କନକ ବ୍ୟୁରୋ : ଘୋଡା ପିଠିରେ ନେତା । ଜନତାଙ୍କ ନିକଟତର ହବା ଲାଗି ନେତାଙ୍କ ଅଭିନବ ପ୍ରୟାସ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରେ ବର୍ଷ ବର୍ଷ ଧରି କୌଣସି ନେତାଙ୍କ ପାଦ ପଡୁ ନଥିବା ବେଳେ ନିର୍ବାଚନକୁ ଆଖି ଆଗରେ ରଖି ମାଓ ଗଡରେ ପହଁଚିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ । ତେବେ କଂଗ୍ରେସ ସରକାର ଆସିଲେ ମିଶନ ମୋଡରେ ସ୍ୱାଭିମାନ ଅଂଚଳର ବିକାଶ କରାଯିବ ବୋଲି ପ୍ରତଶ୍ରୁତିର ପହାଡ ଛିଡା କରି ଦେଇଛନ୍ତି ପ୍ରଦୀପ ମାଝୀ ।
Kanak News is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଘୋଡା ପିଠିରେ ବସି ଜନତାଙ୍କ ନିକଟରେ ପହଁଚିଛନ୍ତି । ଗୁରୁପ୍ରିୟା ସେତୁ ଡେଇଁ ଜନ୍ତାପାଇ ଏକ ସାଧାରଣ ସଭା ଆୟୋଜନ କରିବା ସହ ପାପପେରମେଟଲାରେ ପହଂଚିଥିଲେ ପ୍ରଦୀପ ମାଝୀ । ସେତୁ ନିର୍ମାଣ ପରେ ବି ସ୍ୱାଭିମାନ ଅଂଚଳରେ ରାସ୍ତା ଘାଟର ସମସ୍ୟା ବାବଦରେ ରାଜ୍ୟ ସରକାରଙ୍କୁ ଚେତାଇ ଦେବା ପାଇଁ ଘୋଡା ପିଠିରେ ବସି ଶୋଭାଯାତ୍ରା କରିଥିବା କଂଗ୍ରେସ ନେତା ପ୍ରଦୀପ ମାଝୀ ।
ଦିର୍ଘ ୪ ଦଶନ୍ଦି ପରେ ଗୁରୁପ୍ରିୟା ସେତୁକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ସେତୁ ନିର୍ମାଣ ପରେ ମଧ୍ୟ ଗୁରୁପ୍ରିୟା ଡେଇଁ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ପରି ମୌଳିକ ସୁବିଧା ପହଂଚି ପାରିନଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ମାଝି । କଂଗ୍ରେସ ସରକାର ଆସିଲେ, ସ୍ୱାଭିମାନ ଅଂଚଳରେ ଆଦିବାସୀଙ୍କ ଲାଗି ସ୍ୱତନ୍ତ୍ର ବିଦ୍ୟାଳୟ, ତାଲିମ କେନ୍ଦ୍ର, ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଖୋଲିବା ସହ ଗୁରୁପ୍ରୀୟା ପରବର୍ତୀ ଅଂଚଳକୁ ମିଶନ ମୋଡରେ ବିକାଶ କରାଯିବ ବୋଲି କହି ଜନତାଙ୍କ ପାଖରେ ପ୍ରତିଶ୍ରୁତିର ପାହାଡ ଛିଡା କରିଛନ୍ତି ପ୍ରଦୀପ ମାଝୀ ।
ସାଧାରଣତଃ ସ୍ୱାଭିମାନ ଅଂଚଳରେ ବର୍ଷ ତମାମ କୌଣସି ରାଜନେତା କିମ୍ବା ଅଧିକାରୀଙ୍କ ପାଦ ପଡି ନଥାଏ । ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ଜନ୍ତାପାଇରେ ପହଁଚି ମାଓ ଉପଦୃତ ଅଂଚଳର ଲୋକଙ୍କ ନିକଟତର ହବାକୁ ଉଦ୍ୟମ କରିଛି କଂଗ୍ରେସ ।