ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଏଥର କଳାରେ ପାସହାର ୮୨.୧୦ ପ୍ରତିଶତ । 

116

କନକ ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରେ ପରିଷଦର ଅଧ୍ୟକ୍ଷ ପରୀକ୍ଷା ଫଳ ଘୋଷଣା କରିଛନ୍ତି । ତେବେ ଚଳିତବର୍ଷ ଯୁକ୍ତ ଦୁଇ କଳାରେ ପାସହାର ୮୨.୧୦ ପ୍ରତିଶତ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ପାସହାର ସର୍ବାଧିକ ଥିବାବେଳେ, ନବରଙ୍ଗପୁରରେ ଯୁକ୍ତ ଦୁଇ କଳା ଛାତ୍ରଛାତ୍ରୀଙ୍କ ପାସହାର ସବୁଠୁ ନିରାଶଜନକ ରହିଛି ।

ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୮ ହଜାର ୬୩୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ତା ଭିତରୁ ୧ ଲକ୍ଷ ୭୧ ହଜାର ୨୮୮ ଜଣ ପରୀକ୍ଷାର୍ଥୀ ପାସ କରିଥିବା ସୂଚନା ରହିଛି । ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ପାସହାର ୮୨.୧୦ ପ୍ରତିଶତ ରହିଛି । ଅନ୍ୟପଟେ ଯୁକ୍ତ ଦୁଇ କଳାରେ ୯୦ ହଜାର ୨୦୭ ଜଣ ଛାତ୍ର ପରୀକ୍ଷା ଦେଇଥିବାବେଳେ, ତା ଭିତରୁ ୬୭ ହଜାର ୭୨୮ ଜଣ ଛାତ୍ର ପାସ୍ କରିଛନ୍ତି । ଛାତ୍ରମାନଙ୍କର ପାସହାର ୭୫.୦୮ ପ୍ରତିଶତ ରହିଛି । ସେପଟେ ଯୁକ୍ତ ଦୁଇ କଳାରେ ଛାତ୍ରୀଙ୍କର ପାସହାର ରହିଛି ୮୭.୪୫ ପ୍ରତିଶତ ।ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ୬୨ ହଜାର ୭୩୪ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ୪୧ ହଜାର ୧୯୩ ଜଣ ଛାତ୍ରଛାତ୍ରୀ ପାସ କରିଥିବାବେଳେ ତୃତୀୟ ଶ୍ରେଣୀରେ ୬୭ ହଜାର ୩୪୧ ପିଲା ପାସ୍ କରିଛନ୍ତି । ତା ସହିତ ୧୭୭ ଜଣ ପିଲା ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ୍ କରିଛନ୍ତି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ସେହିପରି ରାଜ୍ୟର ୨୮ଟି ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ପାସହାର ଶତ ପ୍ରତିଶତ ରହିଥିବାବେଳେ, କୌଣସି ବି ଶିକ୍ଷାନୁଷ୍ଠାନରେ ପାସହାର ୦ ପ୍ରତିଶତ ହୋଇନାହିଁ । ଅନ୍ୟପଟେ ଚଳିତବର୍ଷ ଧନ୍ଦାମୂଳକ ଶିକ୍ଷାରେ ପାସହାର ୭୦.୩୫ ପ୍ରତିଶତ ରହିଛି । ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟ୍ ଜରିଆରେ ନିଜର ରେଜଲ୍ଟ ଜାଣିପାରିବେ ବୋଲି ସୂଚନା ଦିଆଯାଇଛି ।