ଭୁବନେଶ୍ୱରରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ସାମନାକୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ସୁଇସାଇଡ୍ ନୋଟ୍ ।

698

କନକ ବ୍ୟୁରୋ: ନର୍ସିଂ ଛାତ୍ରୀ କୁନି କଅଁରଙ୍କ ଆତ୍ମହତ୍ୟାକୁ ନେଇ ବଢିବାରେ ଲାଗିଛି ସନ୍ଦେହ । ପୋଲିସ ହାତରେ ଲାଗିଥିବା କୁନିଙ୍କ ଶେଷ ଚିଠି ଘଟଣାକୁ ଆହୁରି ରହସ୍ୟମୟ କରିଛି । ଚିଠିରେ ଉଲ୍ଲେଖ ରହିଛି ନିଦ ନହେବାରୁ ଆତ୍ମହତ୍ୟା କରିଛନ୍ତି କୁନି । ହେଲେ ହଷ୍ଟେଲ କର୍ତ୍ତୃପକ୍ଷ କହିଛନ୍ତି, ୨ ଦିନ ହେଲାଣି ସେ ମାନସିକ ଚାପରେ ଥିଲେ । ଆଉ ଏ ବିଷୟରେ କୁନିଙ୍କ ଘର ଲୋକଙ୍କୁ ଫୋନ୍ କରି କହିଥିଲେ ।

କୁନି କଅଁର । ନର୍ସିଂ ଛାତ୍ରୀ । ବହୁ ସ୍ୱପ୍ନ ନେଇ ପାଠ ପଢ଼ିବାକୁ ବଲାଙ୍ଗୀରରୁ ଭୁବନେଶ୍ୱରକୁ ଚାଲି ଆସିଥିଲେ କୁନି । ବାପାଙ୍କ ମୃତ୍ୟୁ ପରେ ଝିଅକୁ ପାଠ ପଢ଼ାଇ ଭଲ ମଣିଷ କରିବା ଲକ୍ଷ୍ୟରେ ମା ଧାର କରଜ କରି ଭୁବନେଶ୍ୱର ପଠାଇଥିିଲେ । ହଷ୍ଟେଲରେ ରଖି ପାଠ ପଢ଼ାଉ ଥିଲେ । ହେଲେ ସ୍ୱପ୍ନ ଏବେ ସ୍ୱପ୍ନ ହୋଇ ରହିଯାଇଛି । ଆତ୍ମହତ୍ୟା କରି ଦେଇଛନ୍ତି କୁନି । ପରିବାର ଲୋକ ଏହି ଖବର ପାଇବା ପରେ ଭୁବନେଶ୍ୱରରେ ପହଁଚିଛନ୍ତି । ଭଉଣୀର ମୃତଦେହକୁ ଦେଖି ନିଜକୁ ସମ୍ଭାଳି ପାରିନାହାଁନ୍ତିି ଭଉଣୀ ଓ ବଡବାପା ।

  • ପୋଲିସ ହାତରେ କୁନିଙ୍କ ଶେଷ ଚିଠି
  • ଆତ୍ମହତ୍ୟା ପାଇଁ କାହାକୁ କରିନାହାଁନ୍ତିି ଦାୟୀ

ଆତ୍ମହତ୍ୟା କରିବା ପୂର୍ବରୁ କୁନି କଅଁର ଛାଡି ଯାଇଥିବା ଶେଷ ଚିଠି ପୋଲିସ ହାତରେ ଲାଗିଛି । ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ସେ କାହାରିକୁ ଦାୟୀ କରିନାହାଁନ୍ତି । ଚିଠିରେ ଲେଖିଛନ୍ତି, ତାଙ୍କୁ ରାତିରେ ଗୋଟିଏ ମିନିଟ ବି ନିଦ ହେଉନି । ନିଦ ନହେବାରୁ ବହୁତ କଷ୍ଟ ଲାଗୁଛି, କିଛି କରିବାକୁ ଇଛା ହେଉନି । ତାଙ୍କୁ ନିଦ ନହେବାରୁ ସେ ଆତ୍ମହତ୍ୟା କରୁଛନ୍ତି । ଏଥିରେ କାହାର ଦୋଷ ନାହିଁ । ପୁଲିସ କାହାରିକୁ ହଇରାଣ କରନ୍ତୁନି ।ତେବେ ଚିଠିରେ ଥିବା ଲେଖା ଛାତ୍ରୀଙ୍କର କି ନୁହେଁ ତାହା ସ୍ପଷ୍ଟ ହୋଇନି । ହାତଲେଖା ମିଶାଇବାକୁ ଚିଠିଟି ଲ୍ୟାବକୁ ପଠାଇବ ପୋଲିସ ।

ସୂଚନା ଅନୁସାରେ ଦୁଇ ଦିନ ଧରି କୁନି ମାନସିକ ଚାପରେ ଥିବା ନେଇ ହଷ୍ଟେଲ କର୍ତୃପକ୍ଷ ଫୋନ୍ କରି ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ । ତାଙ୍କୁ ଘରକୁ ନେଇଯିବା ପାଇଁ ପରିବାର ଲୋକଙ୍କୁ କହିଥିଲେ । କିନ୍ତୁ ଏହା ଭିତରେ ରବିବାର କେହି ନଥିବାବେଳେ କୁନି ଆତ୍ମହତ୍ୟା କରି ଦେଇଛନ୍ତି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।

ଭରତପୁର ଥାନା ଅଧିନ କଳିଙ୍ଗନଗର ଅଞ୍ଚଳରୁ ମଧ୍ୟ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ପାରିପାଶ୍ୱିର୍କ ସ୍ଥିିତିରୁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । କେବଳ ଏହି ଦୁଇଟି ଆତ୍ମହତ୍ୟା ଘଟଣା ନୁହେଁ, ଗତ କିଛି ଦିନ ହେବ ଓଡିଶାରେ ଆତ୍ମହତ୍ୟା ସଂଖ୍ୟା ବଢ଼ି ଚାଲିଛି । ରାତି ପାହିଲେ ଆସୁଛି ଆତ୍ମହତ୍ୟାର ଖବର । ନିକଟରେ ପ୍ରକାଶ ପାଇଥିବା ଏନସିଆରବିର ରିପୋର୍ଟ ଅନୁସାରେ ପ୍ରତିଦିନ ରାଜ୍ୟରେ ପ୍ରାୟ ୧୫ ଜଣ ଆତ୍ମହତ୍ୟା କରୁଛନ୍ତି । ବିଶେଷକରି ଭୁବନେଶ୍ୱର ଓ କଟକରେ ଏହି ହାର ଯଥେଷ୍ଟ ଅଧିକ ରହିଛି । ଆଉ ଏହାକୁ କେମିତିି ନିୟନ୍ତ୍ରଣ କରାଯିବ, କେମିତି ଲୋକଙ୍କ ସଚେତନ କରାଯିବ ତାହା ଏବେ ପୋଲିସ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି ।