ଯେଉଁଠି ବିଜେପି ସରକାର, ସେଠାରେ ଦଙ୍ଗା ହେଉଛି । ରାଜସ୍ଥାନରେ ସେମିତି କରିବାକୁ ଚେଷ୍ଟା କଲେ କଡା କାର୍ଯ୍ୟାନୁଷ୍ଠାନ ନେବୁ ।

110

କନକ ବ୍ୟୁରୋ : ରାଜସ୍ଥାନର କରୋଲିରେ ରାମନବମୀ ଦିନ ହୋଇଥିବା ହିଂସାକାଣ୍ଡ ଘଟଣାରେ ଗେହଲଟ ସରକାରକୁ ଟାର୍ଗେଟ କରି ଆସୁଛି ବିଜେପି । ଏହାପୂର୍ବରୁ କରୋଲି ହିଂସାକାଣ୍ଡ ଘଟଣାକୁ ବିରୋଧ କରି ବିଜେପି ନ୍ୟାୟ ଯାତ୍ରା ବାହାର କରିବାକୁ ଘୋଷଣା କରିଥିଲା । ତେବେ ଏହି ନ୍ୟାୟ ଯାତ୍ରା ଆରମ୍ଭ ପୂର୍ବରୁ ଭାରତୀୟ ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ତେଜସ୍ୱୀ ସୂର୍ଯ୍ୟାଙ୍କୁ ରାଜସ୍ଥାନ ପୋଲିସ ନିଜ ହେପାଜତକୁ ନେଇଛି । କେବଳ ତେଜସ୍ୱୀ ନୁହଁନ୍ତି ଏହି ଯାତ୍ରାରେ ସାମିଲ ହେବାକୁ ଆସିଥିବା ଅଧିକାଂଶ କର୍ମୀଙ୍କୁ ମଧ୍ୟ ଉଠାଇ ନେଇଛି ପୋଲିସ । ନ୍ୟାୟ ଯାତ୍ରା ପୂର୍ବରୁ ସମସ୍ତଙ୍କୁ ଦୋସା ବର୍ଡରରେ ଅଟକାଇଥିଲା ପୋଲିସ ।

ଅନ୍ୟପଟେ ଏହି ଘଟଣାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେ କହିଛନ୍ତି, ଯେଉଁ ରାଜ୍ୟରେ ବିଜେପି ସରକାରରେ ଅଛି ସେଠାରେ ରାମନବମୀରେ ଦଙ୍ଗା ହୋଇଛି । ରାଜସ୍ଥାନରେ ରାମନବମୀକୁ ସବୁ ସମୁଦାୟର ଲୋକ ମିଳିତ ଭାବେ ପାଳନ କରିଛନ୍ତି । ଆଉ ରାଜସ୍ଥାନବାସୀଙ୍କ ଏକତାକୁ ଦେଖି ବିଜେପି ଏବେ ବ୍ୟଥିତ । ରାଜସ୍ଥାନରେ କିଭଳି ଶାନ୍ତିପୂର୍ଣ୍ଣ ଭାବେ ରାମନବମୀ ପାଳିତ ହେଲା ତାହାକୁ ନେଇ ବିଜେପି ନେତା ଚିନ୍ତାରେ ଥିଲେ । ବିଜେପି ନେତା ବାରମ୍ବାର ପ୍ରୟାସ କରୁଛନ୍ତି ଯେ, କିଭଳି ରାଜ୍ୟରେ ସାଂପ୍ରଦାୟିକ ମାହୋଲ ସୃଷ୍ଟି କରାଯିବ । ସେଥିପାଇଁ କେତେବେଳେ କରୋଲି ଯାଇ ଲୋକଙ୍କୁ ଉସକାଉଛନ୍ତି ତ ପୁଣି କେତେବେଳେ ରାଜ୍ୟପାଳଙ୍କୁ ଭେଟୁଛନ୍ତି । ତେବେ ଏହାସତ୍ତେ୍ୱ ମଧ୍ୟ ରାଜ୍ୟ ସରକାର ସୁରକ୍ଷାକୁ ନେଇ ସଜାଗ ରହିଛନ୍ତି, ଯେପରି କୌଣସି ଅପ୍ରିୟ ଘଟଣା ନ ହୁଏ । ଏହାସହ ଗେହଲଟ ଚେତାବନୀ ଦେଇ କହିଛନ୍ତି, ଯଦି ରାଜ୍ୟର ଶାନ୍ତିଭଙ୍ଗ ପାଇଁ କେହି ପ୍ରୟାସ କରେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇବୁ ନାହିଁ । ସିଏ ଯିଏ ବି ହେଉନା କାହିଁକି, ଯେଉଁ ସମୁଦାୟରୁ ଆସିଥାନ୍ତୁ ନା କାହିଁକି? ଗତ ୨ ଏପ୍ରିଲରେ କରୋଲିରେ ଦୁଇ ସମୁଦାୟ ମଧ୍ୟରେ ହିଂସା ହୋଇଥିଲା । ଯେଉଁଥିରେ ୩୫ ଲୋକ ଆହତ ହୋଇଥିଲେ । ୮୦ ଲୋକଙ୍କର ଘର ଜଳାଇ ଦିଆଯାଇଥିଲା । ଆଉ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୧୪ ତାରିଖ ଯାଏଁ କର୍ଫ୍ୟୁ କଟକଣାକୁ ବଢାଇ ଦିଆଯାଇଛି ଏବଂ କରୋଲିର ପ୍ରବେଶପଥରେ କଡା ସୁରକ୍ଷାବ୍ୟବସ୍ଥା କରାଯାଇଛି ।