ପଞ୍ଜାବରୁ ଆସିଲା ଦୁ୍ଃଖଦ ଖବର : ୧୦୯ ଘଂଟାର ସଂଘର୍ଷ ପରେ ହାରିଗଲା ୨ ବର୍ଷର ଶିଶୁ,ବୋରୱେଲରୁ ଜୀବନ୍ତ ଉଦ୍ଧାର , କିନ୍ତୁ ବଂଚାଇପାରିଲେନି ଡାକ୍ତର

512

କନକ ବ୍ୟୁରୋ : ଦୀର୍ଘ ୧୦୯ ଘଂଟାର ସଂଘର୍ଷ ପରେ ହାରିଗଲା ୨ବର୍ଷର ଶିଶୁ । ପଞ୍ଜାବ ସଙ୍ଗରୁରରେ ବୋରୱେଲ ଭିତରେ ଫସିରହିଥିବ ୨ବର୍ଷର ଶିଶୁ ଶେଷରେ ଆଖି ବୁଜିଛି । ବୋରୱେଲରୁ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିଲେ ମଧ୍ୟ ଚାଲି ଯାଇଛି ଜୀବନ । ପିଲାଟି ଦୀର୍ଘ ସମୟ ଧରି ଗଭୀର ବୋରୱେଲରେ ଫସି ରହିବା ଯୋଗୁଁ ଗୁରୁତର ହୋଇପଡିଥିଲା । ଉଦ୍ଧାରକରୀ ଟିମ୍ ଗୁରୁତର ଅବସ୍ଥାରେ ଶିଶୁଟିକୁ ହସ୍ପିଟାଲରେ ଭର୍ତି କରିଥିଲେ । କିନ୍ତୁ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଡାକ୍ତର ତାକୁ ବଂଚାଇ ପାରିନାହାଁନ୍ତି । ଶିଶୁଟିର ନାଁ ଫତେହବୀର ସିଂ । ଗତ ଗୁରୁବାର ସନ୍ଧ୍ୟାରେ ଫତେହବୀର ଖେଳୁଥିବା ସମୟରେ ହଠାତ ଘର ପାଖରେ ଥିବା ଏକ ବୋରୱେଲ ଭିତରକୁ ଖସିପଡିଥିଲା ।

୧୨୫ ଫୁଟର ଗଭୀର ବୋରୱେଲ ଭିତରେ ଶିଶୁଟି ପଡିଯିବାର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ପରିବାର ଲୋକେ ଏହା ଜାଣିବା ପରେ ଶିଶୁଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । କିନ୍ତୁ ଅଣଓସାରିଆ ଓ ଗଭୀର ବୋରୱେଲ ଭିତରୁ ଶିଶୁଟିକୁ ଉଦ୍ଧାର କରିବା ଏତ ସହଜ ନଥିଲା । ପରିବାରଲୋକେ ଏଥିରେ ବିଫଳ ହେବା ପରେ ପ୍ରଶାସନକୁ ଖବର ଦେଇଥିଲେ । ଏନଡିଆରଏଫ, ଆର୍ମି ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୫ଦିନ ଧରି ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ୧୦୯ ଘଂଟା ଧରି ଚାଲିଥିଲା ଅପରେସନ । ଆଜି ଭୋର ସମୟରେ ଫତେହବୀରକୁ ଉଦ୍ଧାରକାରୀ ଟିମ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଥିଲେ । କିନ୍ତୁ ଦୁ୍ଃଖର ବିଷୟ ହେଉଛି ଶିଶୁଟି ସେଠାରେ ଆଖି ବୁଜିଛି । ଏହି ହୃଦୟବିଦାରକ ଘଟଣା ସମସ୍ତଙ୍କ ମନରେ କୋହ ଭରିଦେଇଛି ।