ଥମୁନି ମଣିପୁର ହିଂସା । ଭାଇରାଲ ଭିଡିଓ ଘଟଣାରେ ସାରା ଦେଶରେ ପ୍ରତିବାଦ ଜାରି । ୩ ମାସ ଧରି ମଣିପୁରରେ ଚାଲିଛି ହିଂସା, ହତ୍ୟା ଓ ପୋଡ଼ାଜଳା

100

କନକ ବ୍ୟୁରୋ: ମଣିପୁର ଭାଇରାଲ ଭିଡିଓ ଘଟଣାକୁ ନେଇ ଥମୁନି ହିଂସା । ଆଜି ବି ମଣିପୁରର ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଛି । ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ଜାରି ରହିଛି । ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ଅନ୍ୟପଟେ ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ମଣିପୁର ପୋଲିସ ଗିରଫ କରିଛି । ଏହାସହିତ ଏହି ଘଟଣାରେ ଗିରଫ ସଂଖ୍ୟା ୫ରେ ପହଁଚିଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ସ୍ୱତନ୍ତ୍ର ଟିମ୍ କରି ଚଢ଼ାଉ ଜାରି ରଖିଛି । ସେପଟେ ମାମଲାରେ ହସ୍ତକ୍ଷେପ କରିବାକୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି । ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି ।

  • ଥମୁନି ମଣିପୁର ହିଂସା
  • ଭାଇରାଲ୍ ଭିଡିଓ ମାମଲାରେ ଆଉ ଜଣେ ଗିରଫ

୩ ମାସ ଧରି ମଣିପୁର ଜଳୁଥିବା ବେଳେ ଦୁଇ ମହିଳାଙ୍କୁ ଉଲଗ୍ନ କରି ପରେଡ କରିବା ଘଟଣା ସାରା ଦେଶରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି । ମଣିପୁର ସମେତ ସାରା ଦେଶରେ ଏହା ବିରୋଧରେ ପ୍ରତିବାଦ ଜାରି ରହିଛି । ହିଂସା ଜର୍ଜରିତ ମଣିପୁରର ଆଇନ ଶୃଙ୍ଖଳା ବ୍ୟବସ୍ଥା କେତେ ତଳକୁ ଖସିଗଲାଣି, ତାହା ହିଁ ବୟାନ କରୁଛି ଏହି ବର୍ବର ଘଟଣା । ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ୧୯ ବର୍ଷୀୟ ୟୁମଲେମବାମ ନୁଙ୍ଗସିଥୋଇ ମୈତେଇ । ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚିଛି । ୪ ଜଣଙ୍କୁ ୧୧ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୁଲିସ । ଘଟଣାକୁ ନେଇ ରାଜନୈତିକ ବୟାନ ବାଜି ମଧ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହଙ୍କ ଇସ୍ତଫା ଦାବି ମଧ୍ୟ ଜୋରଦାର ହେଉଛି ।

  • ଏପ୍ରିଲ ମାସରୁ ଜଳୁଛି ମଣିପୁର
  • ହିିଂସା ରୋକିବାରେ ସରକାର ବିଫଳ

ମୈତେଇ କମ୍ୟୁନିଟିକୁ ଅନୁସୂଚିତ ଜନଜାତି ମାନ୍ୟତା ଦେବା ନେଇ ରାଜ୍ୟ ସରକାର ବିଚାର କରିବାକୁ ମଣିପୁର ହାଇକୋର୍ଟ ରାୟ ଦେବା ପରେ ଉଗ୍ର ରୂପ ନେଇଛି ମୈତେଇ ଓ କୁକି ସଂମ୍ପ୍ରଦାୟ ମଧ୍ୟରେ ବିବାଦ । ଆକ୍ରମଣ, ପ୍ରତିଆକ୍ରମଣ, ଜଳାପୋଡ଼ାରେ ଆଶାନ୍ତ ହୋଇ ଉଠିଛି ମଣିପୁର । ତଥ୍ୟ ଅନୁସାରେ …

  • ଜୁଲାଇ ୪ ତାରିଖ ସୁଦ୍ଧା ମଣିପୁର ହିଂସାରେ ୧୪୨ ଲୋକଙ୍କ ମୃତ୍ୟୁ
  • ପ୍ରାୟ ୪୦୦ ଜଣ ଆହତ
  • ପାଖାପାଖି ୫୫ ହଜାର ଲୋକ ଘରଦ୍ୱାର ହରାଇ ରିଲିଫ୍ କେନ୍ଦ୍ରରେ ରହୁଛନ୍ତି

ମଣିପୁର ପୁଲିସ ସହ ବ୍ୟାପକ ସାମରିକ ବାହିନୀ ଓ ଅର୍ଦ୍ଧସାମରିକ ବାହିନୀ ମୂତୟନ ଥିବା ସତ୍ୱେ ହିଂସା ରୋକିବାରେ ସମର୍ଥ ହେଉନାହାନ୍ତି ସରକାର । ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଶହ ଶହ ଲୋକ ଏକାଠି ହୋଇ ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରୁଛନ୍ତି । ଘରଦ୍ୱାର ଜାଳି ଦେଉଛନ୍ତି । ଏହାରି ଭିତରେ ୪ ହଜାରରୁ ଅଧିକ ପୋଡ଼ାଜଳା ଘଟଣା ସାମ୍ନାକୁ ଆସିଛି ।