ନବଙ୍କ ପରିବାରକୁ ସାନ୍ତ୍ୱନା ଦେଲେ ନବୀନ । କାନ୍ଦି କାନ୍ଦି ନବଙ୍କ ପତ୍ନୀ କହିଲେ, ଆଉ କିଛି ବଞ୍ଚି ନାହିଁ । 

721

କନକ ବ୍ୟୁରୋ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକରେ ସମସ୍ତେ ଆବାକ୍, ସମସ୍ତେ ସ୍ତବ୍ଧ । ହଠାତ୍ ଏମିତି ଅଘଟଣ ହୋଇଯିବ ତାହା କେହି କେବେ କଳ୍ପନା ମଧ୍ୟ କରିନଥିଲେ । ପୂରା ଓଡ଼ିଶା ଏହି ଘଟଣାକୁ ନେଇ ସ୍ତବ୍ଧ ହୋଇଯାଇଥିବା ବେଳେ ନବଙ୍କ ପରିବାର ଆଖିରୁ ଲୁହ ଶୁଖୁନି, କୋହ କମୁନି । କାନ୍ଦବୋବାଳିରେ ଫାଟି ପଡୁଛି ପୂରା ପରିବେଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବଙ୍କ ଶେଷ ଦର୍ଶନ ପାଇଁ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ପହଞ୍ଚିଥିଲେ । ନବଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇ ପରିବାରକୁ ସନ୍ତ୍ୱନା ଦେଇଥିଲେ । ନବଙ୍କ ପୁଅ କାନ୍ଧ ଉପରେ ହାତ ରଖି ସାହସ ଦେଇଥିଲେ । ଆଉ ଏହି ସମୟରେ ନିଜର କୋହ ସମ୍ଭାଳି ପାରିନଥିଲେ ନବଙ୍କ ପରିବାର । ସ୍ୱାମୀଙ୍କୁ ହରାଇ ନବଙ୍କ ପତ୍ନୀ କହିଥିଲେ ଆଉ କିଛି ବଞ୍ଚିନାହିଁ । ସବୁ ଶେଷ ହୋଇଗଲା । ଏହି ସମୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ବେଶ ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ସ୍ୱାମୀ ନବ ଦାସଙ୍କ ମରଶରୀର ଭୁବନେଶ୍ୱରରୁ ଝାରସୁଗୁଡା ଯିବା ସମୟରେ ଆଉ ନିଜକୁ ସମ୍ଭାଳିପାରିନଥିଲେ ପତ୍ନୀ । କହିଥିଲେ, ମୋତେ ଏକା ଛାଡି କାଇଁ ପଳାଉଛ ତୁମେ । ଆଉ କାନ୍ଦି କାନ୍ଦି ଚେତା ହରାଇ ବସୁଥିଲେ । ଆଉ ଏହି ଦୃଶ୍ୟ ଦେଖି ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଥିଲା । କାରଣ ହଠାତ୍ ଏଭଳି ଅଘଟଣ ଘଟିଯିବ ତାହା ସହଜରେ ବିଶ୍ୱାସଯୋଗ୍ୟ ନଥିଲା ।

ଏସବୁ ଭିତରେ ନବଙ୍କ ପାର୍ଥିବଶରୀର ଝାରସୁଗୁଡାରେ ପହଞ୍ଚିଛି । କିଛି ସମୟ ପାଇଁ ସାଧାରଣ ଲୋକ ନବଙ୍କ ପାର୍ଥିବ ଶରୀର ଦର୍ଶନ କରିବା ଅନ୍ତିମ ସଂସ୍କାର କରାଯିବ ।