ମୁକୁଳା ପଡିଛି ଅସ୍ତରଙ୍ଗ ବେଳାଭୂମି : ସମୁଦ୍ରରେ ମାଳମାଳ ବୋଟ୍,ସୁରକ୍ଷା ପ୍ରତି ପ୍ରଶ୍ନବାଚୀ

91

କନକ ବ୍ୟୁରୋ : ଅସ୍ତରଙ୍ଗ ବେଳାଭୂମି ଏବେ ମୁକୁଳା ପଡିଛି । ସମୁଦ୍ରରେ ମାଳମାଳ ବୋଟ୍ ଘୁରି ବୁଲୁଛି । ସ୍ଥାନୀୟ ଅଞ୍ଚଳର କାଁଭାଁ କେତୋଟି ବୋଟ୍ ରହିଥିବା ବେଳେ ବାକି ସବୁ ବାହାର ରାଜ୍ୟର ବୋଟ୍ ବୋଲି ମସ୍ଥ୍ୟଜୀବୀମାନେ ସୂଚନା ଦେଉଛନ୍ତି । ଏଭଳି ପରିସ୍ଥିତିରେ କେତେବେଳେ ଯେ କ’ଣ ଘଟିବ ତାହା କହିବା ମୁସ୍କିଲ । ସବୁଠୁ ବଡ଼ କଥା ହେଉଛି, ବାହ୍ୟଶତ୍ରୁ ଆକ୍ରମଣରୁ ସୁରକ୍ଷା ପାଇଁ ଏଠାରେ ସାମୁଦ୍ରିକ ଥାନା ଥିଲେ ମଧ୍ୟ ତାହା କୌଣସି କାମକୁ ଆସୁନାହିଁ । ସମୁଦ୍ର ପଥରେ ନିୟମିତ ପେଟ୍ରୋଲିଂ ହେବାର କେବେ ନଜିର ନାହିଁ । ସାମୁଦ୍ରିକ ଜେଟି ନୂଆଗଡଠାରେ ସବୁଦିନ ଲାଗୁଛି ଅଜଣା ବୋଟ୍ ।

ସାମୁଦ୍ରିକ ଥାନା ନାଁକୁ ମାତ୍ର କାର୍ଯ୍ୟ କରୁଛି । କର୍ମଚାରୀ ଓ ଅନ୍ୟାନ୍ୟ ଅସୁବିଧା ହେତୁ ଅଧିକାଂଶ ସମୟରେ ଏହା ବନ୍ଦ ରହୁଛି । ତଟରକ୍ଷୀ ବାହିନୀର ସୁରକ୍ଷା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବେଳାଭୂମିରେ ପ୍ରତିବର୍ଷ ଘଟୁଥିବା ଅଘଟଣ ପ୍ରତି କାହାର ଟିକିଏ ନଜର ନାହିଁ କହିଲେ ଚଳେ। ବେଳାଭୂମିରେ ନା ଅଛି କଟକଣା ନା ସଚେତନତା । ଗତବର୍ଷ ବନ ବିଭାଗ ତରଫରୁ ଯେଉଁ ସଚେତନତା ଫ୍ଲେକ୍ସ ଲାଗିଥିଲା ତାହା କେବେଠୁ ଉଭାନ୍ ହୋଇଗଲାଣି। କୌଣସିଠାରେ ସଚେତନତା ଫଳକ ଦେଖିବାକୁ ମିଳୁନାହିଁ ।

ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ଯାଇଥିବାରୁ ପୀରଜାହାନିଆ ବେଳାଭୂମିରେ ଭିଡ଼ ଜମୁଛି । ଅଶାନ୍ତ ସମୁଦ୍ରରେ ପ୍ରବେଶ କରି ଯୁବ ଗୋଷ୍ଠୀଙ୍କୁ ସ୍ନାନ କରିବା ଦେଖିବାକୁ ମିଳୁଛି । ଏଠାରେ ଲାଇଫ୍ ଗାର୍ଡ଼ ବ୍ୟବସ୍ଥା ମୂଳରୁ ହିଁ ନାହିଁ । ସମ୍ଭାବ୍ୟ ଅଘଟଣକୁ ରୋକିବା ପାଇଁ ସ୍ଥାନୀୟ ପୁଲିସ୍ ବି ଅସମର୍ଥ । ଆବଶ୍ୟକ ମୁତାବକ କର୍ମଚାରୀ ନଥିବାରୁ ବେଳାଭୂମିରେ ସବୁ ସମୟରେ ସୁରକ୍ଷା ଦେବା ସମ୍ଭବ ହୋଇପାରୁନି ବୋଲି ଥାନା କର୍ତ୍ତୃପକ୍ଷ କହିଛନ୍ତି । ସେ ଯାହା ବି ହେଉ, ପର‌୍ୟ୍ୟଟନ ଋତୁ ସମୟ ପର‌୍ୟ୍ୟନ୍ତ ଏଠାରେ କଡା ସୁରକ୍ଷା ବ୍ୟବସ୍ଥା କରିବା ଲାଗି ସାଧାରଣରେ ମତପ୍ରକାଶ ପାଇଛି ।