ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ’ର ୯୯ ତମ ଅଧ୍ୟାୟରେ ଅଙ୍ଗଦାନ ଉପରେ ଆଲୋଚନା, ଅଙ୍ଗଦାନକୁ ନେଇ ପ୍ରଧାନମନ୍ତ୍ରୀ ଦେଲେ ଏଭଳି ପରାମର୍ଶ

107

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରାୟୋଜିତ ‘ମନ୍ କି ବାତ’ କାର୍ଯ୍ୟକ୍ରମର ୯୯ ତମ ଅଧ୍ୟାୟରେ ସେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହା ମନ୍ କି ବାତ୍ କାର୍ଯ୍ୟକ୍ରମର ୯୯ ତମ ଅଧ୍ୟାୟ ହୋଇଥିବା ବେଳେ ଚଳିତ ବର୍ଷ ଏହା ତୃତୀୟ ଅଧ୍ୟାୟ ।

ଦେଶବାସୀଙ୍କ ସହ ନିଜ ବିଚାର ସେୟାର କରିବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏବେ ମନ୍ କି ବାତ କାର୍ଯ୍ୟକ୍ରମର ୯୯ ତମ ଅଧ୍ୟାୟରେ ଆମେ ପହଂଚିସାରିଛୁ । ଏପ୍ରିଲ ୩୦ ତାରିଖରେ ଏହି କାର୍ଯ୍ୟକ୍ରମର ୧୦୦ତମ ଏପିସୋଡକୁ ନେଇ ଲୋକଙ୍କ ଭିତରେ ବହୁତ ଉତ୍ସାହ ରହିଛି । କହିରଖୁ କି ପ୍ରତି ମାସର ଶେଷ ରବିବାରରେ ଅଲ୍ ଇଣ୍ଡିଆ ରେଡିଓରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି ।

ମନ୍ କି ବାତର ୯୯ ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ଅନ୍ୟର ସେବା ପାଇଁ ନିଜର ଜୀବନକୁ ସମର୍ପିତ କରୁଥିବା ଲୋକଙ୍କ ଉପରେ ଚର୍ଚ୍ଚା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ କି ଅଙ୍ଗଦାନ ଆଜିର ଦିନରେ ଅନ୍ୟକୁ ଜୀବନଦାନ ଦେବାର ଏକ ବଡ ମାଧ୍ୟମ ପାଲଟିଛି । ମୃତ୍ୟୁ ପରେ ଜଣେ ଲୋକର ଶରୀର ଦାନ ଫଳରେ ୮ରୁ ୯ଜଣ ଲୋକଙ୍କର ଜୀବନ ବଞ୍ଚିପାରୁଛି । ଏହି କ୍ରମରେ ସେ ଅଙ୍ଗଦାନ କରିଥିବା କିଛି ପରିବାର ସହିତ ଲାଇଭ କଥା ହୋଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି ଅଙ୍ଗଦାନକୁ ପ୍ରୋତ୍ସାହିତ କରିବାକୁ ପୁରା ଦେଶରେ ଏକ ନୂଆ ଯୋଜନା ଉପରେ କାମ ଚାଲିଛି । ଏହି କ୍ରମରେ ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ ସେହି ରାଜ୍ୟର ସ୍ଥାୟୀ ନିବାସୀ ହେବା ବାଧ୍ୟତାମୂଳକ ଆଇନକୁ ହଟାଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ଅଙ୍ଗଦାନ ପାଇଁ ସର୍ବାଧିକ ବୟସ ସୀମା ୬୫ ବର୍ଷକୁ ମଧ୍ୟ ସମାପ୍ତ କରାଯାଇଛି । ଏବେ କୌଣସି ବୟସର ଲୋକ ଅଙ୍ଗଦାନ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।