ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଖୋଲୁନି ମୃତ୍ୟୁ ରହସ୍ୟ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବାସଭବନ ଆଗରେ ବିକ୍ଷୋଭ

ମନ୍ତ୍ରୀଙ୍କ ଇସ୍ତଫା ଓ ନିରପେକ୍ଷ ତଦନ୍ତ ଦାବିରେ ଛାତ୍ର କଂଗ୍ରେସର ଅଣ୍ଡା-ଟମାଟୋ ମାଡ଼

59

କନକ ବ୍ୟୁରୋ: ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ରାଜନୈତିକ ଝଡ ସୃଷ୍ଟି ହୋଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଦାୟୀ କରି ବିଜେପି ପରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି । ଆଜି ମନ୍ତ୍ରୀଙ୍କ ଘର ଉପରକୁ ଛାତ୍ର କଂଗ୍ରେସର କର୍ମୀମାନେ ଅଣ୍ଡା ଓ ଟମାଟୋ ମାଡ କରିଛନ୍ତି ।

  • ଧର୍ମେନ୍ଦ୍ର ଆତ୍ମହତ୍ୟା: ରାଜରାସ୍ତାରେ ଛାତ୍ର କଂଗ୍ରେସ
  • ଗଣଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡା ଓ ଟମାଟୋ ମାଡ
  • ପୁଲିସ-ଛାତ୍ର କଂଗ୍ରେସ କର୍ମୀ ଧସ୍ତାଧସ୍ତି

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ତାତିଛି କଂଗ୍ରେସ । ମୃତ ଧର୍ମେନ୍ଦ୍ରଙ୍କ ଅଡିଓ ଭାଇରାଲ ହେବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ଅଭିଯୋଗ ଆଣି ଛାତ୍ର କଂଗ୍ରେସ କର୍ମୀ ପ୍ରତିବାଦ କରିଛନ୍ତି । ଭୁବନେଶ୍ୱରରେ ମନ୍ତ୍ରୀ ସମୀର ଦାସଙ୍କ ଘର ଆଗରେ ଅଣ୍ଡା ଓ ଟମାଟୋ ମାଡ଼ କରି ଛାତ୍ର କଂଗ୍ରେସ ପ୍ରତିବାଦ କରିଛି । ବାସଭବନକୁ ଧସେଇ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି କର୍ମୀ । ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସହ ମନ୍ତ୍ରୀଙ୍କୁ ପଦରୁ ବହିଷ୍କାର କରିବା ଦାବି କରିଛି କଂଗ୍ରେସ । ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ପରେ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା ପୋଲିସ ।

  • ଦ୍ୱିତୀୟ ଦିନରେ ବିଜେପିର ଆନ୍ଦୋଳନ
  • ‘ମନ୍ତ୍ରୀଙ୍କୁ କରାଯାଉ ତଦନ୍ତ ପରିସରଭୁକ୍ତ’

ସେପଟେ ପୁରୀର ନିମାପଡା ଓ ସାତଶଙ୍ଖରେ ବି ବିଜେପିର ଆନ୍ଦୋଳନ ଜାରି ରହିିଛି । ଘଟଣାରେ ଗଣଶିକ୍ଷା ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗରେ ନିମାପଡା ଜୟଶ୍ରୀ ଛକରେ ମନ୍ତ୍ରୀ କୁଶପୁତ୍ତଳିକା ଦାହ ଓ ସାତଶଙ୍ଖରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ବିଜେପି କର୍ମୀ । ଦଳର କହିବା କଥା ହେଲା, ଧର୍ମେନ୍ଦ୍ର ତାଙ୍କ ଅଡିଓରେ ମୃତ୍ୟୁ ପାଇଁ ୫ ଜଣଙ୍କୁ ସିଧାସଳଖ ଦାୟୀ କରିଛନ୍ତି । ତେଣୁ ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ଫୌଜଦାରୀ ମାମଲା ହେଉ । ଆଉ ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ।

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲା ଏବେ ବି ସନ୍ଦେହ ଘେରରେ ଅଛି । ମଙ୍ଗଳବାର ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ନେଇ ବିଜେପି ଅଡିଓ ଜାରି କରିବା ପରେ ବିବାଦ ଆହୁରି ବଢିଛି ।