‘ଭାରତ ଯୋଡୋ’ ଯାତ୍ରାରେ ରଘୁରାମ ରାଜନ । ବିଜେପି କହିଲା, ଦ୍ୱିତୀୟ ମନମୋହନ ସିଂହ

120

କନକ ବ୍ୟୁରୋ : ଭାରତ ଯୋଡୋ ଯାତ୍ରାରେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ । ବୁଧବାର ରାଜସ୍ଥାନରେ ରାହୁଲ ଗାନ୍ଧୀଙ୍କ ସହିତ ରଘୁରାମ ରାଜନ ଏହି ଯାତ୍ରାରେ ସାମିଲ ହେବା ପରେ ତାଙ୍କୁ ନେଇ ବଢିଛି ରାଜନୈତିକ ଚର୍ଚ୍ଚା । ବିଭିନ୍ନ ସମୟରେ ମୋଦୀ ସରକାରଙ୍କ ଆର୍ଥିକ ନୀତିକୁ ସମାଲୋଚନା କରିଆସୁଛନ୍ତି ରଘୁରାମ । ଏପରି ସ୍ଥିତିରେ ରଘୁରାମ ଭାରତ ଯୋଡୋ ଯାତ୍ରାରେ ସାମିଲକୁ ସହଜରେ ଗ୍ରହଣ କରିପାରିନି ବିଜେପି ।

ମୋଦୀ-ଇକୋନୋମିକୁ ବାରମ୍ବାର ସମାଲୋଚନା କରୁଥିବା ରଘୁରାମ ରାଜନ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବା ଦେଉଛି ଏକ ନୂଆ ବାର୍ତ୍ତା । ତେଣୁ ବିଜେପି ଏବେ ରଘୁରାମଙ୍କୁ କଂଗ୍ରେସର ଦ୍ୱିତୀୟ ମନମୋହନ ସିଂହ ବୋଲି କହିବା ଆରମ୍ଭ କରିଛି । ୨୦୨୪ରେ ହେବାକୁ ଅଛି ଲୋକସଭା ନିର୍ବାଚନ । ଏହାପୂର୍ବରୁ ଭାରତ ଯୋଡୋ ଜରିଆରେ କଂଗ୍ରେସ ତୃଣମୂଳ ସ୍ତରରେ ପହଂଚିବାକୁ ପ୍ରୟାସ କରୁଛି । ଏହି ଯାତ୍ରାରେ ଅନେକ ବୁଦ୍ଧିଜୀବୀ, ନେତା ଓ କଳାକାରମାନେ ମଧ୍ୟ ସାମିଲ ହେଉଛନ୍ତି । ତେଣୁ ଆଗାମୀ ଦିନରେ ରଘୁରାମ କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି ଆଶା କରାଯାଉଛି । ରଘୁରାମ ରାଜନ ଅନ୍ୟ କଥାରେ ପରିଚାଳିତ ହେଉଥିବା ଭଳି ଜଣେ ବ୍ୟକ୍ତି । ସେ ଜଣେ ସୁବିଧାବାଦୀ ଲୋକ ବୋଲି ବିଜେପି କହିଛି ।

ସେପ୍ଟେମ୍ବର ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଆରବିଆଇର ଗଭର୍ଣ୍ଣର ଥିଲେ ରଘୁରାମ ରାଜନ । ଏହାପୂର୍ବରୁ ଅକ୍ଟୋବର ୨୦୦୩ରୁ ଡିସେମ୍ବର ୨୦୦୬ ଆଇଏମଏଫର ଇକୋନମିକ କାଉନସେଲର ଥିଲେ ସେ । ଶୁକ୍ରବାର ଭାରତ ଯୋଡୋ ଯାତ୍ରା ୧୦୦ ଦିନରେ ପହଂଚିବାକୁ ଯାଉଛି । ଏହା ପୂର୍ବରୁ ଯାତ୍ରାରେ ସାମିଲ ହୋଇ କଂଗ୍ରେସକୁ ଉତ୍ସାହିତ କରିଛନ୍ତି ରଘୁରାମ ।