ଲାଞ୍ଚ କାରବାରର ଗୁମର ଖୋଲିଲେ ଆଦିବାସୀ ମହିଳା : ଅତିରିକ୍ତ ଜିଲ୍ଲାପାଳଙ୍କୁ ଡଙ୍ଗରିଆ ମହିଳାଙ୍କ ପ୍ରଶ୍ନ, ବାବୁ ଟଙ୍କା ପଠାଇଥିଲି, ତତେ ମିଳିଲା କି?

1,123

କନକ ବ୍ୟୁରୋ : ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ଏହି ଜନଜାତିର ଉତଥାନ ପାଇଁ ସରକାରଙ୍କ ଏକାଧିକ ସଂସ୍ଥା କାର୍ଯ୍ୟ କରୁଛି । କିନ୍ତୁ ବାସ୍ତବରେ ସେମାନେ ସୁବିଧା ପାଉଛନ୍ତି କି ନାହିଁ ତାର ତଦାରଖ କରାଯାଉନି । ଫଳରେ ଗରିବ ଲୋକଟି ବହୁ ଅସୁବିଧାର ସାମ୍ନା କରୁଛି । କିପରି ଏହି ଜନଜାତିଙ୍କୁ ଶୋଷଣ କରାଯାଉଛି ତାହାକୁ ସାମ୍ନାକୁ ଆଣିଛନ୍ତି ଡଙ୍ଗରିଆ କନ୍ଧ ମହିଳା ଚାଷୀ ଟିମି ପୁଷିକା ।

ଆଉ ସେ ପ୍ରଶାସନକୁ ଦେଇଥିବା ଲାଂଚ ଟଙ୍କା ମିଳିଲା ନା ନାହିଁ ସିଧାସଳଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଛନ୍ତି ଟିମି । ଯାହା ଶୁଣି ଅଧିକାରୀ ପ୍ରଥମେ ସ୍ତବ୍ଧ ହୋଇଯାଇଥିଲେ । କିନ୍ତୁ ପରେ ଦୁର୍ନୀତିର ପେଡି ଖୋଲିଥିଲେ ମହିଳା । ସୂଚନା ମୁତବାକ, ରାୟଗଡ଼ା ନିୟମଗିରି ପାହାଡରେ ବସବାସ କରନ୍ତି ଟିମି । ଜନଜାତି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦେଶ୍ୟରେ ସରକାରଙ୍କ ତରଫରୁ ୨୭ ହଜାର ଟଙ୍କା ତାଙ୍କୁ ମିଳିଥିଲା । ଡିକେଡିଏ ଅଧିନରେ କାର୍ଯ୍ୟ କରୁଥିବା ଓଡ଼ିଶା ଜନଜାତି ସଶକ୍ତିକରଣ ଓ ଜୀବୀକା ଉନ୍ନତିକରଣ(ଓପିଲିପି) ପକ୍ଷରୁ ଏହି ଟଙ୍କା ଦିଆଯାଇଥିଲା ।

ଟିମିଙ୍କ ଆକାଉଂଟକୁ ଟଙ୍କା ଆସିବା ପରେ ଓପିଲିପିର ଦୁଇ ଜଣ ଅଧିକାରୀ ତାଙ୍କ ପାଖରେ ପହଂଚିଥିଲେ । ବ୍ୟବସାୟ କରିବା ପାଇଁ ଟିମିଙ୍କୁ ଡିଜିଟାଲ ନିକିତି, ସାଇକେଲ, ପ୍ଲାଷ୍ଟିକ ଚୌକି ଦେଇ ୧୪ ହଜାର ୨୦୦ ଟଙ୍କା ତାଙ୍କ ଠୁ ନେଇ ଯାଇଥିଲେ । ଏହା ପରେ ଲାଂଚ ବାବଦକୁ ୬ ହଜାର ୫୦୦ ଟଙ୍କା ତାଙ୍କ ଠାରୁ ନେଇଥିଲେ । ଏବଂ ଏହି ଟଙ୍କା ଅଧିକାରୀଙ୍କୁ ଦେବେ ବୋଲି କହିଥିଲେ । ସରଳତାର ସୁଯୋଗ ନେଇ ଓପିଲିପି ଅଧିକାରୀ ତାଙ୍କଠୁ ଟଙ୍କା ନେଇଯାଇଥିବା ଜାଣିବା ପରେ ଟିମି ପ୍ରଥମେ ଜିଲ୍ଲାପାଳଙ୍କୁ ଭେଟି ଏସମ୍ପର୍କରେ ପଚାରିବାକୁ ଯାଇଥିଲେ । କିନ୍ତୁ ଜିଲ୍ଲାପାଳନ ଥିବାରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିଲେ । ତେବେ ଘଟଣା ସାମ୍ନାକୁ ଆସିବା ପରେ ଜଣେ ଅଧିକାରୀ ତାଙ୍କଠୁ ନେଇଥିବା ଟଙ୍କା ଫେରାଇଥିବା ସୂଚନା ମଳିଛି ।