ସଂସଦର ବଜେଟ ଅଧିବେଶନ ଆରମ୍ଭ । ଅଭିଭାଷଣ ରଖୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କହିଲେ ଅମୃତ କାଳର ୨୫ ବର୍ଷ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ।

2,773

କନକ ବ୍ୟୁରୋ : ସଂସଦର ବଜେଟ ଅଧିବେଶନ ଆରମ୍ଭ । ଅଧିବେଶନକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ରଖୁଛନ୍ତି ଅଭିଭାଷଣ ।

ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରା କରିଥିବା ବେଳେ ଆଜାଦୀର ଅମୃତ କାଳରେ ପ୍ରବେଶ କରିଛି । ଏଥିରେ ଭାରତର ଗୌରବମୟ ଇତିହାସ ରହିଛି ଏବଂ ସ୍ୱର୍ଣ୍ଣିମ ଭବିଷ୍ୟତର ସଂକଳ୍ପ ରହିଛି ।
ଅମୃତ କାଳର ଏହି ୨୫ ବର୍ଷ ସମୟ ବିକଶିତ ଭାରତର ସମୟ । ନୂଆ ଭାରତ ନିର୍ମାଣର ଅବସର । ଆଉ ଏଥିପାଇଁ ଆମ ସମସ୍ତଙ୍କୁ ଏକ ହୋଇ କାମ କରିବାକୁ ହେବ ।

ଆମକୁ ୨୦୪୭ ସୁଦ୍ଧା ଏମିତି ଏକ ଭାରତ ଗଠନ କରିବାକୁ ହେବ ଯାହା ଅତୀତର ଗୌରବ ସହ ଜଡିତ ଥିବ ଏବଂ ଯେଉଁଠି ଆଧୁନିକତାର ସମସ୍ତ ସ୍ୱର୍ଣ୍ଣିମ ଅଧ୍ୟାୟ ରହିଥିବ । ଆମକୁ ଆତ୍ମନିର୍ଭର ଭାରତ ଗଠନ କରିବାକୁ ହେବ । ଏମିତି ଏକ ଭାରତ ଗଠନ ହେଉ ଯେଉଁଠି ଗରିବୀ ନଥାଉ, ମଧ୍ୟମ ବର୍ଗ ମଧ୍ୟ ବୈଭବଶାଳୀ ହୁଅନ୍ତୁ । ଯୁବଶକ୍ତି ଓ ନାରୀଶକ୍ତି ଦେଶକୁ ଦିଶା ଦେଖାଇବା ଦିଗରେ ସବୁଠୁ ଆଗରେ ଛିଡା ହୁଅନ୍ତୁ ।

ଏମିତି ଭାରତ ଗଠନ ହେଉ ଯାହାର ବିବିଧତା ଆହୁରି ଉଜ୍ଜ୍ୱଳ ହେଉ ଏବଂ ଏକତା ଆହୁରି ଶକ୍ତିଶାଳୀ ହେଉ । ଅମୃତ କାଳର ଏହି ସମୟ ଦେଶବାସୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ସବକା ସାଥ, ସବକା ବିକାଶରୁ ସରକାର ଯାତ୍ରା ଆରମ୍ଭ କରିଥିବା ବେଳେ ଏବେ ଏଥିରେ ସବକା ବିଶ୍ୱାସ ଓ ସବକା ପ୍ରୟାସ ଯୋଡି ହୋଇଛି । ଆଉ ଏହି ମନ୍ତ୍ର ହିଁ ବିକଶିତ ଭାରତର ପ୍ରେରଣା ପାଲଟିଛି ।

ଏହି ସରକାରରେ ଅନେକ ସକରାତ୍ମକ ପରିବର୍ତ୍ତନ ଦେଖିଛନ୍ତି ଭାରତବାସୀ । ସବୁ ଭାରତୀୟଙ୍କ ଆତ୍ମବିଶ୍ୱାସ ଏବେ ଶୀର୍ଷରେ ପହଞ୍ଚିଛି । ଭାରତ ପ୍ରତି ବିଶ୍ୱର ଆଭିମୁଖ୍ୟ ମଧ୍ୟ ବଦଳିଛି । ଯେଉଁ ଭାରତ ପୂର୍ବରୁ ନିଜର ସମସ୍ୟା ପାଇଁ ଅନ୍ୟଙ୍କ ଉପରେ ନିର୍ଭରଶୀଳ ଥିଲା ଏବେ ସେହି ଭାରତ ବିଶ୍ୱ ସମସ୍ୟାର ସମାଧାନର ମାଧ୍ୟମ ପାଲଟିଛି ।

ଯେଉଁ ଭ୍ରଷ୍ଟାଚାର ଓ ଦୁର୍ନୀତିରୁ ଦେଶ ମୁକ୍ତି ଚାହୁଁଥିଲା ସେଥିରୁ ଏବେ ମୁକ୍ତି ପାଇଛନ୍ତି ଭାରତବାସୀ । ବିକଶିତ ଭାରତର ଅର୍ଥବ୍ୟବସ୍ଥା ଏବେ ୧୦ମ ସ୍ଥାନରୁ ଉଠି ୫ମ ସ୍ଥାନରେ ପହଞ୍ଚିଛି । ଆଜି ଭାରତରେ ଏକ ସ୍ଥିର, ନିର୍ଭୀକ, ନିର୍ଣ୍ଣାୟକ ଓ ବଡ ସ୍ୱପ୍ନ ପାଇଁ କାମ କରୁଥିବା ସରକାର ରହିଛି ।

ଏବେ ଭାରତରେ ଗରିବୀର ସ୍ଥାୟୀ ସମାଧାନ ଓ ଗରିବଙ୍କ ସଶକ୍ତିକରଣ ପାଇଁ କାମ କରୁଥିବା ସରକାର ଅଛି । ଏବେ ଭାରତରେ ଦ୍ରୁତ ଗତିରେ ଅଦ୍ଭୁତପୂର୍ବ କାମ କରୁଥିବା ସରକାର ଅଛି । ଏବେ ଭାରତରେ ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ଜନକଲ୍ୟାଣକୁ ପ୍ରାଥମିକତା ଦେଉଥିବା ସରକାର ଅଛି ।

ଲଗାତାର ୨ ଥର ସ୍ଥିର ସରକାର ବାଛିଥିବାରୁ ଦେଶବାସୀଙ୍କୁ ଧନ୍ୟବାଦ । ଦେଶହିତକୁ ସର୍ବଦା ସର୍ବୋପରି ରଖିଛି ଏହି ସରକାର । ସର୍ଜିକାଲ ଷ୍ଟ୍ରାଇକ ଠାରୁ ଆରମ୍ଭ କରି ଆତଙ୍କବାଦୀଙ୍କ ଉପରେ କଠୋର ପ୍ରହାର, ଏଲଓସି ଠାରୁ ଏଲଏସି ପର୍ଯ୍ୟନ୍ତ ପ୍ରତିଟି ଦୁଃସାହସର କଡା ଜବାବ ଦେଇଛି ଭାରତ । ଧାରା-୩୭୦ ହଟାଇବା ଠାରୁ ତିନି ତଲାକ ହଟାଇ ସରକାର ନିର୍ଣ୍ଣାର୍ୟକ ନିଷ୍ପତ୍ତି ନେଇଛନ୍ତି ।

ରାଷ୍ଟ୍ରହିତ ପାଇଁ ଏ ସରକାର ଯେଉଁ ନିଷ୍ପତ୍ତି ନେଇଛି ତାହା ପୂରା ବିଶ୍ୱରେ ଭାରତକୁ ଭଲ ସ୍ଥିତିରେ ରଖିଛି । ଭ୍ରଷ୍ଟାଚାର ଓ ଦୁର୍ନୀତି ଲୋକତନ୍ତ୍ର ଓ ସାମାଜିକ ନ୍ୟାୟର ସବୁଠୁ ବଡ ଶତ୍ରୁ । ଯେଉଁଥିପାଇଁ ଦୁର୍ନୀତି ବିରୋଧରେ ଲଢେଇ ଜାରି ରହିଛି ଏବଂ ବ୍ୟବସ୍ଥାରେ ସଚ୍ଚୋଟ ବ୍ୟକ୍ତିଙ୍କୁ ସମ୍ମାନ ମିଳୁ ଏହା ସୁନିଶ୍ଚିତ କରୁଛନ୍ତି ସରକାର ।

 

ପୂର୍ବରୁ ଆୟକର ରିଫଣ୍ଡ ପାଇଁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡୁଥିଲା । କିନ୍ତୁ ଏବେ ଆୟକର ଦେବାର କିଛି ଦିନ ମଧ୍ୟରେ ରିଫଣ୍ଡ ମିଳୁଛି । ଅଯୋଗ୍ୟ ହିତାଧିକାରୀଙ୍କୁ ହଟାଇବା ପାଇଁ ୱାନ୍ ନେସନ ୱାନ ରାସନ କାର୍ଡ ଜରିଆରେ ବ୍ୟବସ୍ଥାରେ ସ୍ଥାୟୀ ସୁଧାର ଅଣାଯାଇଛି । ଗତ କିଛି ବର୍ଷ ମଧ୍ୟରେ ଡିବିଟି ଓ ଡିଜିଟାଲ ଇଣ୍ଡିଆ ଜରିଆରେ ଏକ ସ୍ଥାୟୀ ଓ ପାରଦର୍ଶୀ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି ।

ଗରିବୀ ହଟାଅ କେବଳ ନାରାରେ ସୀମିତ ନାହିଁ । ଏଥିପାଇଁ କାମ କରୁଛନ୍ତି ସରକାର । ଆୟୁଷ୍ମାନ ଭାରତ ଯୋଜନା ଜରିଆରେ ଦେଶର କୋଟି କୋଟି ଗରିବ ଲୋକଙ୍କୁ ଆହୁରି ଗରିବ ହେବାରୁ ବଞ୍ଚାଇଛନ୍ତି ସରକାର । ଏହି ଗରିବ ଲୋକଙ୍କୁ ୮୦ ହଜାର କୋଟି ଟଙ୍କାର ଖର୍ଚ୍ଚାନ୍ତରୁ ବଞ୍ଚିତ କରିଛନ୍ତି ସରକାର ।

 

ଆୟୁଷ୍ମାନ ଓ ଜନଔଷଧୀ ପରିଯୋଜନା ପାଇଁ ଦେଶବାସୀଙ୍କୁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚାନ୍ତରୁ ବଞ୍ଚାଇଛନ୍ତି ସରକାର । ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ ସରକାର ଜଳ ଜୀବନ ମିଶନ ଆରମ୍ଭ କରିଛନ୍ତି । ଏହି ମିଶନ ଜରିଆରେ ୧୧ କୋଟି ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଉଛି ।

ଗତ କିଛି ବର୍ଷରେ ସରକାର ସାଢେ ୩ କୋଟି ଗରିବ ପରିବାରକୁ ପକ୍କାଘର ଯୋଗାଇ ଦେଇଛନ୍ତି । ମୌଳିକ ସୁବିଧାରୁ ବଞ୍ଚିତ ଗରିବଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରୟାସ ଜାରି ରଖିଛନ୍ତି ସରକାର । କୌଣସି ଭେଦଭାବ ବିନା ପ୍ରତି ବର୍ଗ ପାଇଁ କାମ କରିଛି ଏ ସରକାର । ସରକାରୀ ଯୋଜନାର ଲାଭ ପ୍ରକୃତ ହିତାଧିକାରୀଙ୍କୁ ମିଳୁ ଏହା ହିଁ ଏ ସରକାରର ମୂଳ ଲକ୍ଷ୍ୟ ।

ଗରିବ, ଦଳିତ, ପଛୁଆ ଓ ଆଦିବାସୀଙ୍କ ଇଚ୍ଛାକୁ ପୂରା କରି ଏମାନଙ୍କୁ ସ୍ୱପ୍ନ ଦେଖିବାକୁ ସାହସ ଦେଇଛି ଏ ସରକାର । ପିଏମ କିଷାନ ସ୍ୱର୍ଣ୍ଣ ନିଧି ଯୋଜନାରେ ୧୧ କୋଟି ଛୋଟ ଚାଷୀଙ୍କୁ ସହାୟତା ପ୍ରଦାନ କରିଛନ୍ତି ସରକାର । ଏହି ଛୋଟ ଚାଷୀଙ୍କ ମଧ୍ୟରେ ପ୍ରାୟ ୩ କୋଟି ହିତାଧିକାରୀ ମହିଳା । ଆଉ ଏମାନଙ୍କ ଖାତାକୁ ପ୍ରାୟ ୫୪ ହଜାର କୋଟି ଟଙ୍କା ଆସିଛି ।

ଏ ସରକାରର ସବୁଠୁ ବଡ ଉପଲବ୍ଧି ମହିଳା ସଶକ୍ତିକରଣ । ବେଟି ବଚାଅ, ବେଟି ପଢାଅ ଅଭିଯାନର ସଫଳତା ପୂରା ଦେଶ ଦେଖୁଛି । ଦେଶରେ ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ହୋଇଛି । ମହିଳାଙ୍କୁ ପୂର୍ବପେକ୍ଷା ଅଧିକ ଭଲ ସ୍ୱାସ୍ଥ୍ୟ ସେବା ମିଳୁଛି ।

ସୁକନ୍ୟା ସମୃଦ୍ଧି ଯୋଜନା ଜରିଆରେ ଦେଶର କୋଟି କୋଟି ଝିଅଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରଥମଥର ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯାଇଛି । କୌଣସି କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପାଇଁ ବାଧକ ନଆସୁ ସେଥିପାଇଁ ପ୍ରତି କ୍ଷେତ୍ରରେ ମହିଳା ନିଯୁକ୍ତିରେ ମୋହର ମାରିଛନ୍ତି ସରକାର । ସୈନିକ ସ୍କୁଲରୁ ମିଲିଟାରୀ ଟ୍ରେନିଂ ସ୍କୁଲ ପର୍ଯ୍ୟନ୍ତ ସବୁଠୁ ମହିଳା ମାନେ ପାଠପଢିବା ସହ ଟ୍ରେନିଂ ନେଉଛନ୍ତି ।

 

ଏ ସରକାର ମାତୃତ୍ୱ ଅବକାଶକୁ ୧୨ ସପ୍ତାହରୁ ବୃଦ୍ଧି କରି ୨୬ ସପ୍ତାହ କରିଛି । ମୁଦ୍ରା ଯୋଜନାର ୭୦ ପ୍ରତିଶତ ଲାଭାର୍ଥୀ ମହିଳା ଉଦ୍ୟୋଗୀ । ପିଏମ ଆବାସ ଯୋଜନାରେ ମିଳୁଥିବା ଘରର ପଞ୍ଜିକରଣ ମହିଳାଙ୍କ ନାଁରେ ହେଉଥିବାରୁ ମହିଳାଙ୍କର ଆତ୍ମବିଶ୍ୱାସ ବଢିଛି ।

ଦେଶରେ ଏବେ ୮୦ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ କାମ କରୁଛି । ଯେଉଁଥିରେ ୯ କୋଟିରୁ ଅଧିକ ମହିଳା ଯୋଡି ହୋଇଛନ୍ତି । ଏହି ଏସଏଚଜିଙ୍କୁ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କାର ସହାୟତା ଦିଆଯାଉଛି ।

ଡିଜିଟାଲ ଇଣ୍ଡିଆ ଓ ୫-ଜି ଜ୍ଞାନକୌଶଳ ଭାରତର ସାମର୍ଥ୍ୟକୁ ବିଶ୍ୱରେ ଆହୁରି ବୃଦ୍ଧି କରିଛି । ଯୋଗ ଓ ଆର୍ୟୁବେଦର ବାର୍ତ୍ତା ଆଜି ଭାରତ ପୂରା ପହଞ୍ଚାଉଛି ସେହିଭଳି ଫାର୍ମାସୀ ଅଫ୍ ୱାର୍ଲ୍ଡର ପରିଚୟକୁ ଆହୁରି ସଶକ୍ତ କରୁଛି ଭାରତ ।

ଚାଷ ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବା ସହ ଡ୍ରୋନ ଓ ସୋଲାର ଜ୍ଞାନକୌଶଳ ଜରିଆରେ ଚାଷୀଙ୍କୁ ଆହୁରି ସଶକ୍ତ କରୁଛି ଭାରତ । ପ୍ରତି ଜିଲ୍ଲାରେ ୭୫ଟି ଅମୃତ ସରୋବର ତିଆରି କରାଯାଉଥିବା ବେଳେ ଶହେରୁ ଅଧିକ ବନ୍ଦେ ଭାରତ ଟ୍ରେନ ଚଳାଚଳ କରୁଛି ।

ଗୁଲାମୀର ପ୍ରତିଟି ଚିହ୍ନ ଓ ମାନସିକତାରୁ ମୁକ୍ତି ଦେବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି । ରାଜପଥ ଏବେ କର୍ତ୍ତବ୍ୟପଥ ଭାବେ ପରିଚିତ । ଆଉ ଏହି କର୍ତ୍ତବ୍ୟପଥରେ ନେତାଜୀଙ୍କ ପ୍ରତିମା ପ୍ରତିଟି ଭାରତୀୟଙ୍କୁ ଗର୍ବିତ କରୁଛି ।

ମେଡ୍ ଇନ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଅଭିଯାନର ଲାଭ ଏବେ ଦେଶକୁ ମିଳିବା ଆରମ୍ଭ ହୋଇଛି । ବିଶ୍ୱର ବଡ ବଡ କମ୍ପାନି ଏବେ ଭାରତ ମୁହାଁ । ସେମି କଣ୍ଡକ୍ଟର ଚିପ୍ ଠାରୁ ଆରମ୍ଭ କରି ବିମାନ ନିର୍ମାଣ ପାଇଁ ପ୍ରୟାସ ଆରମ୍ଭ ହୋଇଛି । କିଛି ବର୍ଷ ପୂର୍ବେ ଭାରତ ମୋବାଇଲ ଫୋନ୍ ଆମଦାନୀ କରୁଥିଲା । କିନ୍ତୁ ଏବେ ମୋବାଇଲ ଫୋନ୍ କ୍ଷେତ୍ରରେ ଭାରତ ରପ୍ତାନୀକାରୀ ଦେଶ ପାଲଟିଛି ।

ମୁଁ ଗର୍ବିତ ଯେ, ଆମର ସେନାରେ ଆଇଏନଏସ ବିକ୍ରାନ୍ତ ଭଳି ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ସାମିଲ ହୋଇଛି । ଖଦି ଓ ଗ୍ରାମ୍ୟଦ୍ୟୋଗ କ୍ଷେତ୍ରରେ ଭାରତ ଏବେ ପ୍ରଶଂସନୀୟ କାମ କରୁଛି । ଗତ ୮ ବର୍ଷରେ ଦେଶରେ ମେଟ୍ରୋ ନେଟୱର୍କରେ ୩ ପ୍ରତିଶତ ବୃଦ୍ଧି ହୋଇଛି । ସେହିଭଳି ୨୭ ସହରରେ ଟ୍ରେନ ଚଳାଚଳ ନେଇ କାମ ଚାଲିଛି ।