ଜମ୍ମୁ-କାଶ୍ମୀରରେ ବି ରାହୁଲଙ୍କୁ ଲାଗୁନି ଥଣ୍ଡା: ବର୍ଷା ପାଇଁ ରେନ୍ କୋଟରେ ଆସିଲେ ନଜର

142

କନକ ବ୍ୟୁରୋ: କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ଯାତ୍ରା ଏବେ ଜମ୍ମୁ-କାଶ୍ମୀରରେ ପହଁଚିଛି । ଆଉ ଏଠାରେ ବି ନିଜ ସମର୍ଥକଙ୍କୁ ନେଇ ଯାତ୍ରା କରିଛନ୍ତି ରାହୁଲ ଗାନ୍ଧୀ । ପ୍ରବଳ ଥଣ୍ଡା ସତ୍ୱେ ରାହୁଲ ଗାନ୍ଧୀ ଏଠାରେ ବି ଟି-ସାର୍ଟରେ ନଜର ଆସିଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ଥର ଭାରତ ଯୋଡ ଯାତ୍ରାରେ ରେନ୍ କୋଟ୍ ପିନ୍ଧିଥିବାର ନଜର ଆସିଛନ୍ତି । ଶୁକ୍ରବାର ଜମ୍ମୁ-କାଶ୍ମୀର କାଠୁଆ ଜିଲ୍ଲାରେ ରାହୁଲ ଗାନ୍ଧୀ ନିଜ ସମର୍ଥକଙ୍କୁ ନେଇ ଭାରତ ଯୋଡ ଯାତ୍ରା କରିଥିଲେ । ଏହି ସମୟରେ ବର୍ଷା ହୋଇଥିବାରୁ ପ୍ରଥମ ଥର ରେନ୍ କୋଟ୍ ପିନ୍ଧି ଯାତ୍ରା କରିବାର ନଜର ଆସିଥିଲେ ରାହୁଲ । ତେବେ ବର୍ଷା ଶେଷ ହେବା ପରେ ତୁରନ୍ତ ହିଁ ରେନ୍ କୋଟ୍ ଖୋଲି ଦେଇଥିଲେ । ତେବେ ଭାରତର ସବୁଠାରୁ ଥଣ୍ଡା ସ୍ଥାନ ଭାବେ ଜଣା ଯାଉଥିବା ଜମ୍ମୁ-କାଶ୍ମୀରରେ ବି ରାହୁଲଙ୍କୁ କିଭଳି ଥଣ୍ଡା ଲାଗୁ ନାହିଁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ଶୀତ ରୁତୁରେ ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଟି-ସାର୍ଟ ପିନ୍ଧିବାକୁ ନେଇ ଅନେକ ଚର୍ଚ୍ଚା, ଆଲୋଚନା ହେଉଛି । ରାହୁଲଙ୍କୁ କିପରି ଥଣ୍ଡା ଲାଗୁନି ଏହାକୁ ନେଇ ଅନେକ କଟାକ୍ଷ କରିବାକୁ ପଛାଇ ନାହାଁନ୍ତି ବିଜେପି ନେତା । ହେଲେ ରାହୁଲ ନିଜର ଏହି ଷ୍ଟାଇଲ୍ କାୟମ୍ ରଖିଛନ୍ତି ।

ଗୁରୁବାର ଜମ୍ମୁ-କାଶ୍ମୀରରେ ଏଂଟ୍ରି କରିଛି ଭାରତ ଯୋଡ ଯାତ୍ରା । ଏଥିରେ ରାହୁଲଙ୍କୁ ମଶାଲ ଧରି ସମର୍ଥକଙ୍କ ସହ ରାଲି କରୁଥିବା ଦେଖିବାକୁ ମିଳିଥିଲା । ସେପଟେ ଶୁକ୍ରବରା ଉଦ୍ଧବ ଠାକରେ ଗୋଷ୍ଠିର ଶିବସେନା ସାଂସଦ ସଂଜୟ ରାଉତ ଭାରତ ଯୋଡ ଯାତ୍ରାରେ ଯୋଡି ହୋଇଛନ୍ତି । ତାଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଯାତ୍ରା କରିଛନ୍ତି ରାହୁଲ ।

୭ ସେପ୍ଟେମ୍ବର ୨୦୨୨ରେ ତାମିଲନାଡୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା କଂଗ୍ରେସର ଭାରତ ଯୋଡ ଯାତ୍ରା । ୧୯ ଜାନୁଆରୀରେ ଏହି ଯାତ୍ରା ଜମ୍ମୁ-କାଶ୍ମୀରରେ ପ୍ରବେଶ କରିଛି । ୧୨୫ ଦିନରେ ରାହୁଲ ଗାନ୍ଧୀ ୧୩ଟି ରାଜ୍ୟ ଦେଇ ଯାତ୍ରା କରିଛନ୍ତି । ଜମ୍ମୁ-କାଶ୍ମୀରରେ ୯ ଦିନ ଧରି ଏହି ଯାତ୍ରା ହେବ । ଆଉ ୩୦ ଜାନୁଆରୀରେ ଶେଷ ହେବ ଭାରତ ଯୋଡ ଯାତ୍ରା । ଏଥିପାଇଁ ୨୧ଟି ରାଜନୈତିକ ଦଳର ପ୍ରମୁଖ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି ।