ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି । ଜୟନାରାୟଣ କହିଲେ, ଏହା ପଛରେ ମୋତେ ଷଡଯନ୍ତ୍ରର ଗନ୍ଧ ଆସୁଛି ।

368

କନକ ବ୍ୟୁରୋ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଏହି ଘଟଣାରେ ମୁଁ ବହୁତ ମର୍ମାହତ । ଯେଉଁମାନେ ସୁରକ୍ଷା ଦାୟିତ୍ୱରେ ରହିବା କଥା ସେମାନଙ୍କ ଦ୍ୱାରା ହତ୍ୟା ହୋଇଛି । ଏହା ଏକ ଷଡଯନ୍ତ୍ର ହୋଇପାରେ ବୋଲି କହିଛନ୍ତି ଜୟନାରାୟଣ । କ୍ରାଇମବ୍ରାଞ୍ଚ ତଦନ୍ତରେ ଆମେ ସନ୍ତୁଷ୍ଟ ନୁହଁ । ଏହି ଘଟଣାରେ ସିବିଆଇ କିମ୍ବା ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ହେଉ । ପୋଲିସକୁ ପାଗଳ ଘୋଷଣା କରିବେ ବୋଲି ମୁଁ ଆଗରୁ କହିଥିଲି । ଯଦି ଉକ୍ତ ପୋଲିସ ପାଗଳ ଥିଲେ ତେବେ ତାଙ୍କୁ କାହିଁକି ବନ୍ଧୁକ ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ।

ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଏହି ମାମଲାର ସିବିଆଇ ତଦନ୍ତ ହେବା ଦରକାର । କାହିଁକି ଏଯାବତ ପୋଲିସ ଚୁପ୍ ରହିଛି । ଯଦି ଏମିତି ଘଟଣା ହୁଏ ତେବେ ମନ୍ତ୍ରୀ ବିଧାୟକ ଓ ଜନ ପ୍ରତିନିଧିଙ୍କୁ କିଏ ସୁରକ୍ଷା ଦେବ ।ଏଠାରେ ଗୁଇନ୍ଦା ଫେଲ ମାରିଛି । ଗୃହ ବିଭାଗ କଣ କରୁଛି ଓ କେଉଁ ପରିସ୍ଥିତି ଦେଇ ଗତି କରୁଛି ତାହା ଏହି ଘଟଣାରୁ ସ୍ପଷ୍ଟ ।

ସେହିଭଳି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଦିନ ଦ୍ଵିପ୍ରହରେ ଜଣେ ଶକ୍ତିଶାଳୀ ମନ୍ତ୍ରୀଙ୍କୁ ହତ୍ୟା କରିବା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ଦୁରାଵସ୍ଥାକୁ ସୁଚାଉଛି । ହତ୍ୟାର ପ୍ରକୃତ କାରଣ କଣ ତାହା ସ୍ପଷ୍ଟ ହେବାର ଆବଶ୍ୟକତା ରହିଛି । ରାଜ୍ୟ ସରକାର ନିରପେକ୍ଷ ତଦନ୍ତ କରି ତଥ୍ୟ ସାମ୍ନାରେ ରଖନ୍ତୁ ।