ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି : ପୁରୀ ଯାଇ କରିବେ ଜଗନ୍ନାଥ ଦର୍ଶନ, ଖାଇବେ ମହାପ୍ରସାଦ; ଦିନ ଗୋଟାଏରୁ ରାଜଧାନୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା

146

କନକ ବ୍ୟୁରୋ : ରାଷ୍ଟ୍ରପତି ଭାବେ ଆଜି ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି ଦୌପ୍ରଦୀ ମୁର୍ମୁ । ଦୁଇ ଦିନିଆ ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିବେ । ବିମାନବନ୍ଦରରୁ ୧୧ଟା ୧୦ ମିନିଟ ସମୟରେ ହେଲିକପ୍ଟର ଯୋଗେ ପୁରୀ ଯିବେ । ୧୧ଟା ୪୦ମିନିଟରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ । କାରକେଡ୍ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଯିବେ ।

ଦିନ ୧୨ଟା ବେଳେ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ପହଞ୍ଚିବେ । ଶ୍ରୀମନ୍ଦିରରେ ପାଖାପାଖି ଏକ ଘଣ୍ଟା ରହିବେ । ରାଷ୍ଟ୍ରପତି ସିଂହଦ୍ୱାରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଦିନ ଗୋଟାଏ ବେଳେ ଶ୍ରୀମନ୍ଦିରରୁ ବାହାରିବେ । ସେଠାରୁ ସିଧା ରାଜଭବନ ଯିବେ ରାଷ୍ଟ୍ରପତି । ଗୋଟାଏ ୧୦ ମିନିଟରେ ରାଜଭବନରେ ପହଞ୍ଚି ମହାପ୍ରସାଦ ସେବନ କରିବେ । ଭାରତର ରାଷ୍ଟ୍ରପତି ଭାବେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ସ୍ଥାନୀୟ ପ୍ରଶାସନର ସହଯୋଗରେ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି ।

ଅପରାହ୍ନରୁ ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ । ରାଷ୍ଟ୍ରପତିଙ୍କ ପ୍ରଥମ ଓଡ଼ିଶା ଗସ୍ତକୁ ନେଇ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଷ୍ଟ୍ରପତିଙ୍କୁ ସମ୍ମାନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ଛୁଟି ଘୋଷଣା କରାଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛି ବିଭାଗ ।

ପୁରୀ ଗସ୍ତ ବେଳେ ପୁରୀ ରାଜଭବନରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଦୁଇ ଘଣ୍ଟା ବିଶ୍ରାମ ନେବା କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜଭବନକୁ ସୁନ୍ଦର ଭାବେ ସଜାଯାଇଛି । ସୁନ୍ଦର ଆଲୋକମାଳା ସହ ପ୍ରବେଶ ପଥଠାରୁ ଆରମ୍ଭ କରି ସମଗ୍ର ଭାଜଭବନକୁ ମନୋରମ କରାଯାଇଛି । ଗ୍ରାଉଣ୍ଡ ଫ୍ଲୋରର ୧ ନମ୍ବର କୋଠରୀରେ ରହିବେ ମହାମହିମ । ୧୭ଟି କୋଠରୀକୁ ପ୍ରସ୍ତୁତ ରଖାଯାଇଥିବା ବେଳେ ୧ ନମ୍ବର କୋଠରୀକୁ ବିଶେଷ ଭାବେ ସଜାଯାଇଛି ।

ଭାରତର ପ୍ରଥମ ନାଗରିକ ହୋଇଥିବାରୁ ଏହି ରୁମରେ ନମ୍ବର ଲେଖାଯାଇନାହିଁ । ନମ୍ବର ବଦଳରେ ରହିଛି ଅଶୋକ ସ୍ତମ୍ବର ଚିତ୍ର । ରୁମ ଭିତରେ ରହିଛି ଜଗନ୍ନାଥଙ୍କ ଫଟୋଚିତ୍ର । ବେଡରୁମରେ ଦୁଇଟି ସୋଫା ପଡ଼ିଛି । ଡାଇନିଂ ରୁମକୁ ମନୋରମ କରାଯାଇଛି । ରାଜଭବନର ପ୍ରବେଶ ଦ୍ୱାରରେ ନନ୍ଦିଘୋଷ ରଥ ଚକ ଶୋଭା ପାଉଛି । ୩ଟି ରୁମ୍ ରାଷ୍ଟ୍ରପତିଙ୍କ ପରିବାର ଲୋକଙ୍କ ପାଇଁ ରହିଛି । ଉପରମହଲାରେ ରାଜ୍ୟପାଳ ଗଣେଶୀ ଲାଲ ଓ ତାଙ୍କ ପରିବାର ସହ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।