ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲେ ୬୦ ପୁଲିସ ! ମୁଖ୍ୟଶାସନ ସଚିବଙ୍କୁ ଚାପୁଡା ପରେ ଉଠୁଛି ପଡୁଛି ଦିଲ୍ଲୀ

38

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ପୁଲିସ । ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ମାଡ ଘଟଣାରେ ଛାନଭିନ କରିଛି ପୁଲିସ । ଦିଲ୍ଲୀ ପୁଲିସର ପ୍ରାୟ ୬୦ରୁ ୭୦ଜଣ କର୍ମଚାରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରେ ଛାନଭିନ କରିଛନ୍ତି । ଏହାସହ ସେଠାରେ ଲାଗିଥିବା ୨୫ଟି ସିସିଟିଭିକୁ ସିଜ୍ କରିଛନ୍ତି । ତେବେ ବହୁ ସଂଖ୍ୟାରେ ପୁଲିସ କର୍ମଚାରୀ ଜଣେ ମୁଖ୍ୟମନ୍ତ୍ରୀଙ୍କ ଘରେ ଯାଂଚ କରିବା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ଅମିତ ଶାହାଙ୍କୁ ଟାର୍ଗେଟ୍ କରିଛନ୍ତି କେଜ୍ରିୱାଲ ।

ଆଜି ଦିନ ପ୍ରାୟ ୧୨ଟା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନରେ ପଶିଲା ଦିଲ୍ଲୀ ପୋଲିସ । ପ୍ରାୟ ୬୦ରୁ ୭୦ ଜଣ ପୋଲିସ କର୍ମଚାରୀ କେଜିୱାଲଙ୍କ ଘରେ ପଶି ତଦନ୍ତ କରିଛନ୍ତି । ମୁଖ୍ୟ ଶାସନ ସଚିବ ଅଂଶୁପ୍ରକାଶଙ୍କ ମାଡ ଅଭିଯୋଗ ମାମଲାର ତଦନ୍ତ ପାଇଁ ଦିଲ୍ଲୀ ପୋଲିସ ପଶି ଥିଲା । କେଜରିୱାଲଙ୍କ ବାସଭବନରୁ ୨୫ଟି ସିସିଟିଭିର ରେକର୍ଡିଂ ଜବତ କରିଛି ଦିଲ୍ଲୀ ପୋଲିସ । ତେବେ ଏହି ଘଟଣାକୁ ନିନ୍ଦା କରିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏହା ସହ ଟ୍ୱିଟ୍ କରି ବିଜେପି ଓ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି । ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ଘଟଣାରେ କେବେ ଅମିତ ଶାହାଙ୍କୁ ଜେରା ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ଦୁଇ ଚାପୁଡା ମାଡ ଘଟଣାରେ ପୋଲିସ ତାଙ୍କ ଘରେ ପଶିଥିବା ସେ ଉଲ୍ଲେଖ କରିଛନ୍ତି ।

ସେପଟେ ମୁଖ୍ୟ ସଚିବଙ୍କୁ ମାଡ ଘଟଣା ନେଇ ଆଇଏଏସ୍ ଅଧିକାରୀ ସଂଘ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଭେଟିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ ଏହି ମାମଲା ନେଇ ଅସନ୍ତୋଷ ପ୍ରକାଶ କରିଛି ସଂଘ । ଅଫିସରଙ୍କ ପାଇଁ ଏକ ସୁସ୍ଥ ପରିବେଶ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଅନ୍ୟପଟେ ମାମଲାର ତଦନ୍ତ ଚାଲିଥିବା ବେଳେ ସରକାରଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଉପରାଜ୍ୟପାଳଙ୍କୁ ଅନୁରୋଧ କରିବେ ଦିଲ୍ଲୀ ମନ୍ତ୍ରୀ ପରିଷଦ ବୋଲି କହିଛନ୍ତି ।

ଦିଲ୍ଲୀ ମୁଖ୍ୟ ସଚିବ ଅଂଶୁପ୍ରକାଶ ତାଙ୍କୁ ଆପ୍ ବିଧାୟକ ଗାଳିଗୁଲଜ, ମାରପିଟ୍ କରିଥିବା ଅଭିଯୋଗ କରିଥିଲେ । ଏପରିକି ତାଙ୍କୁ ମାଡ ମାରିବା ବେଳେ ଘଟଣାସ୍ଥଳରେ କେଜରିୱାଲ ମଧ୍ୟ ଉପସ୍ଥିତ ଥିବା ଅଭିଯୋଗ କରିଥିଲେ ଅଂଶୁପ୍ରକାଶ । ଏହି ମାମଲାରେ ପୁଲିସ ଦୁଇ ଅଭିଯୁକ୍ତ ଅମାନତୁଲ୍ଲା ଖାନ୍ ଓ ପ୍ରକାଶ ଜାରୱାଲଙ୍କୁ ଗିରଫ କରିଛି । ମୁଖ୍ୟ ସଚିବଙ୍କୁ ମାଡ ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛି ଆମ ଆଦମୀ ପାର୍ଟି ।