ଷ୍ଟେଜରେ ଚାଲୁନଥିଲା ଏସି, ଭିତରେ ଥିଲା ପ୍ରବଳ ଭିଡ । ବଲିଉଡର ଲୋକପ୍ରିୟ ଗାୟକ କେକେଙ୍କ ମୃତ୍ୟୁକୁ ନେଇ ଉଠିଲା ଅନେକ ପ୍ରଶ୍ନ, ଆୟୋଜକଙ୍କୁ ପଚରାଉଚରା କରୁଛି ପୋଲିସ ।

327

କନକ ବ୍ୟୁରୋ : ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କେକେଙ୍କ ଅକାଳ ବିୟୋଗ ସଭିଁଙ୍କୁ ଯେତିକି ମର୍ମାହତ କରିଛି, ସେତିକି ଚକିତ କରିଛି । ମଙ୍ଗଳବାର କୋଲକାତାରେ ସଙ୍ଗୀତ ପରିବେଷଣ ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ କେକେ । ପରେ ଡାକ୍ତରଖାନାରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା । ଆଶ୍ଚର୍ଯ୍ୟର କଥା କେକେଙ୍କୁ ପୂର୍ବରୁ ସେଭଳି କୌଣସି ରୋଗ ନଥିଲା । ଆଉ ସେ ସବୁବେଳେ ନିଜ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେଉଥିଲେ । ନିୟମିତ ଯୋଗ, ବ୍ୟାୟାମ୍ କରୁଥିଲେ । ତଥାପି ଅସ୍ୱାଭାବିକ୍ ଭାବେ ତାଙ୍କର ମୃତ୍ୟୁ ହୋଇଛି । ଷ୍ଟେଜ୍ ଉପରେ ନିଜର ସୁପରହିଟ୍ ଗୀତ ହମ ରହେଁ ନା ରହେଁ କଲ.. ଗାଇବା ପରେ ପରେ ହିଁ ଅସୁସ୍ଥ ହୋଇଯାଇଥିଲେ କେକେ । ଆଉ ତାଙ୍କର ଏହି ଗୀତ ଶେଷ ଗୀତ ହୋଇ ରହିଗଲା । ଯେଉଁ ଷ୍ଟେଜ୍ ତାଙ୍କ ପାଇଁ ଲୋକପ୍ରିୟତା ଆଣି ଦେଇଥିଲା ସେହି ଷ୍ଟେଜରେ ହିଁ ତାଙ୍କ ଜୀବନର ପୂର୍ଣ୍ଣଚ୍ଛେଦ ପଡିଗଲା । ୧୯୯୯ର ଫିଲ୍ମ ହମ ଦିଲ ଦେ ଚୁକେ ସନମରେ ସ୍ଥାନ ପାଇଥିବା ସୁପରହିଟ୍ ଗୀତ ତଡପ ତଡପ କେ.. ଗୀତ କେକେଙ୍କୁ ବଲିଉଡରେ ପରିଚିତ କରାଇଥିଲା । ଏହାପରେ ସଚ୍ କେହ ରାହା ହୈ ଦିବାନା, ପଲ୍, ଜରା ସା ଦିଲ ମୈଁ ଦେ ଜଗା, ଦିଲ ଇବାଦତ୍, ଜିନ୍ଦେଗି ଦୋ ପଲ କି.. ଏଭଳି ଅନେକ ମନଛୁଆଁ ଗୀତ ଭେଟି ଦେଇଛନ୍ତି କେକେ । ଯାହା ସ୍ମୃତି ହୋଇ ସବୁଦିନ ପାଇଁ ରହିଯାଇଛି ।

କୋଲକାତାରେ ଏକ ଷ୍ଟେଜ ସୋ ସମୟରେ ହଠାତ ଅସୁସ୍ଥ ଅନୁଭବ କରୁଥିବା ବିଶିଷ୍ଟ ବଲିଉଡ୍ ଗାୟକ କେକେଙ୍କୁ ଧରି ଧରି ନିଆ ଯାଉଥିବାର ଏହି ଦୃଶ୍ୟ ଚାରିଆଡେ ଭାଇରାଲ ହୋଇଛି । ହଠାତ ତାଙ୍କ ଦେହରୁ ଝାଳ ବାହାରିଲା, ଓ ସେ ଅସହଜ ମନେ କରୁଥିବା ନେଇ ଆୟୋଜକଙ୍କୁ ଜଣାଇଥିଲେ । ତୁରନ୍ତ ସୋ ବନ୍ଦ କରି ସେ ଚାଲି ବି ଆସିଲେ । ଏହାପରେ ତାଙ୍କୁ ସିଧା ହସପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ହମ ରହେଁ ୟା ନାଁ ରହେଁ କଲ୍, ଏଇ ଗୀତ ପରେ ସବୁଦିନ ପାଇଁ ନୀରବି ଗଲେ ଗାୟକ କେକେ । ଏହି ସୁପରହିଟ ଗୀତ ଯେ ତାଙ୍କ ଜୀବନର ଶେଷ ଗୀତ ହେବ ଏହା କେହି ବିଶ୍ୱାସ କରିନଥିଲେ । ଜୀବନର ଶେଷ ଷ୍ଟେଜ ସୋ’ରେ ତାଙ୍କର ପ୍ରସିଦ୍ଧ ଗୀତ ପଲ୍ ଗାଇ ଦର୍ଶକଙ୍କ ମନମୋହି ନେଇଥିଲେ । ଆଉ ଏହାପରେ ସବୁଦିନ ପାଇଁ ନୀରବ ଯାଇଥିଲେ ସମସ୍ତଙ୍କ ପ୍ରିୟ କେକେ । ଏହାପରେ ଆଉ ଶୁଭିବନି କେକେଙ୍କ ଦମଦାର ଭଏସ । ତାଙ୍କ ଗୀତରେ ଆଉ ଦୁଲୁକିବନି ମଂଚ କି ଝୁମିବେନି ଦର୍ଶକ ।

ଲାଇଭ କନସର୍ଟରେ କୋଲକାତାର ଦର୍ଶକଙ୍କୁ ମସଗୁଲ କରିଦେଇଥିଲେ କେକେ । ତୁ ଆଶିକି ହେ, କ୍ୟା ମୁଝେ ପ୍ୟାର ହେ ଗୀତଠାରୁ ଆରମ୍ଭ କରି ଶେଷରେ ହମ ରହେଁ ୟା ନାଁ ରହେଁ କଲ୍ ଗୀତ ଗାଇଥିଲେ କେକେ ।

ବଲିଉଡ ସିଙ୍ଗର କ୍ରିଷ୍ଣକୁମାର କୁନ୍ନଥ, ପ୍ରଶଂସକଙ୍କ ମଧ୍ୟରେ କେକେ ନାଁରେ ପରିଚିତ । ମଙ୍ଗଳବାର ଦିନ କୋଲକାତାରେ ଷ୍ଟେଜ ସୋ’ ପରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ଘଟଣାରେ ଆୟୋଜକକୁ ପଚରାଉଚରା କରୁଛି କୋଲକାତା ପୋଲିସ । ସେ ରହିଥିବା ହୋଟେଲରେ ଫରେନସିକ୍ ଟିମ୍ ପହଂଚି ତଦନ୍ତ କରିଛି । ଏସଏସକେଏମ୍ ହସ୍ପିଟାଲରେ ତାଙ୍କ ପୋଷ୍ଟମର୍ଟମ କରାଯିବା ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।