ରାଜସ୍ଥାନରେ ନୂଆ ରେକର୍ଡ ! ଗୋଟିଏ ଦିନରେ ୯୫୦୦ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

35

କନକ ବ୍ୟୁରୋ : ଆଗାମୀ ୨୯ ତାରିଖ ଦିନ ରାଜସ୍ଥାନ ସରକାର ନୂଆ ରେକର୍ଡ କରିବାକୁ ଯାଉଛନ୍ତି । ଏହିଦିନ ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ରାଜପଥ ସମେତ ମୋଟ୍‌ ୯ହଜାର ୫ଶହ ପ୍ରକଳ୍ପର ଶୁଭାରମ୍ଭ କରିବେ । ୯ହଜାର ୫ଶହ ପ୍ରକଳ୍ପ ପାଇଁ ରାଜସ୍ଥାନ ସରକାର ୨୭ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦୟପୁର ଗସ୍ତ କରି କେତେକ ପ୍ରକଳ୍ପର ଶିଳାନ୍ୟାସ ସହିତ କେତେକ ପ୍ରକଳ୍ପକୁ ଲୋକାର୍ପିତ କରିବେ । ମୋଦିଙ୍କ ସହିତ ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ମଧ୍ୟ ଏହି ସମସ୍ତ କାର୍ୟ୍ୟକ୍ରମରେ ଯୋଗ ଦେବେ ।

ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜପଥ ପ୍ରାଧିକରଣ ଓ ସଡ଼କ ପରିବହନ ମନ୍ତ୍ରଣାଳୟ ରାଜ୍ୟରେ ୧୦୯ଟି ପ୍ରକଳ୍ପର ୩ ହଜାର କିଲୋମିଟର ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବେ । ଏଥିପାଇଁ ୧୫ ହଜାରେ କୋଟି ଟଙ୍କା ବ୍ୟୟ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୨୯ ତାରିଖ ଦିନ ୧୧ଟି ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ( ୮୭୩ କିଲୋମିଟର ଜାତୀୟ ରାଜପଥ) ସହିତ କୋଟାର ଚମ୍ବଲ ନଦୀ ଉପରେ ନିର୍ମିତ ପୋଲକୁ ଉଦ୍‌ଘାଟନ କରିବେ ।

ଏତଦ୍‌ ବ୍ୟତୀତ ପ୍ରଧାନ ମନ୍ତ୍ରୀ ଶ୍ରୀ ମୋଦି ବିଶାଳ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ ଓ ଏହାର ସିଧା ପ୍ରସାରଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଆଗାମୀ ଏକ ବର୍ଷ ପରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହି ୯୫୦୦ ପ୍ରକଳ୍ପର ଶୁଭାରମ୍ଭ ରାଜନୈତିକ ଦୃଷ୍ଟି କୋଣରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି ।