ପୁରୀରେ ୩୦ ପୀଡ଼ିତ ପରିବାରଙ୍କ ପ୍ରତିବାଦ: ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ଚାଲିଥିବା ବେଳେ ନ୍ୟାୟ ପାଇଁ ପହଞ୍ଚିଲେ ପ୍ରତିବାଦକାରୀ

99

କନକ ବ୍ୟୁରୋ: ଏପଟେ ଶାସକ ଦଳର ପ୍ରତିଷ୍ଠା ଦିବସ, ଆଉ ସପେଟେ ୩୦ ପୀଡିତ ପରିବାରଙ୍କ ପ୍ରତିବାଦ । ଏଭଳି ଅଭାବନୀୟ ଦୃଶ୍ୟ ଆଜି ପୁରୀରୁ ଆସିଛି । ନ୍ୟାୟ ଦାବିରେ ବର୍ଷବର୍ଷ ଧରି ଅପେକ୍ଷା କରି ରହିଥିବା ଏହି ପୀଡିତ ପରିବାର ଆଜି ପୁରୀରେ ପହଂଚିଛନ୍ତି । କାରଣ ଦୀର୍ଘ ୨୩ ବର୍ଷ ଧରି କ୍ଷମତାରେ ଥିବା ବିଜୁ ଜନତା ଦଳ ତାର ପ୍ରତିଷ୍ଠା ଦିବସର ରୌପ୍ୟ ଜୟନ୍ତୀ ପାଳନ କରୁଛି । ଯୋଜନା ଥିଲା ପୁରୀ ଶରଧାବାଲିରୁ ସ୍ୱର୍ଗଦ୍ୱାର ଯାଏଁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିବା ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଦେଇଥାନ୍ତେ । ଶ୍ରୀମନ୍ଦିର ଅଭିମୁଖେ ଆସି ଗରୁଡସ୍ତମ୍ଭ ନିକଟରେ ସମୂହ ଦୀପଦାନ ବି କରିଥାନ୍ତେ । ହେଲେ ସେମାନଙ୍କୁ ଅଧାରୁ ଅଟକାଇ ଦେଇଛି ପୋଲିସ । ନ୍ୟାୟ ଦାବିରେ କେନ୍ଦ୍ର ରୃହମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସମସ୍ତ ମାମଲାର ସିବିଆଇ ତଦନ୍ତ କରିବାକୁ ସ୍ମାରକପତ୍ର ଦେବାକୁ ଚାହୁଁଥିବାବେଳେ ତାହା ସମ୍ଭବ ହେଇନାହିଁ ।

ଅଧବାଟରେ ଅଟକାଇ ଦେବାପରେ ପୋଲିସ କର୍ମଚାରୀଙ୍କ ଗୋଡତଳେ ପଡୁଛନ୍ତି ଜଣେ ମହିଳା । ୩୦ ପୀଡିତ ପରିବାରଙ୍କ ମଧ୍ୟରୁ ଏ ହେଉଛନ୍ତି ଜଣେ । ଯିଏ ପ୍ରତିବାଦ କରିବାକୁ ଆସିଥିଲେ । ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରିବାକୁ ଚାହୁଁଥିଲେ । ପଦଯାତ୍ରା କରି ଶ୍ରୀମନ୍ଦିର ଅଭିମୁଖେ ଯାଇଥାନ୍ତେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜଘନ୍ୟ ହତ୍ୟା, ଶିଶୁ ଅପହରଣ ଓ ଶିଶୁ ଅଙ୍ଗ ଚାଲାଣ ଭଳି ମାମଲାରେ ପ୍ରାୟ ୩୦ ପୀଡିତ ପରିବାର ଏହିଭଳି ନ୍ୟାୟ ପାଇଁ ଅପେକ୍ଷା କରି ରହିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସେମାନଙ୍କ ଦୁଃଖ ଜଣାଇବା ସହ ପ୍ରତିବାଦ କରିବାକୁ ପ୍ରସ୍ତୁତି କରିଥିବାବେଳେ ସବୁ ଯୋଜନାକୁ ଭଣ୍ଡୁର କରିଦେଇଛି ପୋଲିସ । ତେଣୁ ବାଧା ଦେଉଥିବା ପୋଲିସକୁ ଏହିଭଳି ନେହୁରା ହେବାର ଚିତ୍ର ସାମ୍ନାକୁ ଆସିଛି ।

ପିହୁ ମାଆଙ୍କୁ ପୋଲିସ ଉଠାଇ ନେଇଛି । ୩୦ ପୀଡିତ ପରିବାରଙ୍କ ଭିତରେ ବି ଅଛନ୍ତି ଯାଜପୁରର ନିଖୋଜ ଶିଶୁ ପିହୁର ମାଆ । ଯିଏ ଝିଅକୁ ପେରାଇ ଆଣିବା ପାଇଁ ଦୀର୍ଘବର୍ଷ ହେଲା ଲଢେଇ କରୁଛନ୍ତି । ୨୦୨୦ ଅଗଷ୍ଟ ମାସରେ ନିଖୋଜ ହୋଇଯାଇଥିଲା ୨ ବର୍ଷର ଝିଅ ପିହୁ । ଘଟଣାକୁ ୨ ବର୍ଷ ବିତିଗଲାଣି, କିନ୍ତୁ ପିହୁର ପତା ମିଳିନାହିଁ । ବାରମ୍ବାର ଥାନାକୁ ଦୌଡ଼ି ନୟାନ୍ତ ହୋଇଛନ୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ମାଆ ମୋନାଲିସା ନାୟକ । କେହି ହେଲେ ତାଙ୍କ ଗୁହାରି ଶୁଣିନାହାନ୍ତି । ଶେଷରେ ଶିିଶୁ ଅଧିକାର ସୁରକ୍ଷା କମିସନଙ୍କ କାର୍ଯ୍ୟାଳୟରେ ପହଂଚି ଝିଅକୁ ଖୋଜିବାକୁ ନିବେଦନ କରିଥିଲେ ମୋନାଲିସା । ସିବିଆଇ ତଦନ୍ତ ପାଇଁ ସେ ଦାବି କରିଥିଲେ । ଶେଷରେ ଆଜି ପ୍ରତିବାଦ କରିବାକୁ ପୁରୀରେ ପହଂଚିଥିଲେ । ହେଲେ ତାଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଛି ।