ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ୋକ୍ତି ! ଲୁଚିପାରିବେ ନାହିଁ ପୁଲୱାମା ଆକ୍ରମଣକାରୀ, ମିଳିବ ଆତଙ୍କବାଦର ମୁହଁତୋଡ଼ ଜବାବ

151

କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ପରେ ଏବେ ଜମ୍ମୁ-କଶ୍ମୀରରେ ସର୍ଚ୍ଚ ଅପରେସନ୍ ଚାଲିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ଗସ୍ତରେ ଯାଇ ଏବ ରାଲିରେ ଏକ ବଡ଼ ଘୋଷଣା କରିଛନ୍ତି । ପୁଲୱାମା ଆକ୍ରମଣ କରି ଆତଙ୍କବାଦୀମାନେ ଯେପରି ଘୃନ୍ୟ କାମ କରୁଛନ୍ତି, ଯେତେ ଲୁଚିଲେ ମଧ୍ୟ ତାଙ୍କୁ ଦଣ୍ଡ ନିଶ୍ଚିତ ମିଳିବ ବୋଲି କହିଛନ୍ତି ମୋଦି । ମୋଦିଙ୍କ ଏହି ବୟାନକୁ ବେଶ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି ।

ପାକିସ୍ତାନରେ ଲୁଚି ରହି ଏପରି ଷଡ଼ଯନ୍ତ୍ର ରଚୁଥିବା ମାସୁଦ ଅଜହର ବିରୋଧରେ ଓସାମ ବିନ୍ ଲାଦେନ କରି କାର୍ଯ୍ୟକାନୁଷ୍ଠାନ ହେଉ ବୋଲି ଦାବି କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ଦେଶବାସୀଙ୍କୁ ଭରସା ଦେଇଛନ୍ତି ଏବଂ କହିଛନ୍ତି ସହିଦଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ଆତଙ୍କବାଦର ମୁହଁତୋଡ ଜବାବ ଦେବା ପାଇଁ ସୁରକ୍ଷାକର୍ମୀଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଦେଶବାସୀ ଧୈର୍ଯ୍ୟ ଧରନ୍ତୁ ବୋଲି ଅପିଲ କରିଛନ୍ତି ମୋଦି । ଯବାନଙ୍କ ଉପରେ ଭରସା ରଖନ୍ତୁ , ଆକ୍ରମଣକାରୀଙ୍କୁ ଉଚିତ ଦଣ୍ଡ ମିଳିବ ।

ଏହାସହ ମୋଦି କହିଛନ୍ତି, ମୁଁ ଭଲ ଭାବରେ ଜାଣିଛି ସମସ୍ତେ ପ୍ରତିଶୋଧର ନିଆଁରେ ଜଳୁଛନ୍ତି । ଯେଉଁ ପରିବାର ନିଜ ଲୋକଙ୍କୁ ହରାଇଛନ୍ତି, ତାଙ୍କ କଷ୍ଟ ମୁଁ ଠିକ ଭାବରେ ଅନୁଭବ କରିପାରୁଛି । ମୋଦି କହିଛନ୍ତି ସମସ୍ତଙ୍କୁ ଏତିକି ଭରସା ଦେଇପାରିବି , କୌଣସିମତେ ଆତଙ୍କୀକୁ ଛଡ଼ାଯିବ ନାହିଁ ।