ମନି ଲଣ୍ଡରିଂ ମାମଲାରେ ସୋନିଆ ଓ ରାହୁଲଙ୍କ ବଢିଲା ଅଡ଼ୁଆ । ସମନ ଜାରି କଲା ପ୍ରବର୍ତନ ନିର୍ଦ୍ଦେଶାଳୟ, କଂଗ୍ରେସ କହିଲା ଭୟଭୀତ ହୋଇ ଏଭଳି କରୁଛନ୍ତି କେନ୍ଦ୍ର ସରକାର ।

99

କନକ ବ୍ୟୁରୋ : କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟର ସମନ୍ । ନ୍ୟାସନାଲ ହେରାଲ୍ଡ ଅର୍ଥନୈତିକ ଅନିୟମିତତା ମାମଲାରେ ସୋନିଆ ଓ ରାହୁଲଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି କରିଛି ଇଡି । ଫଳରେ କଂଗ୍ରେସର ଏହି ଦୁଇ ତୁଙ୍ଗନେତାଙ୍କୁ ଜେରା କରିବେ ଇଡି ଅଧିକାରୀ । ଜୁନ୍ ୮ ତାରିଖରେ ଏହି ନୋଟିସ କରାଯାଇଛି ।

ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସମନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ବେଆଇନ ଟଙ୍କା ନେଣଦେଣ ନେଇ ପଚରଉଚରା ପାଇଁ ଜୁନ ୮ ତାରିଖରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛି ଇଡି । ଯାହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୀତି । ୧୯୪୨ରେ ନ୍ୟାସନାଲ ହେରାଲ୍ଡର ସ୍ୱରକୁ ଚାପିବାକୁ ଚେଷ୍ଟା କରିଥିଲେ ବ୍ରିଟିଶ ସରକାର ଆଉ ଏବେ ବିଜେପି ଇଡିକୁ ବ୍ୟବହାର କରି ସମାନ କଥା କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେୱାଲା । ଜବାବରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା କଂଗ୍ରେସ ମୁଁହରେ ମଇଳା ଲାଗିଥିବା ବେଳେ, ନେତାମାନେ ଆଇନା ସଫା କରିବାରେ ବ୍ୟସ୍ତ ବୋଲି କହିଛନ୍ତି ।

୨୦୧୨ରେ ବିଜେପି ନେତା ସୁବ୍ରମଣିଆନ ସ୍ୱାମୀ କଂଗ୍ରେସ ନେତାଙ୍କ ବିରୋଧରେ ଏହି ମାମଲା କରିଥିଲେ । ଅଭିଯୋଗ ମୁତାବକ, ନ୍ୟାସନାଲ ହେରାଲ୍ଡ ଖବର କାଗଜର ପ୍ରକାଶନ ସଂସ୍ଥା ଆସୋସିଏଟେଡ ଜର୍ଣ୍ଣାଲକୁ ଚଂଚକତା କରି କଂଗ୍ରେସ ନେତା ଅଧିଗ୍ରହଣ କରିଥିଲେ । ଯେଉଁଥିରେ ୨ ହଜାର କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଛି ।
ନ୍ୟାସନାଲ ହେରାଲ୍ଡ ଦୁର୍ନୀତି କଣ?
– ୧୯୩୭ରେ ଜବାହରଲାଲ ନେହେରୁଙ୍କ ଦ୍ୱାରା ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ ନାମକ ପ୍ରକାଶନ ସଂସ୍ଥା ପ୍ରତିଷ୍ଠା ହୋଇଥିଲା
– ଯାହା ଅଧୀନରେ ନ୍ୟାସନାଲ ହେରାଲ୍ଡ ଇଂରାଜୀ ଖବର କାଗଜ ପ୍ରକାଶିତ ହେଉଥିଲା
– ଆର୍ଥିକ କ୍ଷତି ଯୋଗୁ ୨୦୦୮ରେ ସଂସ୍ଥା ବନ୍ଦ ହୋଇଯାଇଥିଲା
– ୨୦୧୦ରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ କିଛି କଂଗ୍ରେସ ନେତା ୟଙ୍ଗ ଇଣ୍ଡିଆ ଲିମିଟେଡ ନାମରେ ଅଣ-ବ୍ୟବସାୟିକ ସଂସ୍ଥା ଗଠନ କରିଥିଲେ
– ପରେ ୟଙ୍ଗ ଇଣ୍ଡିଆ ଲିମିଟେଡ, ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡକୁ ଅଧିଗ୍ରହଣ କରିଥିଲା
– ଅଭିଯୋଗ ଅନୁସାରେ ଚଞ୍ଚକତା କରି ଏହି ଅଧିଗ୍ରହଣ ଦ୍ୱାରା ୨ ହଜାର କୋଟିରୁ ଅଧିକ ଟଙ୍କାର ସମ୍ପତ୍ତିକୁ ହଡପ କରିଥିଲେ କଂଗ୍ରେସ ନେତା
ସ୍ୱାମୀଙ୍କ ଦ୍ୱାରା ଟ୍ରାଏଲ କୋର୍ଟରେ ମାମଲା ପରେ ୨୦୧୫ରେ ଉଭୟ ସୋନିଆ ଓ ରାହୁଲଙ୍କୁ ଜାମିନ ମିଳିଥିଲା । ଗାନ୍ଧୀ କରିବାର ସଦସ୍ୟଙ୍କ ସହ କଂଗ୍ରେସ ନେତା ମୋତିଲାଲ ଭୋରା, ଓସ୍କାର ଫର୍ଣ୍ଣାଡିଜ୍ ଓ ସୁମନ ଦୁବେଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା ।