ସାଂଘାତିକ ଅଭିଯୋଗ ଆଣିଲେ ସୋରେନ୍: କହିଲେ, ଲୋକେ କିଣନ୍ତି ସାମଗ୍ରୀ, ବିଜେପି କିନ୍ତୁ କିଣୁଛି ବିଧାୟକ

233

କନକ ବ୍ୟୁରୋ: ବିରୋଧୀଙ୍କ ହଙ୍ଗାମା ଭିତରେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ସରକାର ଆସ୍ଥା ଭୋଟ ଜିତିଛି । ୮୧ ସଦସ୍ୟତା ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ହେମନ୍ତ ସୋରେନଙ୍କ ସପକ୍ଷରେ ପଡ଼ିଛି ୪୮ ଭୋଟ୍ । ଝାଡ଼ଖଣ୍ଡରେ ରାଜନୈତିକ ହଲଚଲ ଭିତରେ ସୋରେନ୍ ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇଥିଲେ । ଭୋଟ୍ ବିଭାଜନ ଜରିଆରେ ସରକାରଙ୍କ ସପକ୍ଷରେ ୪୮ ଏବଂ ବିପକ୍ଷରେ ଶୂନ ଭୋଟ୍ ଯାଇଥିଲା । ଗୃହରେ ଆସ୍ଥା ଭୋଟ୍ ପ୍ରସ୍ତାବ ଉପରେ ଆଲୋଚନା ବେଳେ ସୋରେନ୍ ବିଜେପି ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସୋରେନ୍ କହିଛନ୍ତି, ନିର୍ବାଚନ ଜିତିବା ପାଇଁ ବିଜେପି ଦଙ୍ଗାକୁ ପ୍ରଶୟ କରି ଦେଶରେ ଗୃହ ଯୁଦ୍ଧ ଭଳି ସ୍ଥିତି ଉତ୍ପନ କରିବାକୁ ପ୍ରୟାସ କରୁଛି । କିନ୍ତୁ ବିଜେପିର ସେହି ଯୋଜନା ଫେଲ୍ ମାରିଥିବା ସୋରେନ୍ କହିଛନ୍ତି ।

ଆସ୍ଥା ପ୍ରସ୍ତାବ ସପକ୍ଷରେ ଓ ବିପକ୍ଷରେ ଭୋଟ୍ ଦେବା ପୂର୍ବରୁ ବିଜେପି ସମେତ ଅନ୍ୟାନ୍ୟ ଛୋଟ ଦଳଗୁଡ଼ିକ ଗୃହରୁ ୱାକଆଉଟ୍ କରିଥିଲେ । ତେବେ ଏନସିପି ସରକାରଙ୍କୁ ସମର୍ଥନ କରିଥିଲା । ଗୃହରୁ ୱାକଆଉଟ୍ କରିବା ପରେ ବିଜେପି ବିଧାୟକମାନେ ବିଧାନସଭା ବାହାରେ ପ୍ରତିବାଦ କରିଥିଲେ । ଆସ୍ଥା ଭୋଟକୁ ନେଇ ଝାଡ଼ଖଣ୍ଡ ସରକାର ଉପରେ ବିଜେପି ପାଲଟା ଆକ୍ରମଣ କରିଛି । କହିଛି, ସରକାରଙ୍କୁ ସେମାନଙ୍କର ବିଧାୟକଙ୍କ ଉପରେ ଭରସା ନାର୍ହି । ସେଥିପାଇଁ ଭୟରେ ସରକାର ଆସ୍ଥା ଭୋଟ କରାଇଥିବା ବିଜେପି କହିଛି । ଗୃହରେ ବିଜେପି ଦୁମକାରେ ନାବାଳିକା ଅଙ୍କିତା ମୃତ୍ୟୁ ପ୍ରସଙ୍ଗ ଉଠାଇଥିଲା ।

ପ୍ରଫିଟ୍ ଅଫ୍ ଇଂଟରେଷ୍ଟ ମାମଲାରେ ସୋରେନଙ୍କୁ ବିଧାନସଭାରୁ ଅଯୋଗ୍ୟ ଘୋଷିତ କରିବା ପାଇଁ ବିଜେପି ଆବେଦନ କରିଥିଲା । ଯାହା ପରେ ନିର୍ବାଚନ କମିଶନ ଅଗଷ୍ଟ ୨୫ ତାରିଖରେ ରାଜ୍ୟପାଳଙ୍କ ନିକଟକୁ ତାଙ୍କ ନିଷ୍ପତି ପଠାଇଥିଲେ । ଫଳରେ ରାଜ୍ୟରେ ରାଜନୈତିକ ସଂକଟ ଦେଖା ଦେଇଥିଲା । ଯଦିଓ ନିର୍ବାଚନ କମିଶନଙ୍କ ନିଷ୍ପତିକୁ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ ।