ଅଜିତ୍ ପାୱାରଙ୍କ ଏଣ୍ଟ୍ରି ପରେ ମହାରାଷ୍ଟ୍ରରେ ପାୱାର ପଲିଟିକ୍ସ । ଅର୍ଥ ମନ୍ତ୍ରାଳୟକୁ ନେଇ ଛିଡୁନି ଅଙ୍କ? କିଏ ହେବ ମହାରାଷ୍ଟ୍ରର ଅର୍ଥମନ୍ତ୍ରୀ?

211

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଘମାସନ ଭିତରେ ପାୱାର ପଲିଟିକ୍ସର ଗେମ୍ ଦେଖିବାକୁ ମିଳିଛି । ବର୍ତ୍ତମାନ ମହାରାଷ୍ଟ୍ର ସରକାରରେ ଅଜିତ ପାୱାରଙ୍କ ଏଣ୍ଟ୍ରି ହେଇସାରିଥିବାବେଳେ, ଏବେ ବିଭାଗ ବଣ୍ଟାକୁ ନେଇ ଆରମ୍ଭ ହୋଇଛି ରାଜନୀତି । କେଉଁ ନେତା କେଉଁ ବିଭାଗ ପାଇବେ? କାହାକୁ କେଉଁ ବିଭାଗ ମିଳିବ? ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଇଛି । ହେଲେ ଏହାରି ଭିତରେ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ କାହାକୁ ମିଳିବ, ସେ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି ।

ଗତ କିଛି ଦିନ ଧରି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ନେଇ ଚର୍ଚ୍ଚା ବଢିବାରେ ଲାଗିଥିଲା । କୁହାଯାଉଥିଲା ଅଜିତ୍ ପାୱାରଙ୍କ ଏଣ୍ଟ୍ରି ପରେ ଏକନାଥ ସିନେ୍ଧଙ୍କ ହାତରୁ କ୍ଷମତା ହଟେଇ ନିଆଯାଇପାରେ ଏବଂ ଅଜିତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ । ହେଲେ ଏହି ଚର୍ଚ୍ଚା ଥମିବା ପରେ ଏବେ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହେଇଛି ।

କୁହାଯାଉଛି ଅଜିତ୍ ପାୱାରଙ୍କୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ମିଳିପାରେ । ବର୍ତ୍ତମାନ ଉପ-ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସଙ୍କ ପାଖରେ ଗୃହ ଏବଂ ଅର୍ଥ ବିଭାଗ ଥିବାରୁ, ଫଡନାଭିସଙ୍କ ପାଖରୁ ଏହି ବିଭାଗ ନେଇ ଅଜିତଙ୍କୁ ଦିଆଯିବ । ଅନ୍ୟପଟେ ଫଡନାଭିସଙ୍କୁ ଦିଲ୍ଲୀ ଡକାଯାଇ, ଦଳର ଶୀର୍ଷ ନେତୃତ୍ୱ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ତେବେ ମୋଟାମୋଟି ଭାବେ ଦେଖିବାକୁ ଗଲେ, ଯଦି ସିନ୍ଦେ ଗୋଷ୍ଠୀର ବିଧାୟକ, ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ନିଜ ବିଧାୟକ ପଦକୁ ଅଯୋଗ୍ୟ ଘୋଷିତ ହେବାରୁ ବଞ୍ଚେଇ ରଖିପାରନ୍ତି, ତେବେ ଏହା ସେମାନଙ୍କ ପାଇଁ ବଡ ଲାଭଦାୟକ ହେଇପାରେ । ସମ୍ଭବତଃ ଆଗାମୀ ନିର୍ବାଚନରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଇ ନିର୍ବାଚନ ଲଢିପାରନ୍ତି । ବର୍ତ୍ତମାନ ତାଙ୍କୁ ଶିବସେନାର ନିର୍ବାଚନୀ ଚିହ୍ନ ମିଳିସାରିଥିବାରୁ, ପାୱାର ପଲିଟିକ୍ସରେ ଏକନାଥ ସିନ୍ଦେ ଆଗରେ ରହିପାରନ୍ତି ।