ବମିଖାଲ ଓଭର ବ୍ରିଜ୍ ଭୁଶୁଡିବା ଘଟଣା : ଆଜି କୋର୍ଟରେ ହାଜର ହେବେ ପଣ୍ଡା ଇନଫ୍ରା ମାଲିକ ପ୍ରତାପ ପଣ୍ଡା

77

କନକ ବ୍ୟୁରୋ : ଭୁବନେଶ୍ୱରର ବମିଖାଲରେ ଭୁଶୁଡିପଡିଥିବା ଓଭରବ୍ରିଜ୍ ନିର୍ମାଣ କରୁଥିବା ଠିକାସଂସ୍ଥାର ମାଲିକ ପ୍ରତାପ ପଣ୍ଡାଙ୍କୁ ଆଜି କୋର୍ଟରେ ହାଜର କରିବ ପୋଲିସ । ଗତକାଲି ପ୍ରତାପ ଆତ୍ମସମର୍ପଣ କରିବା ପରେ ଗିରଫ କରିଥିଲା ପୁଲିସ୍ । ଦୁର୍ଘଟଣାରେ ତନାଘନା ଆରମ୍ଭ ହେବା ପରେ ଖୋଜା ଚାଲିଥିଲା ଏହି ଠିକାସଂସ୍ଥାର ମାଲିକଙ୍କୁ । ପ୍ରତାପ ହେଉଛନ୍ତି ସେହି ବ୍ୟକ୍ତି , ଯାହାଙ୍କର ଠିକା ସଂସ୍ଥା ଓଡିଶାରେ ବଡ ବଡ ଫ୍ଲାଏ ଓଭର ନିର୍ମାଣ ପାଇଁ ଟେଣ୍ଡର ପାଇଛି । ବିଶେଷ କିଛି ଅନୁଭବ ନଥିବା ସତ୍ୱେ ଖୁବ୍ ସହଜରେ ଏହି ବ୍ୟକ୍ତି ଜଣକ ଠିକା ପାଇଯାଆନ୍ତି । ଅଭିଯୋଗ ଅନୁସାରେ କିଛି ପ୍ରଭାବଶାଳୀ ନେତା, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ସରକାରୀ ଅଧିକାରୀ ଏହି ବ୍ୟକ୍ତିଙ୍କ ପକେଟରେ ଥାଆନ୍ତି ।

bomikhal o bridge 3ଯେଉଁଥିପାଇଁ ଖୁବ୍ ସହଜରେ ତାଙ୍କୁ କାମ ମିଳିଯାଏ । ବୋମିଖାଲ ଓଭରବ୍ରିଜ୍ ସହିତ ତାଙ୍କର ଠିକାସଂସ୍ଥା ଏବେ ସମ୍ବଲପୁର, ଜଟଣୀ ଓ ଭୁବନେଶ୍ୱରର ପୋଖରୀପୁଟରେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କରୁଛି । ଏ ବାବୁଙ୍କର ଆଉ ଏକ କରାମତି ହେଉଛି – ତାଙ୍କ କମ୍ପାନୀର ନେଟୱର୍ଥ ପ୍ରାୟ ୧୮ କୋଟି ଟଙ୍କା ଥିବା ବେଳେ କାମ କିନ୍ତୁ କରୁଛନ୍ତି ୫ ଶହ କୋଟିରୁ ଉଦ୍ଧ୍ୱ ଟଙ୍କାର । କାରଣ ପାୱାର କରିଡରରେ ତାଙ୍କର ହାତ ଖୁବ ଲମ୍ବା । ସେପଟେ ଆଜି ପ୍ରତାପଙ୍କ ପକ୍ଷରୁ ମଧ୍ୟ ଜାମିନ ପାଇଁ ଆବେଦନ କରାଯାଇପାରେ । ତେବେ ତାଙ୍କୁ ଜାମିନ ମିଳିବ କି ଜେଲ ଯିବେ ତାହା ଆଜି ଜଣାପଡିବ ।

ଅନ୍ୟପଟେ ସହକାରୀ ଯନ୍ତ୍ରୀ ବଂଶୀଧର ପ୍ରହରାଜଙ୍କୁ ଜେଲ ପଠାଇଦେଇଛି ପୁଲିସ୍ । ଗତକାଲି ଗିରଫ ପରେ ସନ୍ଧ୍ୟାରେ ଏସଡିଜେଏମ କୋର୍ଟରେ ହାଜର କରିଥିଲା କମିଶନରେଟ୍ ପୁଲିସ୍ । ଆଇପିସିର ଧାରା ୩୦୪ ଅର୍ଥାତ ଅବହେଳାରୁ ମୃତ୍ୟୁ, ୩୩୭ ଓ ୩୩୮ ଅନ୍ୟର ସୁରକ୍ଷାକୁ ବିପନ୍ନ କରିବା, ଓ ୩୪ ଅର୍ଥାତ ଏକାଧିକ ବ୍ୟକ୍ତି ଅପରାଧ ଉଦ୍ଦେଶ୍ୟ ରଖି ମିଳିତ ଭାବେ କାମ କରିବା ଆଦି ଦଫାରେ ମାମଲା କରାଯାଇଛି । ପଣ୍ଡା ଇନଫ୍ରାର ୩ଜଣ ନିର୍ଦ୍ଦେଶକଙ୍କ ସମେତ ୫ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଲକ୍ଷ୍ମୀ ସାଗର ପୁଲିସ୍ । ବମିଖାଲ ଓଭରବ୍ରିଜ୍ ଭୁଶୁଡିପଡିବା ପରେ ଏହି ଠିକା ସଂସ୍ଥାର ପଲିଟିକାଲ୍ କନେକ୍ସନକୁ ନେଇ ପ୍ରଶ୍ନ ଉଠିଛି । ଏପରିକି ଗତକାଲି ବିଧାନସଭାରେ ବେଶ୍ ହଙ୍ଗାମା ବି ହୋଇଛି ।

ଏବେ ଆସନ୍ତୁ ଜାଣିବା ଏହି ସବୁ ଫ୍ଲାଏ ଓଭର ନିର୍ମାଣ ପାଇଁ କିଏ ଦେଇଥାଏ ଅନୁମତି ଏବଂ କେଉଁ ପରିସ୍ଥିତିରେ ଏସବୁ ଟେଣ୍ଡର ଦିଆଯାଇଛି ?

ପୂର୍ତ୍ତ ବିଭାଗର ସଚିବ ନଳୀନିକାନ୍ତ ପ୍ରଧାନଙ୍କ ଉପରେ ଏବେ ବଡ ପ୍ରଶ୍ନ । ସରକାର କହୁଛନ୍ତି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଛି । କିନ୍ତୁ ବଡ ପ୍ରଶ୍ନ ଉଠୁଛି ଡିଜାଇନ ଅନୁସାରେ ବ୍ରିଜ ନିର୍ମାଣ ହୋଇଛି କି ? ଠିକ ଭାବେ ବିମ ପଡିଛି କି ? ଠିକ ଭାବେ ସ୍ଲାବ ପଡିଛି କି ? ରବିବାର ଢଳେଇ ଦିନ ଠିକ ଭାବେ ସିମେଂଟ, ବାଲି, ଚିପ୍ସ ବ୍ୟବହାର ହୋଇଥିଲା କି । ଢଳେଇ ପଡିବା ବେଳେ ଠିକଭାବେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା କି ? ସବୁ ପିଲାର ଓ ସ୍ପାନ ଠିକ ଅଛି କି ? ଭୁବନେଶ୍ୱର ଓଭରବ୍ରିଜ ଭୁଷୁଡିବା ପରେ ଏମିତି ଅନେକ ପ୍ରଶ୍ନ ଉଠିଛି ଯାହାର ଉତ୍ତର ସରକାରଙ୍କୁ ନିଶ୍ଚିତ ଭାବେ ଦେବାକୁ ପଡିବ ।

କେବଳ ବମିଖାଲ ଓବରବ୍ରିଜ ନୁହେଁ, ସମ୍ବଲପୁର ଓ ଅନ୍ୟ କିଛି ଓଭରବ୍ରିଜ କାମ ବି ପଣ୍ଡା ଇନଫ୍ରା ପ୍ରୋଜେକ୍ଟ କରୁଛି । ଏଥିରେ କେଉଁ ଅଧିକାରୀଙ୍କ ହାତ ଅଛି ତାର ତଦନ୍ତ ହେବା ଦରକାର । ତଦନ୍ତ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ଦ୍ୱାରା କରାଗଲେ ସତ ସାମ୍ନାକୁ ଆସିବ କି । ଓଭରବ୍ରିଜ ନକ୍ସା କାହିଁକି ପରିବର୍ତ୍ତନ ହେଲା ଓ ଏହା ଦ୍ୱାରା କେଉଁ ସାଧନ ପରିବର୍ତ୍ତନ ହେବ ତାର ମଧ୍ୟ ପରବର୍ତନ ହେବା ଜରୁରୀ ନୁହେଁ କି । ପ୍ରକଳ୍ପ କାମର ମାନ ନେଇ ଯେଉଁ ସନ୍ଦେହ ଦୃଢୀଭୂତ ହୋଇଛି ତାକୁ କିଏ ଦୂର କରିବ । ପଣ୍ଡା ଇନଫ୍ରା ହେଉଛି ଏକ ମୁଖା । ଏହା ପଛରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଟଙ୍କା ବିନିଯୋଗ ହୋଇଛି । ଏଭଳି ଅନେକ ପ୍ରଶ୍ନ ଆସୁଛି ଯାହାର ଉତର ସରକାରଙ୍କୁ ଦେବାକୁ ପଡିବ ।