ଭାରତ ଯୋଡ ଯାତ୍ରା : ଲୋକଙ୍କ ମନ କିଣିଥିବା କିଛି ଘଟଣା । ଜାଣନ୍ତୁ, ରାହୁଲଙ୍କ ଟି-ସାର୍ଟ ପିନ୍ଧିବା ପଛର କାହାଣୀ

231

କନକ ବ୍ୟୁରୋ : ୧୩୬ ଦିନ ୩୫୭୦ କିଲୋମିଟର । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ଯାତ୍ରା କାଶ୍ମୀରରେ ଆଜି ସମାପ୍ତ ହୋଇଛି । ଏହି ଯାତ୍ରାରେ କଂଗ୍ରେସର ପୁର୍ବତ୍ତନ ଅଧ୍ୟକ୍ଷ ୧୨ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଯାତ୍ରା କରିଛନ୍ତି ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଗତବର୍ଷ ସେପ୍ଟେମ୍ବର ୭ତାରିଖରେ ତାମିଲନାଡୁର କନ୍ୟାକୁମାରୀରୁ ଭାରତ ଯୋଡ ଯାତ୍ରା ଆରମ୍ଭ କରିଥିଲେ । ଏହା ପରେ ଏହି ଯାତ୍ରା ୧୨ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ କାଶ୍ମୀରରେ ପହଞ୍ଚିଥିଲା । ଏହି ଯାତ୍ରାରେ ରାହୁଲ ଗାନ୍ଧୀ କହିଛନ୍ତି, ଏହି ଯାତ୍ରାରେ ମୁଁ ଅନେକ ଲୋକଙ୍କ ସହ ଭେଟିଛି । ସେମାନଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଛି । ଆଉ ଲୋକଙ୍କ ସହ ମିଶିବାର ଯେଉଁ ଅନୁଭବ ରହିଛି, ତାହା ମୁଁ ଶବ୍ଦରେ ବୟାନ କରିପାରିବି ନାହିଁ । ଦେଶରୁ ହିଂସା ଏବଂ ଘୃଣାଭାବକୁ ହଟାଇବା ଏହି ଯାତ୍ରାର ମୂଖ୍ୟ ଉଦ୍ଦେଶ୍ୟ ଥିଲା ।

୧୩୬ ଦିନର ଏହି ଯାତ୍ରାରେ ରାହୁଲ ଗାନ୍ଧୀ ୧୨ଟି ସଭାକୁ ସମ୍ବୋଧୀତ କରିଛନ୍ତି । ଏହା ସହିତ ୧୦୦ରୁ ଅଧିକ କର୍ଣ୍ଣର ମିଟିଂ ଏବଂ ୧୩ଥର ପ୍ରେସ କନଫରେନ୍ସ କରିଛନ୍ତି ଏହା ବାଦ ୧୦୦ରୁ ଅଧିକ ସିଟିଂ ଇଣ୍ଟରାକ୍ସନ୍ କରିଛନ୍ତି । ଏହି ଭାରତ ଯୋଡ ଯାତ୍ରାରେ କଂଗ୍ରେସର ପୂର୍ବତ୍ତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଯୋଗ ଦେଇଥିଲେ ।

ତେବେ ଏହି ଭାରତ ଯୋଡ ଯାତ୍ରାରେ ଅନେକ ଘଟଣା ଏପରି ଘଟିଥିଲା ଯାହା ଲୋକଙ୍କ ମନକୁ ଛୁଇଁଥିଲା । ଭାରତ ଯୋଡ ଯାତ୍ରାରେ ଯେତେବେଳେ ସୋନିଆ ଗାନ୍ଧୀ ସାମିଲ ହୋଇଥିଲେ ସେତେବେଳେ ଯାତ୍ରାରେ ସୋନିଆଙ୍କ ଜୋତାର ଲେସ୍ ଖୋଲିଯାଇଥିଲା । ରାହୁଲ ଗାନ୍ଧୀ ତଳେ ବସି ମାଆଙ୍କ ସୁ-ଲେସ୍ ବାନ୍ଧି ଦେଇଥିଲେ । ଯାହାର ଏକ ଫଟୋ ସୋସିଆଲ୍ ମିଡିଆରେ ବେସ୍ ଭାଇରାଲ ହୋଇଥିଲା । ଏହା ସହିତ ମଧ୍ୟପ୍ରଦେଶ ଇଂଦୋରରେ ଯାତ୍ରା ଆଗକୁ ବଢୁଥିବା ବେଳେ କିଛି ଲୋକ ‘ମୋଦି ମୋଦି’ ନାରା ଦେଇଥିଲେ । ସେଠାରେ ରାହୁଲ ଗାନ୍ଧୀ ମୋଦି ନାରା ଦେଉଥିବା ଲୋକଙ୍କ ଆଡକୁ ଏକ ଫ୍ଲାଇଂ କିସ୍ ଦେଇଥିଲେ । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା । ପଞ୍ଜାବରେ ଭାରତ ଯୋଡ ଯାତ୍ରା ଚାଲିଥିବା ବେଳେ ଯାତ୍ରାରେ ସିଦ୍ଧୁ ମୁସେୱାଲାଙ୍କ ବାପା ସାମିଲ ହୋଇଥିଲେ ଏହାର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଭାରତ ଯୋଡ ଯାତ୍ରାରେ ରାହୁଲ ପିନ୍ଧିଥିବା ଟି-ସାର୍ଟକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ହାଡ ଭଙ୍ଗା ସିତରେ ରାହୁଲ ଗାନ୍ଧୀ କେମିତି ଗୋଟିଏ ଟି-ସାର୍ଟ ପିନ୍ଧି ଯାତ୍ରା କରୁଛନ୍ତି ବୋଲି ପ୍ରଶ୍ନ ମଧ୍ୟ ଉଠିଥିଲା । ଯାହାର ଯବାବରେ ରାହୁଲ କହିଥିଲେ, ଗୋଟେ ଦିନ ୩ଜଣ ପିଲା ମୋ ପାଖକୁ ଫଟୋ ଉଠାଇବା ପାଇଁ ଆସିଥିଲେ । ଜେତେବେଳେ ମୁଁ ତାଙ୍କ ସହ ଫଟୋ ଉଠାଇଲି ସେତେବେଳେ ସେମାନେ ଶୀତରେ ଥରୁଥିବାର ଦେଖିଲି । ସେବେଠାରୁ ନିସ୍ପତ୍ତି ନେଲି ଯେପର୍ଯ୍ୟନ୍ତ କୁନି କୁନି ଛୁଆ ସ୍ୱେଟର୍ ପିନ୍ଧିବା ପାଇଁ ସକ୍ଷମ ନହୋଇଛନ୍ତି ସେପର୍ଯ୍ୟନ୍ତ ମୁଁ ସୋଏଟର୍ ପିନ୍ଧିବି ନାହିଁ । ଆଉ ଠିକ୍ ଏହା ହିଁ ହୋଇଥିଲା । ଯାତ୍ରା ଶେଷ ପର୍ଯ୍ୟନ୍ତ ବି ରାହୁଲ ଗାନ୍ଧୀ ଶୀତବସ୍ତ୍ର ପରିଧାନ କରିନଥିଲେ ।

କେବଳ ଏତିକି ନୁହେଁ ରାହୁଲ ଗାନ୍ଧୀ ଏହି ଯାତ୍ରା ସମୟରେ ଜଣେ କୃଷକଙ୍କ ଘରେ କୃଷକଙ୍କ ସହ ମିଶି ଘାସ କାଟିଥିଲେ, ବଳଦ ଗାଡିରେ ବସି ଯାତ୍ରା କରିଥିଲେ । ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି ଯାହା ଲୋକଙ୍କ ମନକୁ ଛୁଇଁଛି ।