୫ ବର୍ଷ ପାଇଁ ବ୍ୟାନ ହେଲା ପିଏଫ୍ଆଇ । କରୁଥିଲେ ଦେଶବିରୋଧି କାର୍ଯ୍ୟ

112

କନକ ବ୍ୟୁରୋ : ଗୋଟିଏ ସପ୍ତାହ ହେଲା ଦୁଇଟି ପର୍ଯ୍ୟାୟରେ ଦେଶବ୍ୟାପି ଚଢାଉ କରି ପପୁଲାର ଫ୍ରଂଟ୍ ଅଫ୍ ଇଣ୍ଡିଆର ୨୪୦ରୁ ଅଧିକ ନେତା ଏବଂ କର୍ମକର୍ତାଙ୍କୁ ଗିରଫ କରିବା ପରେ କେନ୍ଦ୍ର ସରକାର ଏହି ମୁସଲିମ୍ ରାଜନୈତିକ ଦଳକୁ ୫ ବର୍ଷ ପାଇଁ ବ୍ୟାନ୍ କରିଛନ୍ତି । ଆତଙ୍କବାଦୀ ଲିଙ୍କ୍ ତଥା ଦେଶବିରୋଧୀ କାର୍ଯ୍ୟ ଅଭିଯୋଗରେ ପିଏଫଆଇ ଏବଂ ଏହା ସହ ସହବନ୍ଧିତ ୮ ସଙ୍ଗଠନକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର । ଷ୍ଟୁଡେଂଟ୍ ଇସଲାମିକ୍ ମୁଭମେଂଟ ଅଫ୍ ଇଣ୍ଡିଆ, ଜମାତ-ଉଲ-ମୁଜ୍ଜାହିଦିନ ବାଂଲାଦେଶ ଏବଂ ଆଇଏସ୍ଆଇଏସ୍ ଭଳି ଆତଙ୍କବାଦୀ ସଙ୍ଗଠନ ସହ ପିଏଫଆଇ ଜଡିତ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ସଙ୍ଗଠନଗୁଡିକଠାରୁ ଆର୍ଥିକ ସହାୟତା ପାଇବା ସହ ତାଙ୍କ ଚିନ୍ତାଧାରାରେ ପିଏଫଆଇ କାର୍ଯ୍ୟ କରୁଥିଲା, ଯାହା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିଲା ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ ସରକାରଙ୍କ ଏଭଳି ପଦକ୍ଷେପ ପରେ ଦେଶରେ ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରାଯାଇଛି ।

ପିଏଫଆଇ ନେତା ଏବଂ କର୍ମକର୍ତାମାନେ ଆତଙ୍କବାଦୀ ସଙ୍ଗଠନମାନଙ୍କର ଗୁପ୍ତ ଏଜେଣ୍ଡାରେ କାର୍ଯ୍ୟ କରୁଥିବା ଗୃହ ମନ୍ତ୍ରଣାଳୟକ ପକ୍ଷରୁ କୁହାଯାଇଛି । ସମାଜର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପ୍ରତି ଉଗ୍ର ହୋଇ ସେମାନେ କାର୍ଯ୍ୟ କରୁଥିଲେ । ହତ୍ୟା, ଦଙ୍ଗା ଭଳି ଅପରାଧିକ କାର୍ଯ୍ୟରେ ପିଏଫଆଇ କର୍ମକତାମାନେ ଜଡିତ ଥିଲେ ଏବଂ ଦେଶର ସମ୍ବିଧାନକୁ ସମ୍ମାନ ଦେଉନଥିଲେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସବୁଠୁ ବଡ କଥା ହେଉଛି ଚଢାଉ ବେଳେ ସେମାନଙ୍କ ଠାରୁ କିପରି ସହଜରେ ବଜାରରେ ମିଳୁଥିବା ଜନିଷର ବ୍ୟବହାର କରି ବୋମା ତଥା ଆଇଇଡି ବନାଇପାରିବେ ତାହା ଉପରେ ଲେଖାଥିବା ଏକ ପୁସ୍ତକ ଏବଂ ଆଇଏସ୍ଆଇଏସର ଦସ୍ତାବିଜ୍ ମଧ୍ୟ ଜବତ ହୋଇଛି । ପୂର୍ବରୁ କର୍ଣ୍ଣାଟକ, ଗୁଜରାଟ, ଉତ୍ତରପ୍ରଦେଶ ପିଏଫଆଇକୁ ବ୍ୟାନ କରିବାକୁ ସୁପାରିଶ କରିଥିଲେ । ତେବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପାଖରେ ଥିବା ତଥ୍ୟ ଏବଂ ପ୍ରମାଣ ଆଧାରରେ ଏହାକୁ ବ୍ୟାନ କରାଯାଇଥିବା କହିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନି ।

ରାଜ୍ୟ ପୋଲିସ ସହାୟତାରେ ଗତ ପ୍ରଥମେ ସେପ୍ଟେମ୍ବର ୨୨ ତାରିଖରେ ୧୫ଟି ରାଜ୍ୟରେ ଥିବା ପିଏଫଆଇ ଅଫିସ୍, ନେତା ଏବଂ କର୍ମକର୍ତାଙ୍କ ଘରେ ଚଢାଉ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଓ ଇଡି । ଏହାପରେ ସୋମବାର ପୁଣି ଚଢାଉ କରାଯାଇଥିଲା । ତେବେ ପିଏଫଆଇ ବ୍ୟାନ ହେବା ପରେ ଆରଏସଏସକୁ ବ୍ୟାନ କରିବାକୁ ଦାବି କରିଛନ୍ତି ସିପିଆଇଏମ ଏବଂ କଂଗ୍ରେସ ।