ଚୀନର ଚକ୍ରାନ୍ତ ! ୱାଟର ବମ ସାହାଯ୍ୟରେ ଭାରତକୁ ଜଳମଗ୍ନ କରିବାକୁ ଯୋଜନା

53

କନକ ବ୍ୟୁରୋ : ଚୀନର ପୁଣି ଏକ ନୂଆ ଚକ୍ରାନ୍ତ । ଏଥର ୱାଟର ବମ୍ ସାହାଯ୍ୟରେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି ଚୀନ୍ । ଡୋକଲାମ ବିବାଦକୁ ନେଇ ସୀମାରେ ଭାରତ ଓ ଚୀନ୍ ମଧ୍ୟରେ ଦୀର୍ଘ ୨ ମାସ ଧରି ମୁହାଁମୁହିଁ ପରିସ୍ଥିତି ଲାଗି ରହିଛି । ତେବେ ଏସବୁ ଭିତରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ବିଦେଶ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ଗତ ତିନିମାସ ହେବ ଚୀନ୍ ୱାଟର ଡାଟା ସମ୍ପର୍କରେ ଭାରତକୁ କୌଣସି ତଥ୍ୟ ହେଉନାହିଁ । ଏପରିକି ଚୀନ ଦେଇ ଭାରତ ମଧ୍ୟକୁ ପ୍ରବାହିତ ହେଉଥିବା ବ୍ରହ୍ମପୁତ୍ର ଓ ସତଲେଜ ନଦୀର ଜଳ ସ୍ଥିତି ଓ ଏହି ନଦୀ ଉପରେ ହୋଇଥିବା ଜଳଭଣ୍ଡାର ଗୁଡିକରେ କେତେ ପରିମାଣର ଜଳ ମହଜୁଦ ରହିଛି ସେ ନେଇ କୌଣସି ସୂଚନା ନ ଦେଇ ଭାରତକୁ ଅନ୍ଧାରରେ ରଖିଛି ।

ଫଳରେ ଚୀନ୍ ଜଳଭଣ୍ଡାରରୁ ଅଚାନକ ମାତ୍ରାଧିକ ଜଳ ଛାଡିବା ଦ୍ୱାରା ଭାରତରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । କୌଣସି ସୂଚନା ନଦେଇ ଚୀନ୍ ଜଳ ଛାଡୁଥିବାରୁ ବିହାର-ବଙ୍ଗଳା ସହିତ ଉତ୍ତରପୂର୍ବ ଓ ପୂର୍ବ ଭାରତରେ ଭୟଙ୍କର ବନ୍ୟା ସ୍ଥିତି ଲାଗି ରହିଛି । ଜଳଭଣ୍ଡାରରେ କେତେ ପରିମାଣରେ ଜଳ ରହୁଛି ଓ କେତେ ପରିମାଣର ଜଳ ଛଡାଯିବ ସେ ନେଇ ସମସ୍ତ ତଥ୍ୟ ଦେବାକୁ ଉଭୟ ରାଷ୍ଟ୍ର ମଧ୍ୟରେ ୨୦୦୬ରେ ଏକ ଚୁକ୍ତି ହୋଇଥିଲା । କିନ୍ତୁ ଚୀନ୍ ଏବେ ଏହି ଚୁକ୍ତି ଉଲ୍ଲଂଘନ କରିଛି । ଏହା ପୂର୍ବରୁ ଦୁଇ ଦେଶ ଜଳଭଣ୍ଡାରର ଜଳସ୍ତରକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା କରୁଥିଲେ ।

ଚୀନ ସହ ହୋଇଥିବା ଚୁକ୍ତି ଅନୁଯାୟୀ, ପ୍ରତ୍ୟେକ ବର୍ଷ ମୌସୁମୀ ସମୟରେ ନଦୀରେ ଜଳର ସ୍ଥିତି ଓ ଜଳଭଣ୍ଡାର ଗୁଡିକରୁ ଏହି ଦୁଇ ନଦୀରେ ଛଡାଯିବାକୁ ଥିବା ପାଣି ସମ୍ପର୍କରେ ଭାରତକୁ ଆଗୁଆ ଅବଗତ କରାଇବା କଥା । କିନ୍ତୁ ଚଳିତ ବର୍ଷ ଡୋକଲାମର ରାଗ ଭାରତ ଉପରେ ସୁଝାଊଛି ଚୀନ୍ । ସୀମାରେ ଉଭୟ ଦେଶ ମୁହାଁମୁହିଁ ପରିସ୍ଥିତିରେ ଥିବାରୁ ଚୀନ୍ ଜଳଭଣ୍ଡାର ସ୍ଥିତି ସମ୍ପର୍କରେ କିଛି ତଥ୍ୟ ନ ଦେଇ ବନ୍ୟାଜଳ ଛାଡିଥିଲା । ଫଳରେ ଭାରତର ଉତ୍ତରପୂର୍ବ ରାଜ୍ୟରେ ଭୟଙ୍କର ବନ୍ୟା ଦେଖା ଦେଇଛି ।

ପରିବେଶ ବିଶେଷଜ୍ଞ ଓ ସାମରିକ କୂଟନୀତିଜ୍ଞ କହିବା ଅନୁଯାୟୀ, ଚୀନ୍ ୱାଟର ବମ୍ ଛାଡି ଭାରତରେ ଭାରତରେ ପ୍ରଳୟଙ୍କାରୀ ବନ୍ୟା ସୃଷ୍ଟି କରୁଛି । ଏପରିକି ଭାରତକୁ ଦେଇ ପ୍ରବାହିତ କେତେକ ନଦୀ ଉପରେ ମଧ୍ୟ ନଦୀବନ୍ଧ ନିର୍ମାଣ କରି ଭାରତକୁ ଡରାଇବାକୁ ଚେଷ୍ଟା କରୁଛି । ଚୀନ୍ ଏଭଳି କରି ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । ଚୀନର ଏଭଳି ଚକ୍ରାନ୍ତକୁ ମାତ ଦେବାକୁ ଭାରତ ସରକାର ଏବେ ଏହାର ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ଚିନ୍ତା କରୁଛନ୍ତି ।